ସଫଳତା ସଂଯୋଗ ନୁହେଁ, ଏଥିପାଇଁ ସମର୍ପଣ ଲୋଡ଼ା

କୋରୋନା ଆକ୍ରାନ୍ତ ଛାତ୍ରଙ୍କ ହସ୍ପିଟାଲରେ ସିଏ ପରୀକ୍ଷା ପ୍ରସ୍ତୁତି ଅନେକଙ୍କ ପାଇଁ ଉଦାହରଣ

ବ୍ରହ୍ମପୁରସ୍ଥିତ ଏମକେସିଜି ହସ୍ପିଟାଲର କୋଭିଡ ୱାର୍ଡରେ ସିଏ ପ୍ରସ୍ତୁତି ଚଳାଇଥିବା ଛାତ୍ର ଜଣକ ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଉଛନ୍ତି
ସାରା ବିଶ୍ବ ଉପରେ ଘୋଟିଛି ମହାମାରୀ କୋରୋନାର କଳା ବାଦଲ। ଏଥିରେ ଭାରତ କି ଓଡ଼ିଶା, କିଛି ବି ବାଦ ଯାଇନି। ବିଶେଷକରି କୋରୋନାର ଦ୍ବିତୀୟ ଲହରୀ ମୁଣ୍ଡବିନ୍ଧାର କାରଣ ହୋଇଛି। କାରଣ ପ୍ରତିଷେଧକ ଟିକା ବ୍ୟବସ୍ଥା ହେବା ସତ୍ତ୍ବେ ଏହା କ୍ଷୀପ୍ର ଗତିରେ ବଢ଼ୁଥିବା ସହିତ ଯୁବପିଢ଼ିଙ୍କୁ ମଧ୍ୟ ଆକ୍ରାନ୍ତ କରିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସୁଛି, ଯାହା ଶଙ୍କିତ ପ୍ରାଣରେ ପ୍ରେରଣା ଓ ଶକ୍ତି ଭରିଦେବା ସହ ନୂତନ ଆଶା ସଞ୍ଚାର କରୁଛି। ତନ୍ମଧ୍ୟରୁ ଗୋଟିଏ ଏଭଳି ଦୃଶ୍ୟ ହେଉଛି ଓଡ଼ିଶାର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲ ଶଯ୍ୟାରେ କୋରୋନା ଆକ୍ରାନ୍ତ ଛାତ୍ରଙ୍କ ଚାର୍ଟାର୍ଡ ଆକାଉଣ୍ଟାନସି (ସିଏ) ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି। ହସ୍ପିଟାଲରେ ଏଭଳି ଦୃଶ୍ୟ ଦେଖିବା ମାତ୍ରେ ଛାତ୍ରଙ୍କ ଉଦ୍ୟମକୁ ପ୍ରଶଂସା ନ କରି ରହିପାରିନାହାନ୍ତି ଗଞ୍ଜାମର ଜିଲା ମାଜିଷ୍ଟ୍ରେଟ ତଥା ଜିଲାପାଳ ବିଜୟ କୁଲାଙ୍ଗେ। ଖାଲି ଏତିକି ନୁହେଁ, ଛାତ୍ରଙ୍କ ଏହି ପ୍ରସ୍ତୁତି ବେଳର ଫଟୋକୁ ସେ ନିଜ କ୍ୟାମେରାରେ କଏଦ କରିବା ସହ ସୋସାଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ ପୋଷ୍ଟ କରିଛନ୍ତି। ଏହା ଏବେ ଜଙ୍ଗଲୀ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି।

ସ୍ତବ୍ଧ ହୋଇଗଲେ ଜିଲା ମାଜିଷ୍ଟ୍ରେଟ
ମହାମାରୀ କୋରୋନା କାଳରେ ଜନସାଧାରଣଙ୍କୁ ଚିନ୍ତା ଓ ବିଷାଦ ଗ୍ରାସ କରିଥିବା ବେଳେ ଦେଖିବାକୁ ମିଳିଛି ଆଖି ଖୋସି ହୋଇଗଲା ଭଳି ଦୃଶ୍ୟ। ଓଡ଼ିଶାର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡ-୧୯ ୱାର୍ଡ। ଜଣେ ଆକ୍ରାନ୍ତଙ୍କ ଶଯ୍ୟାରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି ବହିପତ୍ର ଓ କାଲକୁଲେଟର। ଆକ୍ରାନ୍ତ ଛାତ୍ରଜଣକ ଚଷମା ଓ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ଲାଗିଛନ୍ତି ପ୍ରସ୍ତୁତିରେ। ବୁଝୁ ବୁଝୁ ସେ ସିଏ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ଏଥିରେ କୋରୋନାର ଭୟ ସଞ୍ଚାର କରୁଥିବା ପରିବେଶ ତାଙ୍କ ପାଇଁ ବାଧକ ସାଜିପାରିନି। ଏହା ଦେଖିବା କ୍ଷଣି ଘଡ଼ିଏ ସ୍ତବ୍ଧ ହୋଇ ରହିଗଲେ ଗଞ୍ଜାମ ଜିଲା ମାଜିଷ୍ଟ୍ରେଟ ତଥା ଜିଲାପାଳ ବିଜୟ କୁଲାଙ୍ଗେ। ଛାତ୍ର ଜଣକ ପିପିଇ କିଟ ପରିଧାନ କରିଥିବା ୩ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ସହ ବାର୍ତ୍ତାଳାପ କରୁଥିବା ବେଳେ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ ଜିଲାପାଳ କୁଲାଙ୍ଗେ।

ସୋସାଲ ମିଡିଆରେ ଭାଇରାଲ
ପରବର୍ତ୍ତୀ ସମୟରେ ଜିଲାପାଳ ଏହାକୁ ଟ୍ବିଟରରେ ଶେୟାର କରିବା ସହ ଛାତ୍ରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ଆଉ ଲେଖିଛନ୍ତି, ସଫଳତା ସଂଯୋଗ ନୁହେଁ, ଏଥିପାଇଁ ସମର୍ପଣ ଲୋଡ଼ା। କୁଲାଙ୍ଗେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ କୋଭିଡ ହସ୍ପିଟାଲ ପରିଦର୍ଶନ କରୁଥିବା ସମୟରେ ଏହି ଛାତ୍ରଙ୍କୁ ସିଏ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ପାଇଲି। ତୁମର ସମର୍ପଣ ମନୋଭାବ ହିଁ ଯନ୍ତ୍ରଣାକୁ ଭୁଲିଯିବା ପାଇଁ ତୁମକୁ ସାହାଯ୍ୟ କରେ। ଏହାପରେ ସଫଳତା କେବଳ ଏକ ଔପଚାରିକତା ହୋଇ ରହିଯାଏ। କୁଲାଙ୍ଗେ ଏହି ଫଟୋସମ୍ବଳିତ ପୋଷ୍ଟ ଶେୟାର କରିବାର ଓଳିକ ମଧ୍ୟରେ ମାଇକ୍ରୋବ୍ଲଗିଂ ସାଇଟରେ ଏହାକୁ ୧୦ ହଜାରରୁ ଊର୍ଦ୍ଧ୍ବ ଲାଇକ ମିଳିସାରିଥିଲା।

କାହାର ପ୍ରଶଂସା ତ କାହାର ପରାମର୍ଶ
ବହୁ ଟ୍ବିଟର ୟୁଜର୍ସ ଛାତ୍ରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରୁଥିବାର ଦେଖାଯାଇଛି। କୋରୋନା ମହାମାରୀକୁ ସାମ୍ନା କରିବା ସମୟରେ ସିଏ ଭଳି ଏକ କଷ୍ଟକର ପରୀକ୍ଷା ପ୍ରସ୍ତୁତି ପାଇଁ ସାହସ ଜୁଟାଇଥିବାରୁ ଛାତ୍ରଙ୍କ ପ୍ରଚେଷ୍ଟାକୁ ଏମାନେ ସାଧୁବାଦ ଜଣାଇଛନ୍ତି। ଆଉ କେତେକ ୟୁଜର୍ସ ଛାତ୍ରଙ୍କୁ ଦିଆଯାଇଥିବା ଶଯ୍ୟା ଗୁରୁତର କୋରୋନା ଆକ୍ରାନ୍ତଙ୍କୁ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇଛନ୍ତି। ଦେଶର ଅଧିକାଂଶ ସ୍ଥାନରେ ଡାକ୍ତରଖାନା ଶଯ୍ୟା, ଅମ୍ଳଜାନ ଓ ଔଷଧ ଯୋଗାଣର ଅଭାବ ପରିଲକ୍ଷିତ ହେଉଥିବାବେଳେ ଏଭଳି ଶଯ୍ୟା ଆବଶ୍ୟକ କରୁଥିବା ରୋଗୀଙ୍କୁ ଏହା ଦିଆଯିବା ଜରୁରୀ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, କୋରୋନା କାଳରେ ଡାକ୍ତରଖାନାରେ ପାଠ ପଢ଼ୁଥିବା ଓ ଆଶା ଛାଡ଼ି ନ ଥିବା ଏକ ଭଲକଥା। କିନ୍ତୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯିବା ସହ ଶଯ୍ୟା ଆବଶ୍ୟକ କରୁଥିବା ଅନ୍ୟ ଜଣେ ଆକ୍ରାନ୍ତଙ୍କୁ ଏହା ଦିଆଯିବା ଆବଶ୍ୟକ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାପଡ଼ୁଥିବାରୁ ସେ ହୋମ ଆଇସୋଲେସନରେ ରହି ଏହି ଶଯ୍ୟାକୁ ଅନ୍ୟ ଜଣକୁ ଦିଆଯାଉ ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି।

ଯାହା ହେଉ ପଛେ, ଛାତ୍ରଙ୍କ ଏଭଳି ଉଦ୍ୟମ ନିଶ୍ଚିତ ରୂପେ ପ୍ରେରଣାଦାୟୀ। ସ୍ବଳ୍ପ ବୟସରେ ମଧ୍ୟ ପ୍ରତିକୂଳ ପରିବେଶରେ ସାହସ ନ ହରାଇ ଆଗକୁ ବଢ଼ିବାର ତାଙ୍କ ଉଦ୍ୟମ ଅନେକଙ୍କ ପାଇଁ ଦୃଷ୍ଟାନ୍ତ ହୋଇପାରିଛି। ବିଶେଷକରି ଯୁବପିଢ଼ିଙ୍କୁ ଏଥିରୁ ବହୁତ କିଛି ଶିଖିବାର ଅଛି। ସୂଚନାଯୋଗ୍ୟ, ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ମାଗଣାରେ ଟିକା ଦେବାର ଘୋଷଣା କରିଛନ୍ତି। ଏଥିସହ ଅମ୍ଳଜାନ ଆବଶ୍ୟକ କରୁଥିବା ୬ଟି ରାଜ୍ୟକୁ ଓଡ଼ିଶା ଅମ୍ଳଜାନ ଯୋଗାଇ ଦେଇପାରିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ