ସ୍କୁଲ୍‌ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବର: ଖାରଜ ହେଲା ରାଜ୍ୟ ସରକାରଙ୍କ ସ୍କୁଲ୍‌ ମିଶ୍ରଣ ବିଜ୍ଞପ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍‌ ମିଶ୍ରଣ ନେଇ ଜାରି କରିଥିବା ବିଜ୍ଞପ୍ତିକୁ ରଦ୍ଧ କରି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହାସହ ଛୋଟ ପିଲାଙ୍କୁ ଦୂର ସ୍କୁଲ୍‌ ପଠାଇବା ବେଆଇନ ବୋଲି କୋର୍ଟ କହିଛନ୍ତି।  ଏହାସହ ଭିତ୍ତିଭୂମି ସଜାଡ଼ିବା ହେଉଛି ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଥିଲେ କେତେକ ଅଭିଭାବକ। ଏହପରେ ମାନ୍ୟବର କୋର୍ଟ ଅଭିଭାବକଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

ସୂଚନା ଅନୁସାରେ ୨୦ରୁ କମ୍ ପିଲା ଥିବା ସ୍କୁଲ୍‌ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ୨୦୨୦ ମାର୍ଚ୍ଚ ମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ହାଇକୋର୍ଟରେ ଆପତ୍ତି ଉଠାଇଥିଲେ ଅଭିଭାବକ। ମଲା ଗୁଡ଼ିକରେ ମୁଖ୍ୟତଃ ଅଭିଯୋଗ କରାଯାଇଥିଲା ଯେ ଓଡ଼ିଶା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମାବଳୀର ଉଲ୍ଲଂଘନ କରି ସ୍କୁଲ୍‌ ମିଶ୍ରଣ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କ ପାଇଁ ଚାଲିବା ଦୂରତା ୧କିମି ଭିତରେ ସ୍କୁଲ୍‌ ରହିବା କଥା। କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇ ବହୁ ସ୍କୁଲ୍‌ର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଥିଲା। ଏପରି ନିଷ୍ପତ୍ତି ଦ୍ବାରା ହଜାର ହଜାର କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷା ଗ୍ରହଣ ବାଧାପ୍ରାପ୍ତ ହେବ। ଭୌଗୋଳିକ ସ୍ଥିତି, ମିଶ୍ରଣ ପରେ ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି ହେବାକୁ ଥିବା ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ବିଚାରକୁ ନ ନେଇ ମିଶ୍ରଣ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍କୁଲ୍‌ ମିଶ୍ରଣ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଅଭିଭାବକ, ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଭାବିତ ହେବାକୁ ଥିବା ପକ୍ଷମାନଙ୍କ ମତାମତ ନିଆ ଯାଇ ନାହିଁ। ସରକାରୀ ସ୍କୁଲ୍‌ ବନ୍ଦ ସମ୍ପର୍କିତ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଏହି ସବୁ ଆବେଦନରେ ଦର୍ଶାଯାଇଥିଲା।

କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ୍‌ରେ କମ୍ ସଂଖ୍ୟକ ଛାତ୍ର ପଢ଼ିବା ନେଇ ରାଜ୍ୟ ସରକାରଙ୍କ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଦାୟୀ। ସ୍କୁଲ୍‌ଗୁଡ଼ିକୁ ଯଥେଷ୍ଟ ଭିତ୍ତିଭୂମି ଯୋଗାଇ ନ ଦେଇ ରାଜ୍ୟ ସରକାରଙ୍କ ପିଲା କମ୍ ଦୃଷ୍ଟିରୁ ଅନ୍ୟ ସ୍କୁଲ୍‌ ସହ ମିଶାଇ ଦେବା ପ୍ରସ୍ତାବ ଏକ ବେଆଇନ୍ ପ୍ରସ୍ତାବ। ତେବେ ଏହାରି ମଧ୍ୟରେ କିଛି ସ୍କୁଲ୍‌ର ମିଶ୍ରଣ ହୋଇସାରିଥିବା ବେଳେ ଅନ୍ୟ କିଛି ସ୍ଥାନରେ ମିଶ୍ରଣ ହେବାର ବାକି ଅଛି। କିନ୍ତୁ ଏହାକୁ ବିରୋଧ କରି କିଛି ଅଭିଭାବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାଉପରେ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କରିବା ସହ ଅଭିଭାବକଙ୍କ ସପକ୍ଷରେ ରାୟ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ