କୋରୋନା ଉଜାଡ଼ୁଛି ଘର ପରିବାର

ସଚେତନତା ଜାରି, ହାରିବ କୋରୋନା ଜିତିବ ମାନବିକତା

ଦିଲ୍ଲୀ ଏମ୍ସର ନିର୍ଦେଶକ ରଣଦୀପ ଗୁଲେରିଆ ନେଉଛନ୍ତି କୋରୋନା ଟିକା
ରାଜ୍ୟ ଓ ଦେଶରେ ବଢ଼ିଚାଲିଛି କୋରୋନା ସଂକ୍ରମଣ। ଗାଁ ଓ ସହର, ଧନୀ ଓ ଗରିବ କାହାକୁ ବାଦ ଦେଉନି ଏହି ଭୂତାଣୁ। ନିଷ୍ଠୁର କୋରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଉଥବା ବେଳେ ଅନେକ ପରିବାର ନିଶ୍ଚିହ୍ନ ହେବା ଭଳି ଘଟଣା ସାମ୍ନାକୁ ଆସିଛି। ହେଲେ ଇତିମଧ୍ୟରେ ମହାମାରୀର ମୁକାବିଲା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ଜାରି ରହିଛି। ଟିକା ବି ଉପଲବ୍ଧ କରାଇବାକୁ ପ୍ରଚେଷ୍ଟା ଚାଲିଛି। ଦିନ ଆସିବ, ମହାମାରୀ କବଳରୁ ମୁକ୍ତ ହେବ ମଣିଷ। ଆମର ଆଶା ଓ ବିଶ୍ବାସ ଯେ ଦିନେ ନା ଦିନେ କୋରୋନା ହାରିବ ଆଉ ମାନବିକତା ଜିତିବ।

ଗୋଟିଏ ଗାଁରେ ୩୦ ମୃତ୍ୟୁ
ଉତ୍ତର ପ୍ରଦେଶର କାନପୁର ଠାରୁ ୫୦ କିମି ଦୂର ଘଟମପୁରର ପରାସ ଗାଁରେ କୋରୋନା ରଚିଛି ତାଣ୍ଡବ। ୧୦ ହଜାର ଜନସଂଖ୍ୟାର ଏହି ଗାଁରେ ମହାମାରୀର ଆତଙ୍କ ଗାଁକୁ ନିସ୍ତବ୍ଧ କରାଇ ଦେଇଛି। ବିଗତ ୧୫ ଦିନରେ ଗାଁର ୩୦ ଜଣଙ୍କ
ମୃତ୍ୟୁକୁ ନେଇ ଘର ଗୁଡ଼ିକରେ ତାଟି କବାଟ ପଡ଼ିଯାଇଛି। ଜ୍ବର ଓ ଶ୍ବାସକ୍ରିୟାରେ କଷ୍ଟ ପରେ ଏଭଳି ମୃତ୍ୟୁ ଘଟୁଥିବା କହନ୍ତି ଜଣେ ଗ୍ରାମବାସୀ।

ଶବ ସତ୍କାର କଲେ ବିଡିଓ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନମଣ୍ଡଳୀ ସମରଝୋଳ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ଡି ଗୋବିନ୍ଦଙ୍କ ମୃତ୍ୟୁ ଘଟିବା ପରେ ଆତ୍ମୀୟ ଓ ପଡ଼ୋଶୀ ଶବ ନିକଟକୁ ଆସି ନ ଥିଲେ। ଦୀର୍ଘ ୧୧ ଘଣ୍ଟା ଧରି ଶବ ପଡ଼ିରହିବା ପରେ ହିଞ୍ଜିଳି ବିଡିଓ ସୁବ୍ରତ କୁମାର ଜେନା, ଏନଏସି ଅଧିକାରୀ ମନୋରଞ୍ଜନ ସାହୁ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପିପିଇ କିଟ ପିନ୍ଧି ଆମ୍ବୁଲାନ୍ସରେ ଶବକୁ ନେଇ ସତ୍କାର କରାଇଥିଲେ। ପ୍ରଶାସନିକ ଅଧିକାରୀ ମାନଙ୍କୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି।

ନିଜଠୁ ନାତିକୁ ସଂକ୍ରମିତ ହେବ ବୋଲି ଜେଜେଙ୍କ ଆତ୍ମହତ୍ୟା
ରାଜସ୍ଥାନର କୋଟାରେ ରବିବାର ଘଟିଛି ଏକ ହୃଦୟବିଦାରକ ଦୃଶ୍ୟ। ୭୫ ବର୍ଷୀୟ ହୀରାଲାଲ ଓ ତାଙ୍କ ୭୦ ବର୍ଷୀୟ ପତ୍ନୀ ଶାନ୍ତି ବାଈ ନିଜର ୧୮ ବର୍ଷୀୟ ନାତି ଓ ବୋହୂଙ୍କ ସହିତ ଟପରୀ ଅଞ୍ଚଳରେ ରହୁଥିଲେ। ତାଙ୍କ ପୁଅ ୮ ବର୍ଷ ତଳେ ମୃତ୍ୟୁବରଣ କରିଥିବାରୁ ନାତି ନିକଟରେ ରହୁଥିଲେ ସେମାନେ। ହୀରାଲାଲ ଓ ଶାନ୍ତି ଗତ ଏପ୍ରିଲ ୨୯ରେ କୋରୋନା ସଂକ୍ରମିତ ହେବା ପରେ ସଙ୍ଗରୋଧରେ ଥିଲେ। ଉଭୟ ବାହାରକୁ ଯାଇ ରବିବାର ଭୋର ୪ଟା ପାଖାପାଖି ସମୟରେ ଚମ୍ବଲ ଓଭରବ୍ରିଜ ତଳେ ରେଳଧାରଣାରେ ମାଡ଼ିଆସୁଥିବା ଦିଲ୍ଲୀ-ମୁମ୍ବାଇ ଅପ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ନାତି ଓ ବୋହୂ ସଂକ୍ରମିତ ନ ହୁଅନ୍ତୁ ସେହି ଆଶଙ୍କାରେ ଏହି ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର ସହରରେ ଘଟିଛି ଏକ ଦୁଃଖଦାୟକ ଘଟଣା। ସହରର ସଦର ଥାନା ଅନ୍ତର୍ଗତ ସୌନ୍ଦର୍ଯ୍ୟ ବିହାର ଅଞ୍ଚଳରେ ରହୁଥିବା ହାଡ଼ିବନ୍ଧୁ ନାହାକ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମ୍‌ତ୍ୟୁ ପରେ ନିଜକୁ ସମ୍ଭାଳି ନ ପାରି ପତ୍ନୀ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ହାଡ଼ିବନ୍ଧୁ ନୀଳକଣ୍ଠନଗର ଶିଶୁମନ୍ଦିରରେ ଇଂରାଜୀ ଶିକ୍ଷକ ଭାବେ ନିୟୋଜିତ ଥିଲେ। ଗତ ବର୍ଷକ ତଳେ ତାଙ୍କର ଗୋଟିଏ କଲେଜ ପଢ଼ୁଆ ପୁଅ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ନବବିବାହିତ ଝିଅ ସ୍ବାମୀ ଠାରୁ ଅଲଗା ହୋଇ ବାପଘରକୁ ଫେରି ଆସି ହାଡ଼ବନ୍ଧୁଙ୍କ ପାଖରେ ରହୁଥିଲେ।

ଆତ୍ମହତ୍ୟା କଲେ ଦମ୍ପତି
କୋରୋନାର ଦ୍ବିତୀୟ ଲହରୀ ଅନେକ ପରିବାରକୁ ନିଶ୍ଚିହ୍ନ କରିଥିବା ବେଳେ ଅନେକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି। ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲା ରଙ୍କଦେଉଳି ପଞ୍ଚାୟତର ଗୋଡ଼ିପଡ଼ା ଗ୍ରାମରେ। କୋରୋନା ସଂକ୍ରମିତ ହୋଇଥିବା ନିଜର ଏକମାତ୍ର ପୁତ୍ରର ମିଥ୍ୟା ମ୍‌ତ୍ୟୁଖବର ଶୁଣି ଦୁଃଖରେ ଭାଙ୍ଗିପଡ଼ିଥିବା କୋରୋନା ପୀଡ଼ିତ ଭୀକାରି ପାତ୍ର ଓ ଜ୍ୟୋତ୍ସ୍ନା ପାତ୍ର ଏପ୍ରିଲ ୨୮ ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ। ପରେ ଜଣାପଡ଼ିଲା ଯେ ଯେଉଁ ପୁତ୍ରର ମ୍‌ତ୍ୟୁ ଖବର ପାଇ ସେମାନେ ଆତ୍ମହତ୍ୟା କରିଥିଲେ ସେହି ପୁତ୍ର ଏବେ ସୁସ୍ଥ ଅଛି। ପୁଅ ଡମ୍ବରୁଧର ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଗୁଜବ ଓ ମିଛ ଖବର ତାଙ୍କ ଠାରୁ ତାଙ୍କ ପିତାମାତାଙ୍କୁ ଦୂରେଇ ଦେଇଛି।

ଶାନ୍ତ ରହନ୍ତୁ ସକାରାତ୍ମକ ହୁଅନ୍ତୁ
କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଓ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଜାଣନ୍ତୁ, ହେଲେ ବ୍ୟଥିତ ହୁଅନ୍ତୁ ନାହିଁ। କାରଣ ଦେଶରେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ଅଧିକ। କୋରୋନା ବିରୋଧରେ ଲଢ଼ିବା ପାଇଁ ଦେଶ ପ୍ରସ୍ତୁତ ଓ ବିଶ୍ବବ୍ୟାପୀ ମିଳୁଛି ସହଯୋଗର ହାତ। ମହାମାରୀର ମୁକାବିଲା ପାଇଁ ଉପଲବ୍ଧ ହୋଇଛି ଟିକା। ଅଧିକ ଶୋକ ଓ ଦୁଃଖ ଭିତରେ ରହନ୍ତୁ ନାହିଁ। ନିଜକୁ କାମ ଭିତରେ ନିୟୋଜିତ ରଖନ୍ତୁ। ସକାରାତ୍ମକ ଦୃଷ୍ଟିଭଙ୍ଗୀରୁ ପ୍ରତ୍ୟେକଟି ପ୍ରସଙ୍ଗକୁ ବୁଝନ୍ତୁ। ଅତ୍ୟଧିକ ଖବର ଦେଖିବା ବଦଳରେ ଗୀତ ଶୁଣନ୍ତୁ। ଟିଭିରୁ ସିନେମା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖନ୍ତୁ। କୋଭିଡ ଯୋଦ୍ଧା ମାନଙ୍କ ନିଃସ୍ବାର୍ଥପର ସେବା ବାବଦରେ ଜାଣନ୍ତୁ। ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ