ଦ୍ବିତୀୟ ଥର ପାଇଁ ପିପିଲି ଉପନିର୍ବାଚନ ସ୍ଥଗିତ


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବର: ଦ୍ବିତୀୟ ଥର ପାଇଁ ସ୍ଥଗିତ ହୋଇଛି ପିପିଲି ଉପନିର୍ବାଚନ। କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁପରେ ପ୍ରଥମ ଥର ପାଇଁ ସ୍ଥଗିତ ହୋଇଥିଲା ପିପିଲି ଉପନିର୍ବାଚନ। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ମହାମାରୀ ପାଇଁ ପୁଣି ଥରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏଥିସହ ଲାଗିଥିବା ନିର୍ବାଚନ ଆଚରଣବିଧି ମଧ୍ୟ ଉଠାଇ ଦେଇଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପନିର୍ବାଚନକୁ ମଧ୍ୟ ନିର୍ବାଚନ କମିଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି।

ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ୍‌ ୧୭ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବାର ଥିଲା। ପ୍ରଥମେ ଏପ୍ରିଲ୍‍ ୧୭ ତାରିଖରେ ମତଦାନ ପାଇଁ ସ୍ଥିର ହେବା ସହିତ ନାମାଙ୍କନପତ୍ର ଦାଖଲ ଓ ପ୍ରଚାର କାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲା। ବିଜେଡି ପ୍ରାର୍ଥୀ ଭାବେ ସ୍ୱର୍ଗତ ମହାରଥୀଙ୍କ ପୁତ୍ର ରୁଥ୍ର ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ବିଜେପି ପ୍ରାର୍ଥୀଭାବେ ଆଶ୍ରିତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ଅଜିତ ମଙ୍ଗରାଜଙ୍କ ସମେତ ଆଉ କିଛି ପ୍ରାର୍ଥୀ ମଧ୍ୟ ମଇଦାନରେ ଥିଲେ। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ କୋରୋନାରେ ପରଲୋକ ହେବା ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ’ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। କିନ୍ତୁ ମେ’ ୧୩ ତାରିଖରେ ଇଦ୍‌-ଉଲ୍‌- ଫିତର ଥିବାରୁ ପୁନଶ୍ଚ ମେ’ ୧୯ ତାରିଖରେ ଭୋଟ୍‌ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ। କିନ୍ତୁ ପୁଣିଥରେ ପିପିଲି ଉପ ନିର୍ବଚନ ସ୍ଥଗିତ ରଖିଚନ୍ତି ନିର୍ବାଚନ କମିଶନ।

ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ବିଜ୍ଞପ୍ତିରେ ଓଡ଼ିଶାର ପିପିଲି ଏବଂ ପଶ୍ଚିମବଙ୍ଗର ଦୁଇଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ ରଖାଯାଇଛି। ରବିବାର ପଶ୍ଚିମବଙ୍ଗ ନିର୍ବଚନ ଫଳାଫଳ ପ୍ରକାଶ ପାଇଛି। କିନ୍ତୁ ଏହା ପୂର୍ବରୁ ଦୁଇଟି ସିଟ୍‌ ଜାଙ୍ଗିପୁର ଏବଂ ସମସରଗଞ୍ଜର ଦୁଇ ପ୍ରାର୍ଥୀ ମୃତ୍ୟୁବରଣ କରିଛନ୍ତି। ସେଠାରେ ଉପନିର୍ବାଚନ ହେବାର ଥିଲା। ତେବେ ରାଜ୍ୟରେ କୋରୋନାର ପ୍ରକୋପ ବିଶେଷକରି ପୁରୀ ଜିଲ୍ଲାରେ କୋରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ଦୃଷ୍ଟିରୁ ଉପନିର୍ବାଚନ ବାତିଲ ପାଇଁ କଂଗ୍ରେସ ଦାବିକରି ଆସୁଥିଲା। ଏ ନେଇ ହାଇକୋର୍ଟରେ ମାମଲା ରୁଜୁ ପରେ ଆସନ୍ତା ୭ ତାରିଖକୁ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଥିଲା। ତେବେ ଆଜି ନିର୍ବାଚନ କମିଶନ ଉପନିର୍ବାଚନ ସ୍ଥଗିତ ନେଇ ଘୋଷଣା କରିବାପରେ ଏହା ପୁଣିଥରେ କେବେ ତାହା ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ