ଅକ୍ସିଜେନ୍ ଅଭାବରୁ କର୍ଣ୍ଣାଟକରେ ଗଲା ୨୪ ରୋଗୀଙ୍କ ଜୀବନ


ହସ୍ପିଟାଲ୍ ବାହାରେ ମୃତକଙ୍କ ପରିଜନ ବିଳାପ କରୁଛନ୍ତି
ଚମରାଜନଗର: ବିଗତ ଦିନରେ ଅନେକ ରୋଗୀ ଆବଶ୍ୟକ ପରିମାଣର ଅକ୍ସିଜେନ୍ ନ ପାଇବାରୁ ପ୍ରାଣ ହରାଇଥିବା ବେଳେ ସୋମବାର କର୍ଣ୍ଣାଟକରେ ମଧ୍ୟ ଏପରି ଅଘଟଣ ଦେଖିବାକୁ ମିଳିଛି। କର୍ଣ୍ଣାଟକ ରାଜ୍ୟର ଚମରାଜନଗର ସରକାରୀ ହସ୍ପିଟାଲରେ ୨୪ ଜଣ ରୋଗୀ ଅକ୍ସିଜେନ୍ ଅଭାବରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କେତେକ କୋଭିଡ୍ ସଂକ୍ରମିତ ମଧ୍ୟ ଥିଲେ। ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିବା ପରେ ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀ ସୁରେଶ କୁମାର ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଣରେ ଅବ୍ୟବସ୍ତା ପାଇଁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅକ୍ସିଜେନ୍ ଅଭାବ ସହ ଅନ୍ୟ କେତେକ କାରଣ ପାଇଁ ମଧ୍ୟ ଉକ୍ତ ରୋଗୀଙ୍କ ଜୀବନ ଯାଇଛି ବୋଲି କୁମାର କହିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି କହିଛନ୍ତି। ଏହାଛଡ଼ା ହସ୍ପିଟାଲ୍ କର୍ତ୍ତ୍‌ପକ୍ଷ ତୁରନ୍ତ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି।

ଏ ସଂକ୍ରାନ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ମଧ୍ୟ ଚମରାଜନଗର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଓ ଏନେଇ ଆଲୋଚନା କରିବା ସକାଶେ ମଙ୍ଗଳବାର ଏକ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ମଧ୍ୟ ଆାହୂତ କରିଛନ୍ତି। ସୂଚନାଯୋଗ୍ୟ ଯେ କୋରୋନାର ଦ୍ବିତୀୟ ଲହରୀ ଭାରତରେ ସାଙ୍ଘାତିକ ପରିସ୍ଥିତି ସ୍‌ଷ୍ଟି କରିଥିବା ବେଳେ ପାଖାପାଖି ଅର୍ଦ୍ଧାଧିକ ସଂକ୍ରମିତ ମହାରାଷ୍ଟ୍ର ସମେତ ୫ଟି ରାଜ୍ୟରୁ ଚିହ୍ନଟ ହୋଇଚାଲିଛନ୍ତି। ଏହି ରାଜ୍ୟ ମଧ୍ୟରେ କର୍ଣ୍ଣାଟକ ମଧ୍ୟ ରହିଛି। ଏଠାରେ ଗତ ୨୩ ଘଣ୍ଟାରେ ୩୭ ହଜାର ୭୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ୨୧ ହଜାର ୧୪୯ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିଛନ୍ତି। ଏହାଛଡ଼ା ୨୧୭ ଜଣ ରବିବାର ଦିନକ ଭିତରେ ମୃତ୍ୟୁବରଣ କରିଥିବା ବେଳେ ରାଜ୍ୟରେ ୪ ଲକ୍ଷ ୨୧ ହଜାର ୪୩୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏହି ରାଜ୍ୟରେ ଆଜି ପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୧୧ ଲକ୍ଷ ୬୪ ହଜାର ୩୯୮ ଜଣ ମୋଟ ସୁସ୍ଥତା ଲାଭ କରିସାରିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୧୬ ହଜାର ୧୧ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ