ସିବିଏସ୍‌ଇ ଢାଞ୍ଚାରେ ମାଟ୍ରିକ୍‌ ମୂଲ୍ୟାଙ୍କନ


ପ୍ରତୀକାତ୍ମକ ଫଟୋ
କଟକ: କୋରୋନା ମହାମାରୀ ଯୋଗୁ ସରକାର ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ବାତିଲ କରିଛନ୍ତି। ତେବେ ପରୀକ୍ଷା ଫଳ ପ୍ରକାଶ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ୍‌ ମୂଲ୍ୟାୟନ ସିବିଏସ୍ଇ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ୍‌ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବ। ତା’ ସହିତ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ୍‌ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ସମସ୍ତ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଛାତ୍ରୀଛାତ୍ରଙ୍କ ବିବରଣୀ ମାଗିଛନ୍ତି।

ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟ୍‌ରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦେଶ ଦିଆଯାଇଛି। ଫର୍ମାଟରେ ସ୍କୁଲ୍‌ ନାମ, ନମ୍ବର ଓ ରୋଲ୍‌ ନମ୍ବର ଆଦି ତଥ୍ୟ ଉଲ୍ଲେଖ ରହିବ। ଏଥିସହ ଦଶମ ଟେଷ୍ଟ ଓ ନବମ ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମଗାଯାଇଛି। ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ କରିବାକୁ ପ୍ରଧାନ ଶିକ୍ଷକଙ୍କୁ କୁହାଯାଇଛି। ସୋମବାର ସୁଦ୍ଧା ନିକଟସ୍ଥ ପରୀକ୍ଷାକେନ୍ଦ୍ରରେ ଫର୍ମାଟ୍‌ ଦାଖଲ କରିବାକୁ ନିର୍ଦେଶ ରହିଛି। ଅନ୍ୟପକ୍ଷରେ ବୋର୍ଡର ଏହି ନିଷ୍ପତ୍ତିକୁ ବିରୋଧ କରିଛି ଓଷ୍ଟା। ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବୈଠକ ହେଲା। ତା’ପରେ ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ କରାଗଲା। ୨୪ ଘଣ୍ଟା ମଧ୍ୟ ସମୟ ଦିଆଯାଇ ନାହିଁ। ଏତେ କମ୍ ସମୟ ଭିତରେ ତଥ୍ୟ ଦାଖଲ କରିବା ଅସମ୍ଭବ। ତେଣୁ ଶିକ୍ଷକମାନଙ୍କୁ ସମୟ ଦିଆଯିବା ଦରକାର ବୋଲି ସଂଘର ସମ୍ପାଦକ କହିଛନ୍ତି।

ସୂଚନାଯୋଗ୍ୟ, ଦଶମ ପରୀକ୍ଷା ବାତିଲ୍‌ ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ଛାତ୍ରଛାତ୍ରୀଙ୍କ କଥାକୁ ଶୁଣି କୋରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ରୀୟ ବୋର୍ଡ ଭଳି ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାକୁ ବାତିଲ୍‌ କରିଥିଲେ ରାଜ୍ୟ ସରକାର। ସେତେବେଳେ ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିଥିବା ବେଳେ କିଭଳି ହେବ ବିକଳ୍ପ ମାର୍କିଂ ବ୍ୟବସ୍ଥା ଓ ତାହା କେତେ ଗ୍ରହଣୀୟ ହେବ ତାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ଏବେ ସେଥିରେ ପୂର୍ଣ୍ଣଛେଦ ପଡ଼ିବା ସହ ସିବିଏସ୍ଇ ଢାଞ୍ଚାର ମୂଲ୍ୟାୟନ ହେବ ବୋଲି ସ୍ଥିର ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ