କୋରୋନା, ଲକଡାଉନ ଓ ସରକାରଙ୍କ ଉତ୍ତରଦାୟିତ୍ୱ


ପ୍ରତୀକାତ୍ମକ ଫଟୋ
କୋରୋନାର ଦ୍ୱିତୀୟ ଲହରୀ ଏବେ ସାରା ଦେଶ ପାଇଁ ଚିନ୍ତା ପାଲଟିଛି। ଗତ କିଛି ସପ୍ତାହ ଧରି ଦେଶ ଏବଂ ରାଜ୍ୟରେ କୋରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରବାସୀ ଶ୍ରମିକମାନେ ଏବେ ପୁଣିଥରେ ଜୀବିକା ଛାଡ଼ି ଜୀବନ ଭୟରେ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଲୋକମାନେ ନିଜ ଗାଁକୁ ଯିବା ପାଇଁ ରେଳ ଷ୍ଟେସନ ବାହାରେ ଡେରା ପକାଇବା ଆରମ୍ଭ କରିଛନ୍ତି। ଏଥି ସହିତ ଅନେକ ଶ୍ରମିକ ମଧ୍ୟ ବସ ଯୋଗେ ନିଜ ରାଜ୍ୟକୁ ଫେରିବାକୁ ଆରମ୍ଭ କଲେଣି। ଗତବର୍ଷ ପରି ରୋଜଗାର ଏବଂ ଖାଇବା ଚିନ୍ତା ଲୋକଙ୍କୁ ଘାରିଛି। ଏଣେ ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ଓଡ଼ିଶାରେ ୧୪ ଦିନିଆ ଲକଡାଉନ ମେ ୫ରୁ ୧୮ ଯାଏଁ କରାଯିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜରୁରୀ ସେବା ଗୁଡିକୁ ଛାଡିଦେଲେ ବସ ଚଳାଚଳ ବନ୍ଦ କରାଯିବ। ପନିପରିବା ଓ ଗ୍ରୋସରୀ କେବଳ ସକାଳ ବେଳା ମିଳିବ। ଲୋକେ ଚାଲି ଚାଲି ଯାଇ ସଂଗ୍ରହ କରିବେ। ଅଟୋ,ରିକ୍ସା, ହୋଟେଲ, ପାର୍କ, ମନ୍ଦିର, ମଲ ସବୁ ବନ୍ଦରହିବ। ବିବାହରେ ୫୦ ଓ ଶେଷକୃତ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ମିଳିବ। ସାମାଜିକ ସମାବେଶ, ଧାର୍ମିକ ପରମ୍ପରା ଉପରେ କଟକଣାରହିବ। ଏହାକୁ ବିଜେଡି ସମେତ କଂଗ୍ରେସ ସ୍ୱାଗତ କରିଛି। ଚାକିରିଆ ମାନଙ୍କ ପାଇଁ କୌଣସି ସମସ୍ୟା ହୋଇ ନ ପାରେ। କିନ୍ତୁ ହଜାର ହଜାର ଶ୍ରମିକ ଓ ଦିନମଜୁରିଆ ତଥା ବ୍ୟବସାୟ ପ୍ରତିଷ୍ଠାନରେ କାମ କରୁଥିବା କର୍ମଚାରୀମାନେ ଅଧିକ ଅସୁରକ୍ଷିତ ହୋଇପଡିବେ।

ଗତ ବର୍ଷ ହଠାତ୍ ଦେଶସାରା ଲକ୍‌ଡାଉନ୍ ଘୋଷଣା ହେବା ଯୋଗୁଁ ସବୁଠୁ ବେଶି ପ୍ରଭାବିତ ହୋଇଥିଲେ ପ୍ରବାସୀ ଶ୍ରମିକ। ଟ୍ରେନ୍‌, ବସ୍ ଚଳାଚଳ ବନ୍ଦ ହୋଇଯିବା ଦ୍ୱାରା ସେମାନେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିଲେ। ଅନେକ ଦିନ ଭୋକ ଉପାସରେ ସେମାନଙ୍କୁ ରହିବାକୁ ପଡିଥିଲା। ଅଧିକାଂଶ ଶ୍ରମିକ ବାଧ୍ୟ ହୋଇ ଚାଲି ଚାଲି ନିଜ ଭିଟାମାଟିକୁ ଯାଇଥିଲେ। ବାଟରେ ଅନେକଙ୍କ ମୃତ୍ୟୁ ହୋଇଥିଲା। ପ୍ରବାସୀ ଶ୍ରମିକଙ୍କ ଏଭଳି ଅକଥନୀୟ ଦୁର୍ଦ୍ଦଶା ପାଇଁ ସମାଲୋଚିତ ହୋଇଥିଲେ ସରକାର। ତେବେ ଗତ ବର୍ଷର ଅଭିଜ୍ଞତାକୁ ଲକ୍ଷରଖି ସରକାର ଯୁଦ୍ଧକାଳୀନ ଭିତିରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। କିନ୍ତୁ ଏବେ ଶ୍ରମିକ ମାନଙ୍କୁ ଧରି ଦୈନିକ ଅନେକ ଅନ୍ତଃରାଜ୍ୟ ବସ ଓଡିଶା ଆସୁଥିବା ବେଳେ ଏବେ ପୁଣି ଯେଉଁ କଟକଣା ଆରମ୍ଭ ହୋଇଯିବ ସେଥିରେ ସେମାନେ କିଭଳି ନିଜ ଗାଁ ମାଟିକୁ ଫେରିପାରିବେ, ତାର କୌଣସି ବ୍ୟବସ୍ଥା କରିନାହାନ୍ତି ସରକାର। ଲକଡାଉନ ଶେଷ ଅସ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିନ୍ତୁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଲକଡାଉନ ଘୋଷଣା କରି ଶେଷ ଅସ୍ତ୍ର ବୋଲି ହାତ ଟେକି ଦେଇଛନ୍ତି। ଏହା ଦ୍ବାରା ଅତି ଗରିବ ଶ୍ରମିକ ମାନଙ୍କ ପରିବାର ଚାଲିବ କିପରି ସେ ଯୋଜନା ସରକାର କରିନାହାନ୍ତି। ବିଶେଷକରି,ରାଜ୍ୟ ସରକାର ଗରିବ ଲୋକ ମାନଙ୍କର ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ହାତକୁ ନେବାର ଆବଶ୍ୟକତା ଅଛି। ଗତ ବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ମଧ୍ୟରେ ଓଡିଶାକୁ ୧୦ ଲକ୍ଷ ୭ ହଜାର ୩ ଶହ ୩୦ ଜଣ ପ୍ରବାସୀ ଫେରିଥିଲେ ବୋଲି ଓଡିଶା ସରକାର କହିଛନ୍ତି। ଯାହା, ପ୍ରଥମ କରି ପ୍ରବାସୀ ଶ୍ରମିକମାନଙ୍କ ଏକ ତଥ୍ୟ ଯୋଗାଡ ହୋଇପାରିଛି। ତେବେ କଟକଣା କୋହଳ ପରେ ଶ୍ରମିକ ଭିଟାମାଟି ଛାଡି ଅନ୍ୟରାଜ୍ୟକୁ ପଳାଇଥିବା ବେଳେ ସରକାରଙ୍କ ଦ୍ୱାରା ପଞ୍ଜୀକରଣ ହୋଇ ନ ଥିଲା ତେଣୁ ସେ ସମ୍ବନ୍ଧରେ ତଥ୍ୟ ହସ୍ତଗତ ହୋଇନାହିଁ।

ଆମ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ କାମ କରୁଛନ୍ତି, ସେହି ରାଜ୍ୟର ସରକାରମାନେ ସେମାନଙ୍କର ଖାଇବା, ରହିବା ଓ ସ୍ୱାସ୍ଥ୍ୟଗତ ଦିଗ ବିଷୟରେ ଦାୟିତ୍ୱ ନେବା ଆବଶ୍ୟକ। ଓଡିଶା ଆସିବା ପରିବର୍ତ୍ତେ ସେହି ରାଜ୍ୟରେ ଜାଗାରେ କିଭଳି ଭାବେ ନିରାପଦରେ ରହିବେ, ସେଥିପାଇଁ ଓଡିଶା ସରକାର ସେହି ରାଜ୍ୟ ସରକାର ମାନଙ୍କ ସହିତ ଆବଶ୍ୟକ ଯୋଗାଯୋଗ କରନ୍ତୁ। ତା ସହିତ, ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ମାନେ ଯଦି ଆସିବା ପାଇଁ ଚାହିଁବେ, ତାଙ୍କୁ ରାଜ୍ୟ ସରକାର ମାଗଣାରେ ବସ୍ ଏବଂରେଳ ବ୍ୟବସ୍ଥା ଯୋଗାଇବା ଉଚିତ୍।

ଗତବର୍ଷ ଲକଡାଉନ ସମୟରେ ରାଜ୍ୟର ଅନେକ ଆଦିବାସୀ ଓ ଦଳିତଙ୍କ ସମେତ ସାଧାରଣ ଜନଗଣ ଜୀବନ ଓ ଜୀବିକା ହରାଇଛନ୍ତି। ଆଦିବାସୀ ମାନଙ୍କର ଜୀବିକା କହିଲେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ। ସେଥିମଧ୍ୟରୁ ମହୁଲ ଫୁଲ, କେଦୁପତ୍ର ଅନ୍ୟତମ। ଗତବର୍ଷ ଲକଡାଉନ ଯୋଗୁଁ ବ୍ୟବସାୟୀ ଆସିଲେ ନାହିଁ। ଏହି ନିରୀହ ଆଦିବାସୀଙ୍କ ବର୍ଷକର ଜୀବିକା ବନ୍ଦ ହୋଇଗଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ସରକାର ପୁଣି ତାଲାଵନ୍ଦ ଘୋଷଣା କରିଛନ୍ତି। ଏ ପରିସ୍ଥିତିରେ ସରକାର ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍‌ (ଟିଡିସିସିଓଏଲ୍‌) ନୋଡାଲ୍‌ ଏଜେନ୍ସି ଭାବେ ଗ୍ରାମାଞ୍ଚଳରେ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ସଂଗ୍ରହକାରୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ ଯଥା ଶାଳ, ତେନ୍ତୁଳି,  ଚାର ମଞ୍ଜି, ଫୁଲ ଝାଡ଼ୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରିବା ନିଶ୍ଚିତ କରନ୍ତୁ।

ଗତ ବର୍ଷର ଲକଡାଉନ୍ ଏବଂ ମହାମାରୀ ହେତୁ ଦିନ ମଜୁରିଆଙ୍କର ସର୍ବାଧିକ କ୍ଷତି ହୋଇଛି। ତେଣୁ ସରକାର ତୁରନ୍ତ ବର୍ତ୍ତମାନର ଲକଡାଉନ ସମୟରେ ପ୍ରତ୍ୟେକ ପଞ୍ଜୀକୃତ ଶ୍ରମିକ, ଗରିବ ପରିବାର ଓ ପ୍ରବାସୀ ଶ୍ରମିକ ମାନକୁ ଅତି କମରେ ମାସିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ୍। କିଛି ଦିନ ତଳେ ଦିଲ୍ଲୀରେ ଥିବା ଆମ ଆଦମୀ ସରକାର ନିର୍ମାଣ ଶ୍ରମିକ ମାନଙ୍କୁ ମାସିକ ୫୦୦୦ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ଯଦି ଜଣେ ଶ୍ରମିକ ତାଙ୍କ ପଞ୍ଜୀକରଣର ନବୀକରଣ କରିନାହାନ୍ତି, ତଥାପି ତାଙ୍କୁ ସହାୟତା ପ୍ରଦାନ କରାଯିବା ଉଚିତ।

କୋଭିଡ୍ ସଙ୍କଟ ସମୟରେ ସାର୍ବଜନୀନ ବିତରଣ ବ୍ୟବସ୍ଥା (ପିଡିଏସ୍) ପରି ସାମାଜିକ ସୁରକ୍ଷା ଯୋଜନା ଉପରେ ଗରିବ ଲୋକଙ୍କ ନିର୍ଭରଶୀଳତା ବ୍‌ଦ୍ଧି ପାଇଛି। ଗତ ବର୍ଷ ଭଳି ବାର୍ଦ୍ଧକ୍ୟ ଭତ୍ତା, ଭିନକ୍ଷମ ଭତ୍ତା ଆଗାମୀ ତିନି ମାସ ପାଇଁ ଅଗ୍ରୀମ ଦିଆଯାଉ। ଓଡ଼ିଶାରେ ୨୦୧୧ ଜନଗଣନା ଅନୁଯାୟୀ ୭୮ ପ୍ରତିଶତ ଜନସଂଖ୍ୟା ପିଡିଏସ୍ ଅଧୀନରେ ଅନ୍ତର୍ଭୁକ୍ତ। ତେଣୁ ମହିଳା ସଦସ୍ୟ ବିଶେଷକରି ନୂଆ କରି ବିବାହ କରିଥିବା ମହିଳା ମାନଙ୍କର ନାମକୁ ଶାଶୁ ଘର ଅଞ୍ଚଳରେ ସାମିଲ କରାଯାଉ i ଏମାନଙ୍କ ସମେତ ଅଧିକାଂଶ ଶ୍ରମିକ ଶ୍ରେଣୀ ଏବଂ ଗରିବ ପରିବାର ପିଡିଏସ ଦ୍ୱାରା ଅନ୍ତର୍ଭୁକ୍ତ ହେବା ଉଚିତ୍। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ଅନେକ ଆଧାର ସମ୍ବନ୍ଧୀୟ ସମସ୍ୟା ହେତୁ ଏହି ଯୋଜନାଗୁଡିକରେ ପ୍ରବେଶ କରିବାରେ ଅସୁବିଧା ଭୋଗୁଛନ୍ତି। ଏତଦବ୍ୟତୀତ ପ୍ରତ୍ୟେକ ଅଣରାସନ କାର୍ଡଧାରକଙ୍କୁ ରାସନ ବଣ୍ଟନ କରାଯାଉ। ଏହି ସହାୟତା କେବଳ ମହିଳାଙ୍କ ଆକାଉଣ୍ଟ ମାଧ୍ୟମରେ ଦିଆଯିବା ଉଚିତ୍। ଅଧିକ ସଂକ୍ରମିତ ଜ଼ିଲ୍ଲାରେ ଗତ ଥର ଭଳି ରନ୍ଧାଖାଦ୍ୟ ଲୋକ ମାନଙ୍କୁ ଦିଆଯାଉ। ଅନ୍ତତଃ ଆଗାମୀ ତିନି ମାସ ପାଇଁ ଗରିବ ପରିବାର ମାନଙ୍କୁ ସମସ୍ତଙ୍କୁ ଅନ୍ତୋଦୟ ଯୋଯନାରେ ୩୫ କିଲୋ ଚାଉଳ ସହିତ ୨ କେଜି ଡାଲି ଓ ୨ ଲିଟର ଖାଇବା ତେଲ ଦିଆଯାଉ। ଜଳ ଏବଂ ବିଦ୍ୟୁତ୍ ବିଲ୍ ସମ୍ପୂର୍ଣ୍ଣ ଛାଡ କରାଯାଉ। ପ୍ରତ୍ୟେକ ପରିବାରକୁ ମାଗଣାରେ ଏକ ଗ୍ୟାସ ସିଲିଣ୍ଡର ଦିଆଯାଉ। ଗରିବ ମହିଳା ଓ କିଶୋରୀ ମାନଙ୍କ ପାଇଁ ମାଗଣା ବା ରିହାତି ମୂଲ୍ୟରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉ।

ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ହେବା ଉଚିତ। ମନରେଗା ଯୋଜନା ଅଧୀନରେ ଅତି କମରେ ୨୦୦ ଦିନର ନିଯୁକ୍ତି ଦିଆଯିବା ଉଚିତ୍। ମନରେଗା ସହିତ ରାଜ୍ୟ ସରକାରଙ୍କର ନିଜସ୍ବ ଯୋଜନା ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଗରିବ ଲୋକଙ୍କୁ ବ୍ୟାପକ କାମ ଯୋଗାଇ ଦେବା ଉଚିତ। ଛତିଶଗଡକୁ ଲାଗି ଆମ ଜ଼ିଲ୍ଲା ଯଥା ନୂଆପଡା, ବରଗଡ, ସୁନ୍ଦରଗଡ ଅଞ୍ଚଳ ଯେଉଁଠି କୋରୋନା ସଂକ୍ରମଣ ସଂଖ୍ୟା ଅଧିକ,  ସେଠାରେ ମନରେଗା ଯୋଜନା ଅନୁସାରେ ଲୋକମାନକୁ କାମ ଦେବା ସହିତ ସେହି ଦିନ ହିଁ ମଜୁରି ଦେବା ପାଇଁ ବ୍ୟବସ୍ଥା କରାଯାଉ।  

ଘରୋଇ ବିଦ୍ୟାଳୟ ଗୁଡ଼ିକୁ ବର୍ତ୍ତମାନ ଶୁଳ୍କ ବୃଦ୍ଧି ନ କରିବାକୁ ନିର୍ଦେଶ ଦିଆଯିବା ଉଦେ। ଯେତେବେଳେ ଶିକ୍ଷା ଅନଲାଇନ୍ ପଦ୍ଧତି ମାଧ୍ୟମରେ ଚାଲୁଛି, ଅତି କମରେ ୨୦ ପ୍ରତିଶତ ଶୁଳ୍କ ଛାଡ କରାଯିବା ଉଚିତ୍। ପ୍ରତ୍ୟେକ ଗରିବ ପରିବାରକୁ ଏକ ମୋବାଇଲ ଦିଆଯିବା ଉଚିତ ଯଦ୍ୱାରା ପିଲାମାନେ ଅନଲାଇନ୍ କ୍ଲାସରେ ଯୋଗ ଦେଇପାରିବେ। ଏହା ସହିତ ସରକାର ମାଗଣା ୱାଇଫାଇ ଏବଂ ଇଣ୍ଟରନେଟ ସଂଯୋଗ ସୁନିଶ୍ଚିତ କରିବା ଉଚିତ। ୟୁନେସ୍କୋ ଏବଂ ଅନ୍ୟ ଆନ୍ତର୍ଜାତୀୟ ସଂଗଠନଗୁଡିକ ଏହି ସମ୍ବନ୍ଧରେ ମଡେଲ୍ ନିର୍ଦେଶାବଳି ଜାରି କରିଛନ୍ତି ଏବଂ ସେମାନଙ୍କର ବୈଷୟିକ ଏବଂ ଆର୍ଥିକ ସହାୟତା ନିଆଯାଇପାରିବ।

ଏହି ସବୁ ସୁବିଧା ଦେବା ପାଇଁ ଓଡିଶା ସରକାରଙ୍କର ଅର୍ଥର ଆବଶ୍ୟକତା ଅଛି। ତେଣୁ ରାଜ୍ୟ ସରକାର ଅର୍ଥନୈତିକ ପାଣ୍ଠି ଯୋଗାଡ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବା ଉଚିତ୍। ଏପ୍ରିଲ ୨୦୨୦ରେ ଏକ କମିଟି ଦ୍ୱାରା ଅତି ଧନୀକ ଶ୍ରେଣୀଙ୍କ ଉପରେ ଅଧିକ ୧୦ ପ୍ରତିଶତ ଟିକସ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଏକ ଯଥାର୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଥିଲା। ତାକୁ କାର୍ଯ୍ୟକାରୀ କରାଯାଉ ଯଦ୍ୱାରା ଏହି ସଙ୍କଟ ସମୟରେ ପ୍ରତ୍ୟେକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିବ। ଓଡ଼ିଶାରେ ଜଙ୍ଗଲ ଜମି ସ୍ଥାନାନ୍ତର ପାଇଁ କ୍ଷତିପୂରଣ ଜଙ୍ଗଲ ପାଣ୍ଠି ( କାମ୍ପା ) ପାଇଁ ନିଆଯାଇଥିବା ସମସ୍ତ ଅର୍ଥ ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ଫେରସ୍ତ କରାଯିବା ଉଚିତ୍। ଏହି ସମୟରେ ଅଭୟାରଣ୍ୟ ଓ ପ୍ରକଳ୍ପ ପାଇଁ ଆଦିବାସୀ ମାନଙ୍କୁ ବାସଚ୍ୟୁତ କରିବା ଅନ୍ୟାୟ। ଆଦିବାସୀ ଅଞ୍ଚଳରେ ଡିଏମଏଫ ପାଣ୍ଠିକୁ ଲୋକମାନଙ୍କର ଜୀବିକା ବୃଦ୍ଧି ଉଦ୍ଦେଶ୍ୟରେ ଖର୍ଚ୍ଚ କରି ଏହାର ସାମାଜିକ ସମୀକ୍ଷା କରାଯାଉ। ଜିଏସଟି ନିୟମ ଅନୁଯାୟୀ, ଜିଏସଟି ଦ୍ୱାରା ନିଆଯାଇଥିବା ରାଜସ୍ୱ ପରିମାଣ ରାଜ୍ୟର ଏକ ଅଂଶ, ତେଣୁ କେନ୍ଦ୍ର ସରକାର ଠାରୁରାଜ୍ୟର ଅଂଶ ସହିତ ଅଧିକ ଅର୍ଥ ଦାବି କରାଯାଉ। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାରଙ୍କର ଅଧିକ ଦାୟିତ୍ୱ ଥିବାରୁ, କେନ୍ଦ୍ର ସରକାର ମଧ୍ୟରାଜ୍ୟ ମାନଙ୍କୁ ଅଧିକ ସହାୟତା ଦେବା ଆବଶ୍ୟକ।

କୋରୋନାର ଏହି ଦ୍ୱିତୀୟ ଲହରୀରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରାମିତଙ୍କ ସଂଖ୍ୟା ସହରରେ ଅଧିକ ଅଛି। ତେବେ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଅଧିକ ହେବାର ଆଶଙ୍କା ଅଛି। କାରଣ ଲୋକମାନେ ଗ୍ରାମକୁ ଫେରିବା ଆରମ୍ଭ କଲେଣି। ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମିକୁ ସଜାଡ଼ିବାର ଆବଶ୍ୟକତା ଅଛି ନଚେତ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହୋଇପାରେ। ତେଣୁ ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ସମାଜରେ ଭାଇଚାରା ଓ ସରକାରଙ୍କର ଉତ୍ତରଦାୟିତ୍ୱ ହିଁ ଆଜିର ଆବଶ୍ୟକତା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ