ସାଧାରଣରୁ ଅସାଧାରଣ: ଦିନ ମଜୁରିଆଙ୍କ ପତ୍ନୀ ଚଢ଼ିବେ ବିଧାନସଭାର ପାହାଚ


ସାଲତୋରାର ବିଧାୟିକା ନିର୍ବାଚିତ ଚନ୍ଦନା ବାଉରୀ (ଫଟୋ: ଟ୍ବିଟର)
ଆମ ଦୈନନ୍ଦିନ ଜୀବନରେ ଯେବେ ଜଣେ ସାଧାରଣ ଲୋକ ପ୍ରତିକୂଳ ପରିସ୍ଥିତିରେ ଭିନ୍ନ କିଛି କରିଥାଏ ଏବଂ ଏହା ଦ୍ବାରା ସେ ସଭିଙ୍କ ଦୃଷ୍ଟିଗୋଚର ହୋଇଥାଏ, ଏହାକୁ ଅସାଧାରଣ କୁହାଯାଏ। ଠିକ ଏମିତି କିଛି ଦେଖିବାକୁ ମିଳିଛି ସଦ୍ୟ ସମାପିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ବିଧାନସଭା ନିର୍ବାଚନରେ। ଦିନକୁ ଦୁଇ ଓଳି ଦୁଇ ମୁଠା ସଠିକ ଢଙ୍ଗରେ ଖାଇବାକୁ ପାଉ ନ ଥିବା ଜଣେ ଦିନ ମଜୁରିଆଙ୍କ ପତ୍ନୀଙ୍କୁ ଲୋକେ ବିଧାୟିକା ରୂପେ ବାଛିଛନ୍ତି। ତାଙ୍କ ନେତୃତ୍ବ ଉପରେ ଭରସା ଓ ଲୋକଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଏହି ସାଧାରଣ ମହିଳା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ବାଙ୍କୁରା ଜିଲା ଅନ୍ତର୍ଗତ ସାଲତୋରା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ବିଧାୟିକା ନିର୍ବାଚିତ ହୋଇଥିବା ଚନ୍ଦନା ବାଉରୀ। ବିଶେଷକରି ଚନ୍ଦନାଙ୍କର ପୂର୍ବରୁ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତି ନ ଥିବାରୁ ତାଙ୍କ ବିଜୟ ଯାତ୍ରାର କାହାଣୀ ବେଶ ପ୍ରେରଣାଦାୟୀ ହୋଇଛି। ଏବେ ଅନେକଙ୍କ ପାଇଁ ରୋଲ ମଡେଲ୍ ପାଲଟିଥିବା ଚନ୍ଦନାଙ୍କ ଏହି କୃତିତ୍ବ ପାଇଁ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଛି ଝୁଡ଼ି ଝୁଡ଼ି ପ୍ରଶଂସା।

ଚଳିତ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଘୋଷଣା ହେବା କ୍ଷଣି ରାଜ୍ୟର ବାଙ୍କୁରା ଜିଲାର ସାଲତୋରା ନିର୍ବାଚନମଣ୍ଡଳୀରେ ପରିବେଶ ଏକବାରେ ଭିନ୍ନ ଥିଲା। ବିଶେଷକରି ବିଜେପି ପ୍ରାର୍ଥୀ ଚନ୍ଦନା ବାଉରୀ ବିଜୟୀ ଘୋଷିତ ହେବା ପରେ ଅନେକଙ୍କ ଆଖି ଚମକି ଉଠିଥିଲା। କାରଣ ଅନୁସୂଚିତ ଜାତିର ଏହି ୩୦ ବର୍ଷୀୟା ମହିଳା ଜଣକ ଜଣେ ଦିନ ମଜୁରିଆଙ୍କ ପତ୍ନୀ। ବଡ଼ କଷ୍ଟରେ ଦୁଇ ମୁଠା ଖାଦ୍ୟର ଯୋଗାଡ଼ ହୋଇପାରୁ ଥିବା ବେଳେ ତାଙ୍କ ଘରେ ନାହିଁ ବିଜୁଳି। ସବୁଠୁ ବଡ଼କଥା ହେଉଛି ଚନ୍ଦନାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ। ଅର୍ଥାତ ପୂର୍ବରୁ କୌଣସି ରାଜନୈତିକ ଦଳ ସହ ତାଙ୍କର ସମ୍ପୃକ୍ତି ନାହିଁ। ଏହାସତ୍ତ୍ବେ ସେ ରାଜ୍ୟରେ ସେ ସରକାର ଗଠନ କରିବାକୁ ଯାଉଥିବା ଶାସକ ଦଳ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ସନ୍ତୋଷ କୁମାର ମଣ୍ଡଳଙ୍କୁ ୪୧୪୫ ଖଣ୍ଡ ଭୋଟରେ ହରାଇ ସାଲତୋରାର ନୂଆ ବିଧାୟକା ରୂପେ ବଛାଯାଇଛି। ପୂର୍ବରୁ ଟିଏମସି ପ୍ରାର୍ଥୀ ସ୍ବପନ ବାଉରୀ ଦୁଇ ଥର ଏହି ଆସନରୁ ବିଜୟୀ ହୋଇଥିବା ବେଳେ ଏଥର ଦଳ ସନ୍ତୋଷଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଚନ୍ଦନାଙ୍କ ବିଜୟ ପରେ ତାଙ୍କୁ ଟ୍ବିଟର ୟୁଜର୍ସଙ୍କ ପକ୍ଷରୁ ଉତ୍ତମ ପ୍ରତିକ୍ରିୟା ମିଳିଥିବା ବେଳେ ଏହା ଏକ ପ୍ରେରଣାଦାୟୀ ଶୁଭାରମ୍ଭ ବୋଲି କୁହାଯାଇଛି।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ ତିନି ସନ୍ତାନଙ୍କ ଜନନୀ ଚନ୍ଦନାଙ୍କ ମୋଟ ସମ୍ପତିର ମୂଲ୍ୟ ମାତ୍ର ୩୧ ହଜାର ୯୮୫ ଟଙ୍କା ଥିବା ବେଳେ ତାଙ୍କ ସ୍ବାମୀ ୩୦ ହଜାର ୩୧୧ ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ ବୋଲି ଦର୍ଶାଯାଇଛି। ଚନ୍ଦନାଙ୍କ ସ୍ବାମୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କର ୩ଟିଲେଖାଏଁ ଗାଈ ଓ ଛେଳି ରହିଛନ୍ତି। ଜିତିବା ପରେ ଚନ୍ଦନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ମୁଁ ଯେ ଟିକେଟ ପାଇବି, ଏ କଥା କେବେ ବି ଭାବି ନ ଥିଲି। ଅନେକ ଲୋକ ଅନଲାଇନରେ ନାମାଙ୍କନପତ୍ର ଆବେଦନ କରିବା ପାଇଁ ମୋତେ ପ୍ରୋତ୍ସାହିତ କରିଥିଲେ। ତେବେ ଏଭଳି ସଫଳତା ପାଇପାରିବି ବୋଲି ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି।

ଚନ୍ଦନାଙ୍କ ବିଜୟରେ ତାଙ୍କ ସମର୍ଥକମାନେ ଉଲ୍ଲସିତ ହୋଇଛନ୍ତି। ବିଶେଷକରି ଟ୍ବିଟରରେ ଏହାର ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ଏହା ରାଜନୈତିକ ସମ୍ପୃକ୍ତି ନ ଥିବା ଜଣେ ସାଧାରଣ ମହିଳାଙ୍କ ବିଜୟ। ଆଉ ଅନେକ ତାଙ୍କ ବିଜୟ ବେଶ ପ୍ରେରଣାଦାୟୀ ବୋଲି କହିଛନ୍ତି। ବିଜେପି ଏଭଳି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବାରୁ ଏହାକୁ ମଧ୍ୟ ଅନେକ ସ୍ବାଗତ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୨୯୨ଟି ଆସନରେ ନିର୍ବାଚନ ହୋଇଥିବାବେଳେ ଟିଏମସି ୨୧୩ଟି ଆସନ ହାସଲ କରି ଗାଦି ଅକ୍ତିଆର କରିଛି। ଅପରପକ୍ଷେ ବିଜେପି ୭୭ଟି ଆସନ ପାଇଛି। ତେବେ ୧୦୦ରୁ ଊର୍ଦ୍ଧ୍ବ ଆସନ ହାସଲ କରିବା ଲକ୍ଷ୍ୟରେ ଥିବା ବିଜେପିର ସ୍ବପ୍ନ ଧୂଳିସାତ ହୋଇଛି। ଏହି ନିର୍ବାଚନରେ ଟିଏମସିକୁ ୪୮ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ