ନୋଏଡାରେ ଅଭାବନୀୟ ଦୃଶ୍ୟ: କାହାକୁ ଶୁଭିଲାନି ରୋଗୀର ଆର୍ତ୍ତଚିତ୍କାର, ୩ ଘଣ୍ଟା ପଡ଼ିରହିଲା ଶବ


ଗ୍ରେଟର୍ ନୋଏଡାସ୍ଥିତ ଗିମ୍ସର ପାର୍କିଂ ସ୍ଥଳରେ ରହିଥିବା କାର୍ ଭିତରେ ମହିଳା କୋଭିଡ୍ ରୋଗୀଙ୍କ ମୃତ୍ୟୁ
ଗୋଟିଏ ପଟେ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସକାଶେ ଶଯ୍ୟାର କୌଣସି ଅଭାବ ନାହିଁ ବୋଲି ବାହାସ୍ଫୋଟ ମାରୁଥିଲେ ମଧ୍ୟ ଅନ୍ୟ ପଟେ ଗ୍ରାଉଣ୍ଡ ଜିରୋରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭିନ୍ନ ବୋଲି ଶନିବାର ଘଟିଥିବା ଏକ ଅଭାବନୀୟ ଘଟଣା ସରକାରଙ୍କ ଏପରି ବାହାଦୁରୀକୁ ପଦାରେ ପକାଇ ଦେଇଛି। ଗ୍ରେଟର୍ ନୋଏଡାର ଏକ ହସ୍ପିଟାଲ ବାହାରେ ଜଣେ କୋଭିଡ୍ ରୋଗୀ କାରରେ ଆସି ପହଞ୍ଚିବା ପରେ ଶଯ୍ୟା ପାଇଁ ତାଙ୍କର ସମ୍ପର୍କୀୟମାନେ ନେହୁରା ହୋଇଥିଲେ। କିନ୍ତୁ ସେମାନଙ୍କ ଆର୍ତ୍ତଚିତ୍କାର କାହାରିକୁ ବି ଶୁଭି ନ ଥିଲା। ଶେଷରେ ଉକ୍ତ ମହିଳା କୋଭିଡ୍ ରୋଗୀ ଜଣକ କାର୍ ଭିତରେ ହିଁ ପ୍ରାଣତ୍ୟାଗ କରିଥିଲେ। ଅଧିକନ୍ତୁ ଜୀବନ ବଞ୍ଚାଇବାରେ ଅକ୍ଷମ ହୋଇଥିବା ଉକ୍ତ ହସ୍ପିଟାଲ୍ ତୁରନ୍ତ ଦାହସଂସ୍କାର ବ୍ୟବସ୍ଥା ନ କରିବା ଫଳରେ ଉକ୍ତ କାରରେ ଶବ ପାଖାପାଖି ୩ ଘଣ୍ଟା ଧରି ପଡ଼ିରହିଥିଲା। ଏହି ଅଭାବନୀୟ ଦୃଶ୍ୟଟି ଗ୍ରେଟର୍ ନୋଏଡାସ୍ଥିତ ସରକାରୀ ଭେଷଜ ପ୍ରତିଷ୍ଠାନ ବା ଗିମ୍ସରେ ଘଟିଛି। ଡାକ୍ତରମାନଙ୍କ ଅବହେଳାରୁ ପ୍ରାଣ ହରାଇଥିବା ଉକ୍ତ କୋଭିଡ୍ ସଂକ୍ରମିତ ଜଣକ ଗ୍ରେଟର୍ ନୋଏଡାରେ ଇଞ୍ଜିନିୟର୍ ଭାବେ କାର୍ଯ୍ୟ କରୁଥିବା ଜାଗୃତି ଗୁପ୍ତା ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସ୍ବାମୀ ଓ ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି।

ଜାଗୃତି ଉକ୍ତ ହସ୍ପିଟାଲ୍ ବାହାରେ କାର୍ ଯୋଗେ ତାଙ୍କ ସମ୍ପର୍କୀୟଙ୍କ ସହ ପହଞ୍ଚିବା ପରେ ସେମାନେ ହସ୍ପିଟାଲ୍ କର୍ତ୍ତ୍‌ପକ୍ଷଙ୍କୁ ତୁରନ୍ତ ଶଯ୍ୟା ସହ ଅକ୍ସିଜେନ୍ ଯୋଗାଇ ଦେବାକୁ ନେହୁରା ହୋଇଥିଲେ। କିନ୍ତୁ ସେତେବେଳେ ହସ୍ପିଟାଲରେ କୌଣସି ଶଯ୍ୟା ମହଜୁଦ ନ ଥିବା ହସ୍ପିଟାଲ୍ କର୍ତ୍ତ୍‌ପକ୍ଷ କହିବା ସହ ଜାଗୃତିକୁ ଅକ୍ସିଜେନ୍ ଯୋଗାଇବାରେ ମଧ୍ୟ ହେଳା କରିଥିଲେ। ଯଥେଷ୍ଟ ବିଳମ୍ବରେ ପାର୍କିଂ ସ୍ଥଳରେ ଡାକ୍ତରମାନେ ଜାଗୃତିଙ୍କ ନିକଟରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ସେମାନେ ଘୋଷଣା କରିଥିଲେ। ଏହାପରେ ବି ହସ୍ପିଟାଲ୍ କର୍ତ୍ତ୍‌ପକ୍ଷଙ୍କ ଦାୟିତ୍ବହୀନତାରେ ପୂର୍ଣ୍ଣଚ୍ଛେଦ ପଡ଼ି ନ ଥିଲା। କାରଣ ହସ୍ପିଟାଲ୍ କର୍ତ୍ତ୍‌ପକ୍ଷ ଶବକୁ ଶବାଗାରକୁ ନେଇ ଦାହସଂସ୍କାର ବ୍ୟବସ୍ଥା ନ କରି କାର୍ ଭିତରେ ହିଁ ଶବ ଛାଡ଼ି ଚାଲିଯାଇଥିଲେ। ଏହାପରେ ଶେଷରେ ମୃତ୍ୟୁବରଣ କରିବାର ପାଖାପାଖି ୩ ଘଣ୍ଟା ପରେ ଜାଗୃତିଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହା ଦେଶର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୁଣିଥରେ ଉଜାଗର କରିଛି। ଗ୍ରେଟର୍ ନୋଏଡାର ଏକାଧିକ ହସ୍ପିଟାଲରେ ଶଯ୍ୟା ବାକି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିନ୍ତୁ ଏହାକୁ ମାନିବାକୁ ଅରାଜି। ସେହିପରି ଉତ୍ତର ପ୍ରଦେଶ ମଧ୍ୟ ଦେଶର ଅନ୍ୟତମ ରାଜ୍ୟ ଯେଉଁଠି କୋଭିଡ ସଂକ୍ରମଣର ଦ୍ବିତୀୟ ଲହରୀ ରେକର୍ଡ ଭାଙ୍ଗିଚାଲିଛି। ସେହିପରି ନୋଏଡା ମଧ୍ୟ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା, ଯେଉଁଠାରେ ଗତ ୨୪ ଘଣ୍ଟାରେ ୮ ହଜାର ୨ ଶହରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଥିବା ବେଳେ ୨୧୨ ଜଣଙ୍କର ପ୍ରାଣହାନୀ ଘଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ