ପିଭି ସିନ୍ଧୁ ଆଇଓସି ବ୍ରାଣ୍ଡ୍ ଆମ୍ବାସାଡର୍ ନିଯୁକ୍ତ


ପିଭି ସିନ୍ଧୁ (ଫାଇଲ୍‌ ଫଟୋ)
କୁଆଲା ଲୁମ୍ପୁର: ବିଶ୍ୱ ଚାମ୍ପିଅନ୍ ତଥା ଗତ ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ପ୍ରମୁଖ ମହିଳା ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ ଏବଂ ବିଶ୍ୱର ୧୧ ନମ୍ବର ଖେଳାଳି କାନାଡାର ମାଇକେଲ୍ ଲି’ଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ‘ବିଲିଭ୍ ଇନ୍ ସ୍ପୋଟର୍ସ’ ଅଭିଯାନ ପାଇଁ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ନିଯୁକ୍ତି ଦେଇଛି। ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ମହାସଂଘ (ବିଡବଲ୍ୟୁଏଫ୍) ସେମାବାର ଏହି ସୂଚନା ଦେଇଛି। ସିନ୍ଧୁ ଓ ଲି’ଙ୍କୁ ଗତ ବର୍ଷ ଏପ୍ରିଲଠାରୁ ବିଡବଲ୍ୟୁଏଫର ‘ଆଇ ଏମ୍ ବ୍ୟାଡ୍‌ମିଣ୍ଟନ୍’ ଅଭିଯାନର ବିଶ୍ୱ ଆମ୍ବାସାଡର୍ ଅଛନ୍ତି। ଏନେଇ ପ୍ରକାଶିତ ଏକ ବିଜ୍ଞପ୍ତିରେ ସିନ୍ଧୁ କହିଛନ୍ତି ଯେ ଆଇଓସି ଦ୍ୱାରା ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ନିଯୁକ୍ତି ପାଇବା ସମ୍ମାନର ବିଷୟ। ପ୍ରତିଯୋଗିତାରେ କୌଣସି ପ୍ରକାର ଅନିୟମିତତା କିମ୍ବା ଦୁର୍ନୀତି ବିରୋଧରେ ମୁଁ ସବୁବେଳେ ସାଥୀ ଖେଳାଳିଙ୍କ ସହ ରହିଆସିଛି। ଆମର ସମାନ ପ୍ରକାର ଚିନ୍ତାଧାରା ଆମକୁ ଅଧିକ ଶକ୍ତିଶାଳୀ କରିପାରିଛି ବୋଲି ସିନ୍ଧୁ କହିଛନ୍ତି।

ଅନ୍ୟପକ୍ଷରେ ସିନ୍ଧୁଙ୍କୁ ପ୍ରଶଂସା କରି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ (ବାଇ) ସାଧାରଣ ସମ୍ପାଦକ ଅଜୟ ସିଂଘାନିଆ କହିଛନ୍ତି ଯେ ଏହାଦ୍ୱାରା ଆଇଓସି ତାଙ୍କର ଖେଳ ପ୍ରତି ନିଷ୍ଠା, ନିରପେକ୍ଷତାକୁ ସ୍ବୀକୃତି ପ୍ରଦାନ କରିଛି। ସେ ନିଜର କ୍ୟାରିୟରରେ ସମ୍ପୂର୍ଣ୍ଣ ସର୍ମପଣ ଭାବ ସହ ବ୍ୟାଡ୍‌ମିଣ୍ଟନ୍‌ ଖେଳିଆସିଛନ୍ତି। ଆମ ଚାମ୍ପିଅନ୍ ଖେଳାଳିଙ୍କୁ ଏହି ବିଶ୍ୱସ୍ତରୀୟ ସମ୍ମାନ ପାଇଁ ମନୋନୀତ କରାଯାଇଥିବାରୁ ସଂଘ ଓ ସଂଘର ସଦସ୍ୟମାନେ ବେଶ୍ ଖୁସି ବୋଲି ସିଂଘାନିଆ କହିଛନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ହେଉଥିବା ଅନିୟମିତତା, ଦୁର୍ନୀତି ସମ୍ପର୍କରେ ଆଥଲେଟ୍, କୋଚ୍ ଓ ଅଫିସିଆଲ୍‌ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗତ ୨୦୧୮ରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ