କୋରୋନା ବେଳର ଅସଲ ତିନି ନାୟକ: ଅକ୍ସିଜେନ ହିରୋ, ନିଆରା ଦାତା ଓ ଛୁଟି ନେଉ ନ ଥିବା ଡାକ୍ତର


ଅକ୍ସିଜେନ ହିରୋ ଶାହନୱାଜ ଶେଖ ଓ ନିଆରା ଦାତା ଜନାର୍ଦ୍ଦନ (ଫାଇଲ ଫଟୋ)
ଦେଶରେ କରୋନା ଭୂତାଣୁର ପ୍ରଭାବ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏଭଳି ସଙ୍କଟଜନକ ସମୟରେ ଦେବଦୂତ ସାଜି ସାମ୍ନାକୁ ଆସିଛନ୍ତି ଅନେକ ଚରିତ୍ର। ମୁମ୍ବାଇର ଶାହନୱାଜ ଶେଖ ଏଭଳି ଏକ ଚରିତ୍ର, ଯିଏକି ଗୁରୁତର ସଂକ୍ରମିତ ରୋଗୀଙ୍କୁ ଅକ୍ସିଜେନ ଯୋଗାଇବା ପାଇଁ ନିଜର ଏକ ଦାମୀ ଏସୟୁଭି ଗାଡିକୁ ୩୦ ଲକ୍ଷ ଟଙ୍କାରେ ବିକ୍ରି କରି ସେଥିରେ ଅକ୍ସିଜେନ ସିଲିଣ୍ଡର କିଣି ଗରିବ ଲୋକଙ୍କୁ ମାଗଣା ଵିତରିତ କରିଛନ୍ତି। ଅକ୍ସିଜେନ ହିରୋ ଭାବେ ପରିଚୟ ପାଇଥିବା ସାହାନବାଜଙ୍କ ନିକଟରେ ଏବେ ୩୦୦ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ଅଛି ଓ ସେ ଗୋଟିଏ ଫୋନ କଲ ମାତ୍ରକେ ଏହା ରୋଗୀଙ୍କ ନିକଟରେ ନେଇ ଦେଇ ଆସୁଛନ୍ତି। ତାଙ୍କର ଏଭଳି ସେବା ମନୋଭାବ ତାଙ୍କୁ ସାରା ସହରରେ ନିଆରା ପ୍ରତିଷ୍ଠା ଦେଇଛି।

ଟିକା ପାଇଁ ଦାନ କରିଦେଲେ ସର୍ବସ୍ବ
କେରଳର ଜଣେ ବିଡ଼ି ଶ୍ରମିକଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମ ଗୁଡିକରେ ବେଶ ଚର୍ଚ୍ଚା। ଏହି ବିଡି ଶ୍ରମିକଙ୍କ ନାମ ହେଉଛି ଜନାର୍ଦ୍ଦନ। କେରଳରେ ମାଗଣାରେ ସବୁ ଲୋକଙ୍କୁ ଟିକା ଦେବାକୁ ହେଲେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେବାକୁ ଅନୁରୋଧ କରାଯାଇଛି। କେରଳବାସୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନିଜ ସାମର୍ଥ୍ୟ ଅନୁସାରେ ଦାନ କରୁଥିବା ବେଳେ ଜନାର୍ଦ୍ଦନ ଏଥିରେ ସହଯୋଗ କରିବା ପାଇଁ ଆଗେଇ ଆସି ଯାହା ଦାନ କରିଛନ୍ତି ତାହା ସମସ୍ତଙ୍କ ହୃଦୟ ତରଳାଇ ଦେଇଛି। ଜନାର୍ଦ୍ଦନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନିଜ ଜୀବନର ସମସ୍ତ ସଞ୍ଚିତ ପୁଞ୍ଜିକୁ ଦାନ କରିଛନ୍ତି। ସିଏମଡିଆରଏଫ୍‌କୁ ସମସ୍ତ ଟଙ୍କା ଦାନ କରିବା ପରେ ତାଙ୍କ ପାଖରେ କେବଳ ୮୫୦ ଟଙ୍କା ବଞ୍ଚିଛି। ଜନାର୍ଦ୍ଦନ ନିଜ ପୁଞ୍ଜିର ୨ ଲକ୍ଷ ୮୫୦ ଟଙ୍କାରୁ ୨ ଲକ୍ଷ ଦାନ କରିଛନ୍ତି। ସେ ଯେତେବେଳେ ଟଙ୍କା ଦାନ ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ ସେଠାରେ ଥିବା କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଜୀବନର ସମସ୍ତ ପୁଞ୍ଜି ଦାନ କରିବା ପରେ କେମିତି ଚଳିବେ ବୋଲି ଜନାର୍ଦ୍ଦନଙ୍କୁ ବି ପଚାରିଥିଲେ ବ୍ୟାଙ୍କ କର୍ମଚାରୀ। ସେଠାରେ ସେ ଦେଇଥିବା ଉତ୍ତର ସମସ୍ତଙ୍କୁ ଭାବୁକ କରିପକାଇଥିଲା। ସେ କହିଥିଲେ, ମୁଁ ଏବେ ବି ବିଡ଼ି ଶ୍ରମିକ ଭାବେ କାର୍ଯ୍ୟ କରି ରୋଜଗାର କରିପାରୁଛି। ଦିବ୍ୟାଙ୍ଗ ହୋଇଥିବାରୁ ସରକାରଙ୍କ ପାଖରୁ ଭତ୍ତା ବି ମିଳୁଛି। ଗତବର୍ଷ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ଦୁଇ ଝିଅଙ୍କୁ ନେଇ ମୋ ପରିବାର। କିନ୍ତୁ ଲୋକମାନଙ୍କ ଜୀବନ ମୋ ସଞ୍ଚିତ ପୁଞ୍ଜିଠୁ ଅଧିକ ମୂଲ୍ୟବାନ ବୋଲି କହିଥିଲେ ଜନାର୍ଦ୍ଦନ।

ବର୍ଷେ ହେଲା ଛୁଟି ନେଇ ନ ଥିବା ଡାକ୍ତର
ଉତ୍ତରାଖଣ୍ଡ ଅଲମୋଡ଼ା ମେଡିକାଲ କଲେଜର ଜଣେ ଡାକ୍ତରଙ୍କୁ ନେଇ ଏବେ ଢେର ଚର୍ଚ୍ଚା। ଏହି ଦେବଦୂତ ଡାକ୍ତର ଜଣଙ୍କ ହେଉଛନ୍ତି ଚଞ୍ଚଳ ସିଂ। ଡାକ୍ତର ଚଞ୍ଚଳ କୋରୋନା ଯାଞ୍ଚରୁ ଆରମ୍ଭ କରି ଚିକିତ୍ସା ଓ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଇବା କାମ ଯାଏ ଅନେକ ଦାୟିତ୍ୱ ସମ୍ଭାଳିଥାନ୍ତି। ସକାଳୁ ବିଳମ୍ବିତ ରାତି ଯାଏ ଏହି କାମରେ ନିୟୋଜିତ ରହନ୍ତି ଚଞ୍ଚଳ। ବେଳେବେଳେ ରାତିରେ ବି ହସ୍ପିଟାଲରେ ରହିବାକୁ ପଡିଥାଏ। ପିଥୌରାଗଡ଼ ଧାରଚୁଲାରେ ରହୁଥିବା ଚଞ୍ଚଳ ବର୍ଷେ ହେଲାଣି ନିଜ ଗାଁକୁ ଯାଇନାହାନ୍ତି। ହୋଲି ଓ ଦୀପାବଳିରେ ଦୁଇଥର ଗାଁକୁ ଯିବା ପାଇଁ ପ୍ରସ୍ତୁତି ହୋଇଥିଲେ। କିନ୍ତୁ ସେ ସମୟରେ ହଠାତ ମେଡିକାଲର ଜରୁରୀ ଆବଶ୍ୟକତା କାରଣରୁ ତାଙ୍କୁ ଯୋଜନା ବାତିଲ କରିବାକୁ ପଡିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ