ସହଜ ବିଜୟ ସହ ଟେବଲ୍ ଟପ୍‌କୁ ଫେରିଲା ଚେନ୍ନାଇ, ହାଇଦ୍ରାବାଦ ପରାସ୍ତ


ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ଗାଏକ୍ବାଡ୍ ଲେଗ୍ ସାଇଡରେ ଏକ ଶଟ୍ ଖେଳୁଛନ୍ତି
ଚଳିତ ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣରେ ବୁଧବାର ୨୩ତମ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ସହ ହୋଇଛି। ଏଥିରେ ଚେନ୍ନାଇ ୭ ୱିକେଟ୍‌ରେ ବିଜୟୀ ହୋଇ ବେଶ୍ ସହଜରେ ହାଇଦ୍ରାବାଦକୁ ପରାସ୍ତ କରିବା ସହ ପୁଣିଥରେ ପଏଣ୍ଟ୍ ଟେବୁଲ୍ ଟପ୍ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ମଙ୍ଗଳବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ଏହି ସ୍ଥାନ ଚେନ୍ନାଇଠାରୁ ଛଡ଼ାଇ ନେଇଥିଲେ ହେଁ ୨୪ ଘଣ୍ଟା ଭିତରେ ଚେନ୍ନାଇ ଏହି ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ପଞ୍ଚମ ପରାଜୟ ସହ ହାଇଦ୍ରାବାଦ ସବାତଳେ କାଏମ୍ ରହିଛି। ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ହାଇଦ୍ରାବାଦ ୩ଟି ୱିକେଟ୍ ବିନିମୟରେ ୧୭୧ ରନ୍ କରିଥିଲା। ଦଳ ପକ୍ଷରୁ ମନୀଷ ପାଣ୍ଡେ ୪୬ ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଓପନର ତଥା ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ୫୫ ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ଜରିଆରେ ୫୭ ରନ୍ କରିଥିଲେ। ଏହାଛଡ଼ା କେନ୍ ୱିଲିୟମସନ୍ ମାତ୍ର ୧୦ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୨୬ ଏବଂ କେଦାର ଯାଦବ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ମାତ୍ର ୪ଟି ବଲରେ ୧୨ ରନ୍ କରି ଅପରାଜିତ ରହି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ। ପ୍ରତିପକ୍ଷ ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ୨ଟି ଓ ସାମ୍ କୁରାନ୍ ଅନ୍ୟ ୱିକେଟଟି ନେଇଥିଲେ।

ଜବାବରେ ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ବାଡ୍ ଓ ଫାଫ୍ ଡୁପ୍ଲେସି ୧୨୯ ରନ୍ ଯୋଡ଼ି ଦଳର ବିଜୟକୁ ବେଶ୍ ସହଜ କରିଥିଲେ। ପ୍ରଥମ ୱିକେଟ୍ ଭାବେ ଗାଏକ୍ବାଡ୍ ୪୪ ବଲ୍ ଖେଳି ୧୨ଟି ଚୌକା ସହ ୭୫ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗିଦାରୀରେ ବ୍ରେକ୍ ଲାଗିଥିଲା। କିନ୍ତୁ ଦୁଇ ଓପନର ଦଳର ଷଷ୍ଠ ମ୍ୟାଚରେ ପଞ୍ଚମ ବିଜୟ ଏକରକମ ପକ୍କା କରିଦେଇଥିଲେ। ମୋଇନ୍ ଅଲୀ ୮ଟି ବଲରେ ୩ଟି ଚୌକା ସହ ୧୫ ରନ୍ କରି ଏବଂ ଡୁପ୍ଲେସି ୩୮ଟି ବଲ୍‌ରେ ୬ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୬ ରନ୍ କରି ଆଉଟ୍ ହୋଇଥିଲେ। ତେବେ ରବୀନ୍ଦ୍ର ଜାଡେଜା ଓ ସୁରେଶ ରୈନା ଯଥାକ୍ରମେ ୭ ଓ ୩ଟି ଚୌକା ସହ ୧୭ ରନ୍ କରି ଅପରାଜିତ ରହିବା ସହ ୧୮.୩ ଓଭରରେ ଦଳୀୟ ସ୍କୋରକୁ ୩ ୱିକେଟ୍ ବିନିମୟରେ ୧୭୩ ରନରେ ପହଞ୍ଚାଇଥିଲେ।  ଏଥିସହ ହାଇଦ୍ରାବାଦ ବିପକ୍ଷରେ ପଞ୍ଚଦଶ ମ୍ୟାଚରେ ଚେନ୍ନାଇ ଏକାଦଶତମ ବିଜୟ ହାସଲ କରି ଗୋଟିଏ ନିର୍ଦ୍ଦିଷ୍ଟ ଟିମ୍ ବିରୋଧରେ ସର୍ବାଧିକ ବିଜୟରେ ଦ୍ବିତୀୟ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ମୁମ୍ବାଇ ସର୍ବାଧିକ ବିଜୟ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷରେ ୨୮ ମ୍ୟାଚ ମଧ୍ୟରୁ ୨୨ଟିରେ  ବିଜୟୀ ହୋଇ ଏକ ନମ୍ବରରେ ରହିଛି। ବୁଧବାର ମୁକାବିଲାରେ ହାଇଦ୍ରାବାଦ ପକ୍ଷରୁ ୩ଟିଯାକ ୱିକେଟ୍ ସ୍ପିନର୍ ରଶିଦ୍ ଖାନ୍ ନେଇଥିଲେ। ଗାଏକ୍ବାଡ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗୁରୁବାର ପ୍ରତିଯୋଗିତାର ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମଟି ଦିଲ୍ଲୀରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏବଂ ଦ୍ବିତୀୟ ମ୍ୟାଚଟି ଅହମଦାବାଦରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କେକେଆର୍ ମଧ୍ୟରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ