ନାକ ତଳକୁ ନାଁକୁ ମାତ୍ର ତୁଣ୍ଡି: ଅମାନିଆ ବଢ଼ାଉଛନ୍ତି ସଂକ୍ରମଣ


ବଜାରରେ ଅମାନିଆ ବାଣ୍ଟୁଛନ୍ତି କୋରୋନା
ଦୈନିକ କୋରୋନା ସଂକ୍ରମଣ ବଢ଼ୁଛି। କେଉଁଠାରେ ରୋଗୀ ପାଇଁ ଅକ୍ସିଜେନ ସଙ୍କଟ ତ କେଉଁଠି ଆଇସିୟୁ ପାଇଁ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଉଛି। ସାରା ଦେଶ କୋଭିଡ ମହାମାରୀକୁ ନେଇ ଏଭଳି ସଂଘର୍ଷ କରୁଥବା ବେଳେ ଦେଶର ଅର୍ଥନୀତି ଦୃଷ୍ଟିରୁ ଲକଡାଉନ ଓ ଶଟଡାଉନ ଶେଷ ନିଷ୍ପତ୍ତି ଭାବେ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି। କିନ୍ତୁ ଏହାକୁ ସକାରାତ୍ମକ ଭାବେ ଅନେକେ ନେଉ ନ ଥବାରୁ ବଜାରରେ ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଶାର ବିଶିଷ୍ଟ ଡାକ୍ତର ଅଶୋକ ମହାପାତ୍ର ମଦ ଦୋକାନ ଓ ପରିବା ଦୋକାନରେ ହେଉଥିବା ଅସମ୍ଭାଳ ଭିଡ଼ ରାଜଧାନୀରେ ସଂକ୍ରମଣର ପ୍ରମୁଖ କାରଣ ବୋଲି କହିଥିବା ବେଳେ ବୁଧବାର ସନ୍ଧ୍ୟାରେ ବିଏମସି ପକ୍ଷରୁ ଚଢ଼ାଉ କରି ଏୟାରପୋର୍ଟ ଛକରେ ଥିବା ଏକ ମଦ ଦୋକାନ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ନେଇ ୧୦ ହଜାର ଜରିମାନା ସହିତ ଦୋକାନ ସିଲ କରାଯାଇଛି। ସେହିପରି ୟୁନିଟ-୧ ମାର୍କେଟ ବିଲ୍ଡିଂରେ ପ୍ରବଳ ଭିଡ଼ ହେବା ସହିତ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଦେଖିବାକୁ ମିଳି ନ ଥିଲା।

କୋରୋନା ନିୟମକୁ ଫୁ
କୋରୋନା କଟକଣାକୁ ଉଲ୍ଲଂଘନ କରି ଚନ୍ଦ୍ରଭାଗା ନୋଳିଆ ସାହିରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଶାସନ ଚଢ଼ାଉ କରି ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ବୋରିଗୁମ୍ମାରେ ଏକ ବିବାହ ଭୋଜିରେ ପ୍ରବଳ ଭିଡ଼ ଖବର ପାଇ ବୋରିଗୁମ୍ମା ଆଇଆଇସି ସଞ୍ଜୟ ମଣ୍ଡଳଙ୍କ ନେତୃତ୍ୱରେ ଚଢ଼ାଉ କରାଯିବା ସହ ବରପକ୍ଷ ଠାରୁ ଜରିମାନା ଆଦାୟ କରାଯାଇଥିଲା। ପୋଲିସ ନିକଟରେ ଜରିମାନା ଦେଲେ ଯଦି ସଂକ୍ରମଣ ବ୍ୟାପୁ ନ ଥାନ୍ତା ତେବେ ରାଜଧାନୀରେ ଏବେ କୋରୋନା ମିଟର ଉପରମୁହାଁ ହୋଇ ନ ଥାନ୍ତା। ଅଧିକ ସଂଖ୍ୟକ ଅମାନିଆଙ୍କୁ ରାଜଧାନୀର ଜନଗହଳି ଅଞ୍ଚଳରେ ଦେଖିବାକୁ ମିଳୁଛି। ଅନେକ ନାକ ତଳକୁ ତୁଣ୍ଡି ଓହଳାଇ ବେଧଡ଼କ ବୁଲାବୁଲି କରୁଥିବା ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଛି। କୋରୋନା ସଂକ୍ରମଣରେ ଗୁରୁବାର ଦେଶ ସବୁ ରେକର୍ଡ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୩.୭୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗୁରୁବାର ୬,୯୯୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। କୋରୋନା ସଂକ୍ରମଣ ରାଜଧାନୀରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। କେବଳ ରାତ୍ରିକାଳୀନ ତାଲାବନ୍ଦ କଟକଣାକୁ ଛାଡ଼ିଦେଲେ ବାକି ସମୟ ବଜାର ଘାଟରେ ଅସମ୍ଭାଳ ଭିଡ଼। ରାଜଧାନୀର ପ୍ରମୁଖ ବଜାର ଗୁଡ଼ିକରେ କ୍ରେତା ବିକ୍ରେତା କାହାରି ମୁହଁରେ ସଠିକ ଢଙ୍ଗରେ ମାସ୍କ ରହି ନ ଥିବା ଦେଖାଯାଉଛି।

ଜରିମାନା ଭୟରେ ଅଧିକାଂଶ ମାସ୍କ ପିନ୍ଧୁଥିଲେ ହେଁ ନାକ ଉପରେ ବାନ୍ଧିବାକୁ ପସନ୍ଦ କରୁ ନ ଥିବା ଭିଡ଼ ଭିତରୁ ଦେଖିବାକୁ ମିଳୁଛି। ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ସୃଷ୍ଟି ହୋଇଥିବା ଭଳି ଆଶଙ୍କାକୁ ଏଡ଼ାଇ ଦେଇ ହେଉନି। ୫୦ ପ୍ରତିଶତ ସରକାରୀ କର୍ମଚାରୀମାନଙ୍କୁ ନେଇ ଅଫିସ ପରିଚାଳନା ପାଇଁ ଗୁରୁବାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଡେପୁଟି ସେକ୍ରେଟାରୀ ରାଙ୍କରୁ ଉପରକୁ ସମସ୍ତ କର୍ମଚାରୀ ଅଫିସ ଆସିବାକୁ କୁହାଯାଇଛି।

ଅମାନିଆ ହେଲେ ଶଟଡାଉନ
ବିଗତ ୬ ଦିନ ହେଲା ରାଜ୍ୟରେ ସଂକ୍ରମଣ ହାର ୬ ହଜାର ଉପରେ ରହୁଛି। ଗୁରୁବାର ଏହି ସଂଖ୍ୟା ୬,୯୯୮ ଥିବା ଜଣାପଡ଼ିଛି। ସଂକ୍ରମିତ ସଂଖ୍ୟାଙ୍କ ସହ ମ୍‌ତ୍ୟୁହାର ବଢ଼ୁଥିବା ନେଇ ସ୍ବାସ୍ଥ୍ୟବିଭାଗ ଉଦବେଗ ପ୍ରକାଶ କରିଛି। ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଯଦି ଅମାନିଆ ନ ମାନନ୍ତି, ତେବେ ରାଜ୍ୟରେ ଖୁବଶୀଘ୍ର ଶଟଡାଉନ ଓ ଲକଡାଉନ ଲାଗୁ ହୋଇପାରେ। ତେବେ ବ୍ୟବସାୟୀମାନେ ନିଜ ଆଡ଼ୁ ତାଲାବନ୍ଦ ଘୋଷଣା କରିଛନ୍ତି। ପ୍ରଶାସନ ବିଭିନ୍ନ ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରି କୋଭିଡ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ନିୟନ୍ତ୍ରଣ ପାଇଁ ରାଜ୍ୟରେ ନୂଆ ଷ୍ଟ୍ରାଟେଜି କରାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ