ଦୋକାନ ଆଗରେ ଭିଡ଼ ନ କରିବାକୁ ଏସ୍‌ଆର୍‌ସିଙ୍କ ଅପିଲ୍‌

ସୋମରୁ ଶୁକ୍ର ଖୋଲାରହିବ ଦୋକାନ, ମହଜୁଦ ଅଛି ପର୍ଯ୍ୟାପ୍ତ ସାମଗ୍ରୀ

ଲୋକଙ୍କୁ ଗହଳି ନ କରିବାକୁ ଅପିଲ୍‌ କରୁଛନ୍ତି ଏସ୍‌ଆର୍‌ସି
ଭୁବନେଶ୍ବର: ମହାମାରୀ କୋରୋନାର ଭୟଙ୍କର ରୂପକୁ ଦେଖି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ୧୫ ଦିନିଆ ତାଲାବନ୍ଦ। ତେବେ ଏହି ତାଲାବନ୍ଦ ପୂର୍ବରୁ ବିଭିନ୍ନ ବଜାର ଓ ହାଟରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି ଗ୍ରାହକ। ଏପରି ଗହଳି ନ କରିବାକୁ ଅପିଲ୍‌ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା। ଏସ୍‌ଆର୍‌ସି କହିଛନ୍ତି ତାଲାବନ୍ଦ ସମୟରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରିବାର ଓ ରାସନ ଦୋକାନ ଖୋଲା ରହିବ। ଏଥିସହ ମାଛ, ମାଂସ ଓ କ୍ଷୀର ଓ ଜରୁରୀ ସାମଗ୍ରୀ ଦୋକାନ ଖୋଲାଯିବ। ତେଣୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ପାଇଁ କୌଣସି ଅସୁବିଧା ହେବନି। ଏହାକୁ ନେଇ କୌଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତ ସୁବିଧା କରାଯାଇଛି। ଜନସାଧାରଣ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି ସେନେଇ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ଲକ୍‌ଡାଉନ୍‌ ପୂର୍ବରୁ ଅଥଯାରେ ଦୋକାନ ଆଗରେ ଗହଳି ନ କରିବାକୁ ଅପିଲ୍‌ କରିଛନ୍ତି ଏସ୍‌ଆର୍‌ସି।

ବୁଧବାର ତାଲାବନ୍ଦ ଥିବାରୁ କାଳେ ଜିନିଷପତ୍ର ନ ମିଳିବ ସେହି ଆଶଙ୍କାରେ ଆଜି ସକାଳ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜାର ହାଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ପରିବା ଦୋକାନ ଠାରୁ, ଗ୍ରୋସରୀ ଦୋକାନ ସବୁଠି ଲୋକ ଲାଇନ୍‌ ଲଗାଇ ସଉଦା ବୋହି ନେଇଥିଲେ। ୧୫ ଦିନ ପାଇଁ ସାମଗ୍ରୀ କିଣିବାକୁ ଲୋକେ ପ୍ରସ୍ତୁତ ହୋଇ ଆସିଥିଲେ। କୋରୋନା କାଳରେ ଏହି ଭିଡ଼ ଏକ ବିପଦର ଆଶଙ୍କାକୁ ଇସାରା କରୁଥିଲା। ତେବେ ଏବି ଭିଡ଼ ଓ ଗହଳିର ଚିତ୍ର ସାରା ରାଜ୍ୟରୁ ଆସିବା ପରେ ରାଜ୍ୟବାସୀଙ୍କୁ ଏସ୍‌ଆରସି ଗହଳି ନ କରିବାକୁ ଅନୁରୋଧ କରିଛନ୍ତି। ଏସ୍‌ଆର୍‌ସି ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି, ବୁଧବାର ସକାଳୁ ଲାଗୁ ହେବାକୁ ଥିବା ଲକ୍‍ଡାଉନ୍‍ ପୂର୍ବରୁ ଅର୍ଥାତ୍‍ ସୋମବାର ଦିନ ବହୁ ସଂଖ୍ୟାରେ ଲୋକେ ତେଜେରାତି ଦୋକାନ ଆଗରେ ଗହଳି କରୁଛନ୍ତି। ଏହାଦ୍ୱାରା ସେମାନେ ସାମଗ୍ରୀ ଖରିଦ ସହିତ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏପରିକି ସାମଗ୍ରୀ କିଣିବା ସହିତ ନିଜ ନିଜର ପିଲାଙ୍କୁ ଓ ଘର ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରନ୍ତି। ଗହଳି ବଢ଼ିଲେ କୋରୋନା ବଢ଼ିବାର ଆଶଙ୍କା ରହିଛି। ଏଣୁ ଲୋକେ ସଚେତନ ରହିବା ପାଇଁ ଅପିଲ୍ କରିଛନ୍ତି ଏସ୍‌ଆର୍‌ସି।

ଲକ୍‍ଡାଉନ୍‍ ସମୟରେ ଗାଁ ଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ତେଜେରାତି, ମାଛ, ମାଂସ, ଅଣ୍ଡା, ପନିପରିବା ଆଦି ଦୋକାନ ଖୋଲିବ। ଲୋକେ ନିଜ ନିଜ ଘର ପାଖରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ତେଣୁ ଲକ୍‍ଡାଉନ୍‍ ପୂର୍ବରୁ ଭୟାତୁର ହୋଇ ବଜାରରେ ଗହଳି କରିବା ଉଚିତ୍‍ ନୁହେଁ। ସେହିଭଳି ଲକ୍‍ଡାଉନ୍‍ ସହିତ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‍ଡାଉନ୍‍ ମଧ୍ୟ ଜାରି ରହିବ। ତେବେ ଏହି ସମୟରେ ଟିକାଗ୍ରହଣ, ଚିକିତ୍ସା, ବିମାନବନ୍ଦର ଓ ରେଳଷ୍ଟେସନକୁ ଜରୁରୀ କାମରେ ଲୋକେ ଯାଇପାରିବେ। ହେଲେ ଏଠାକୁ ଯିବା ସମୟରେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ