କୋରୋନା କାଳରେ ବିଶ୍ୱ ସହଯୋଗ ଓ ଟିକା ସଙ୍କଟ


ପ୍ରତୀକାତ୍ମକ ଫଟୋ
ଗତବର୍ଷ ଭାରତ ବିଶ୍ୱର ୪୫ଟି ଦେଶକୁ କୋରୋନା ଲଢେଇ ପାଇଁ ସହାୟତା କରିଥିବା ବେଳେ ଏବେ ଭାରତକୁ ବିଶ୍ୱର ୩୦ ପାଖାପାଖି ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଏହି କ୍ରମରେ ଭାରତ ଆଜି ଆଉ ଏକ ଅସ୍ତ୍ର ପାଇଛି। ଶନିବାର ରୁଷିଆ ନିର୍ମିତ କୋରୋନା ଟିକା ସ୍ପୁଟନିକ-ଭିର ପ୍ରଥମ ସ୍ଲଟ ଋଷିଆରୁ ଆସି ଭାରତରେ ପହଞ୍ଚିଛି। ଏହି ଟିକା  ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଟିକା ଆସିବ। କୁହାଯାଉଛି ଯେ ଭାରତରେ ନିର୍ମିତ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ କୋରୋନା ବିରୋଧରେ ସେମାନଙ୍କ ଲଢେଇ ଜାରି ରଖିଥିବାବେଳେ ସ୍ପୁଟନିକ୍-ଭି ମିଳିବା ପରେ ଭାରତରେ ଟିକାକରଣ ଦ୍ରୁତ ଗତିରେ ବଢିଚାଲିବ। ସୂଚନାଯୋଗ୍ୟ, ସ୍ପୁଟନିକ-ଭି ଟିକାକୁ ଗାମାଲାୟା ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା ବିକଶିତ କରାଯାଇଛି। ପୂର୍ବରୁ ମହମାରୀର ମୁକାବିଲା ନିମନ୍ତେ ଚୀନ, ଅଷ୍ଟ୍ରେଲିଆ, ଜର୍ମାନୀ, ରୁଷ, ଫ୍ରାନ୍ସ, ୟୁଏଇ, ବ୍ରିଟେନ ଓ ଆମେରିକା ପକ୍ଷରୁ ସହାୟତା ମିଳିଛି। ବିଭିନ୍ନ ଦେଶରୁ ଆବଶ୍ୟକୀୟ ମେଡ଼ିକାଲ ଉପକରଣ ଗୁଡିକ କୋଭିଡ ମୁକାବିଲାରେ ଭାରତକୁ ଶକ୍ତିଶାଳୀ କରାଇଛି।

ହାତ ବଢାଇଲେ ୪୦ କମ୍ପାନୀ
ଭାରତରେ ରୁଷ ନିର୍ମିତ ଟିକା ପହଞ୍ଚିବା ପୂର୍ବରୁ ଦୁବାଇର ୧୭ଟି ଅମ୍ଳଜାନ କଣ୍ଟେନର ଭାରତରେ ପହଞ୍ଚି ବ୍ୟବହାରରେ ତୁରନ୍ତ ଲାଗିଛି। ବ୍ରିଟେନ ପଠାଇଥିବା ୧୦୦ ଭେଣ୍ଟିଲେଟର ଓ ୯୫ ଅମ୍ଳଜାନ ସାନ୍ଧ୍ରକ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବ୍ୟବହାରରେ ଲଗାଯାଇଛି। ଫ୍ରାନ୍ସ ୮ଟି ବଡ଼ ଅମ୍ଳଜାନ କେନ୍ଦ୍ର, ତରଳ ଅମ୍ଳଜାନ ୨୮ଟି ଶ୍ବାସତନ୍ତ୍ର ଓ ୨୦୦ ବୈଦ୍ୟୁତିକ ସିରିଞ୍ଜ ପଠାଇଥିବା ଜଣାଯାଇଛି।  ବିଭିନ୍ନ ଦେଶ ବିପୁଳ ସଂଖ୍ୟକ ମାସ୍କ ସମେତ ଅନ୍ୟ ମେଡ଼ିକାଲ ସରଞ୍ଜାମ ଭାରତକୁ ପଠାଇ ସାରା ବିଶ୍ୱ ବିପଦ ବେଳେ ଗୋଟିଏ ପରିବାରର ମହତ୍ୱକୁ ପ୍ରତିପାଦିତ କରିଛନ୍ତି। ଆମେରିକାର ୪୦ଟି ବଡ଼ କମ୍ପାନୀ ଭାରତରେ ମହାମାରୀର ମୁକାବିଲା ପାଇଁ ବିପୁଳ ସହାୟତା ଘୋଷଣା କରିଛନ୍ତି। ପୂର୍ବରୁ ଗୁଗଲ ୧୩୫ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ଏଥିରେ ଅନ୍ୟ ସଫ୍ଟୱେର କମ୍ପାନୀ ଗୁଡିକ ସହଯୋଗ କରିଛନ୍ତି।

ତୃତୀୟ ପର୍ଯ୍ୟାୟ ଟିକା ପାଇଁ ସମସ୍ୟା
ମେ' ୧ ତାରିଖ ଠାରୁ ୧୮ରୁ ୪୫ ବର୍ଷ ବର୍ଗର ସମସ୍ତଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର। ଆଗରୁ ଲିଙ୍କ ଶେୟାର କରାଯାଇଥିଲା। କୁହାଯାଇଥିଲା ନାମ ପଞ୍ଜୀକରଣ କରି ସ୍ଲଟ ପାଇଥିବା ଲୋକେ ହିଁ କେନ୍ଦ୍ରକୁ ଯାଇ ଟିକାକରଣ କରିପାରିବେ। ସେହି ଅନୁସାରେ ଆଜି ଏହି ବର୍ଗର ବ୍ୟକ୍ତିମାନେ ସକାଳୁ ଦିନସାରା ମୋବାଇଲ ଓ କମ୍ପ୍ୟୁଟରରେ ଲିଙ୍କ ଖୋଲିବାର ପ୍ରୟାସ କରିଚାଲିଥିଲେ। କିନ୍ତୁ ଏହି ବର୍ଗର ଲୋକଙ୍କ ପଞ୍ଜୀକରଣ ସ୍ତମ୍ଭ ହିଁ ଜମା ଆସୁ ନ ଥିଲା। ବିଏମସି କମିଶନର ପ୍ରେମଚନ୍ଦ୍ର ଚୋଧୁରୀ ଶେଷରେ ସୂଚନା ଦେଲେ ଯେ ସନ୍ଧ୍ୟାରେ ପଞ୍ଜୀକରଣ ହେବ। ତେବେ ଅନେକଙ୍କୁ ନିରାଶ ହେବାକୁ ପଡିଛି। ଆସନ୍ତା ମେ' ଶେଷ ପର୍ଯ୍ୟନ୍ତ ସ୍ଲଟ ଖାଲିନାହିଁ। ଏହାର ଅର୍ଥ ଇଞ୍ଜେକସନ ମହଜୁଦ ନ କରି ସରକାର ମିଥ୍ୟା ସୂଚନା ଦେଇ ବିଭ୍ରାନ୍ତ କରିଛନ୍ତି। ଟିକାର ପଞ୍ଜୀକରଣ ହୋଇପାରୁ ନ ଥିବାରୁ ଏହାର ସୁଯୋଗ ଦଲାଲମାନେ ନେଇ ପାରନ୍ତି। ତେଣୁ ସରକାର ତୁରନ୍ତ ଟିକା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାର ଆଵଶ୍ୟକତା ରହିଛି। ମେ' ପହିଲାରୁ ସାବାଳକମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେଉଥିବା ବେଳେ ରାଜ୍ୟ ସରକାରମାନେ ଆବଶ୍ୟକ ଟିକାକୁ ନିର୍ମାତାଙ୍କ ଠାରୁ ସିଧାସଳଖ କିଣିବେ ବୋଲି କୁହାଯାଇଛି। ସୁତରାଂ ବାନ୍ଧିହୋଇ ପଡ଼ିଥିବା ସାମ୍ପ୍ରତିକ ବଜାରରେ ଟିକା ପାଇଁ ବିକଳ ହୋଇ ଏକ ଅସମ୍ଭବ ଭିଡ଼ ଲାଗିବା ନିଶ୍ଚିତ। ଟିକାର ମୂଲ୍ୟ, ସଂଗ୍ରହ, ଯୋଗ୍ୟତା ଏବଂ ପରିଚାଳନାକୁ ସରକାର ମୁକ୍ତ ଓ ଅବାଧ କରିଦେଇଛନ୍ତି ବୋଲି କହିଛନ୍ତି। ବିଶ୍ବର ବୃହତ୍ତମ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କୁ ଧାରଣ କରି ସୁଦ୍ଧା ଭାରତ ଏବେ ପ୍ରମୁଖ ସଂକ୍ରମଣର ହବ ପାଲଟିଛି। ରାଜ୍ୟ ସରକାର ଗୁଡିକ ନିଜ ରାଜ୍ୟବାସୀଙ୍କୁ ମାଗଣାରେ ଟିକା ବାଣ୍ଟିବାର ଆଶ୍ୱାସନା ଶୁଣାଇ ଏବେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଏଥିରେ ପେଶି ହେଉଛନ୍ତି ଜନତା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ