କୋରୋନା ରୋକିପାରିଲାନି ବାହାଘର


କୋରୋନା କଟକଣାରେ ହେଉଥିବା ଆକାଶ-ସଞ୍ଜନାଙ୍କ ବାହାଘର ବେଳର ଦୃଶ୍ୟ
କୋରୋନା ବଦଳାଇ ଦେଇଛି ସବୁକିଛି। ଅଭ୍ୟାସ ଓ ଆଚାର ବ୍ୟବହାର ସବୁଥିରେ ଆସିଛି ପରିବର୍ତ୍ତନ। ସବୁ ପ୍ରକାର ପରିସ୍ଥିତି ସହ ତାଳଦେଇ ଚାଲିବା ଶିଖାଇଛି କୋରୋନା। କୋରୋନା ମହାମାରୀ ପାଇଁ ବିଭିନ୍ନ ପ୍ରକାର ଉତ୍ସବ ଓ ଯାନିଯାତ୍ରା ଉପରେ ଲାଗିଛି ରୋକ। ଏଭଳି ପରିସ୍ଥିତିରେ ଆୟୋଜିତ ହୋଇଥିବା ଏକ ନିଆରା ବିବାହ ଏବେ ଚର୍ଚ୍ଚାରେ ରହିଛି। ପରମ୍ପରା, କର୍ତ୍ତବ୍ୟ ଏବଂ ସୁରକ୍ଷାର ଏକ ଅପୂର୍ବ ସମନ୍ବୟ ଦେଖିବାକୁ ମିଳିଛି ଏହି ବାହାଘରରେ। ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ନୂଆ ଜୀବନ ଆରମ୍ଭ କରିଛନ୍ତି ଏକ ନବ ଦମ୍ପତି। ପାରମ୍ପରିକ ବେଶଭୂଷା ବଦଳରେ ପିପିଇ କିଟ୍‌ ପିନ୍ଧି ଜୀବନ ସାଥୀ ହେବାକୁ ସଙ୍କଳ୍ପ ନେଇଛନ୍ତି ବରକନ୍ୟା। କେବଳ ଏତିକି ନୁହେଁ, କୋରୋନା ଆକ୍ରାନ୍ତଙ୍କ ବିବାହ ହେଉଥିବା ଅଭିଯୋଗ ପାଇବା ପରେ ବିବାହ ବନ୍ଦ କରିବାକୁ ଯାଇଥିବା ପ୍ରଶାସନର ମଧ୍ୟ ପରମ୍ପରା ଓ ସୁରକ୍ଷା ଆଗରେ ମୁଣ୍ଡ ନୁଆଁଇ ବରକନ୍ୟାଙ୍କୁ ଆର୍ଶୀବାଦ ଦେଇ ଫେରିଛନ୍ତି।

କଟକଣା ମାନି ବାହାଘର
ମଧ୍ୟ ପ୍ରଦେଶର ରତ୍‌ଲାମ ଅନ୍ତର୍ଗତ ପର୍ଶୁରାମ ବିହାରର ବାସିନ୍ଦା ଇଞ୍ଜିନିୟର ଆକାଶ ବର୍ମାଙ୍କ ସହିତ ମହେଶନାଗ୍‌ର ବାସିନ୍ଦା ସଞ୍ଜନା ବର୍ମାଙ୍କ ବିବାହ ସ୍ଥିର ହୋଇଥିଲା। ଏଥିପାଇଁ ଏପ୍ରିଲ୍‌ ୨୬ ତାରିଖ ସ୍ଥିର ହୋଇଥିଲା। କୋରୋନା ମହାମାରୀ ସମୟରେ କଟକଣା ମାନି ଉଭୟ ପରିବାର ବିବାହ ପ୍ରସ୍ତୁତିରେ ଲାଗି ଯାଇଥିଲେ। ଏହାରି ଭିତରେ ବର ଆକାଶ କୋରୋରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାସତ୍ତ୍ବେ ଉଭୟ ପରିବାର ବିବାହ ସ୍ଥଗିତ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପାଇଁ ସହରର ଏକ ବିବାହ ମଣ୍ଡପ ବୁକ୍‌ କରିଥିଲେ। ସେଠାରେ କୋରୋନା ଗାଇଡ୍‌ଲାଇନ୍‌ ଅନୁସାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର କୋରୋନା ଆକ୍ରାନ୍ତ ଥିବାରୁ ଉଭୟ ବର ଓ କନ୍ୟା ପିପିଇ କିଟ୍‌ ପିନ୍ଧି ବେଦୀରେ ବସିଥିଲେ। ଆଉ ଜନ୍ମ ଜନ୍ମ ପାଇଁ ଜୀବନସାଥୀ ରୂପେ ଉଭୟେ ସଙ୍କଳ୍ପ ନେଇଥିଲେ। ଏହି ବିବାହ ଉତ୍ସବରେ ଭିଡିଓ କଲ୍‌ ମାଧ୍ୟମରେ ଯୋଡ଼ି ହୋଇଥିବା ପରିବାର ସଦସ୍ୟ ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ତେବେ ପିପିଇ କିଟ୍‌ ପିନ୍ଧି ୭ ଫେରେ ନେଉଥିବାର ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିବାହ ଏବେ ବେଶ୍‌ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ବାହାଘର ବନ୍ଦ କରିବାକୁ ଯାଇଥିବା ପ୍ରଶାସନ ଆର୍ଶୀବାଦ ଦେଇ ଫେରିଲା
ମଧ୍ୟ ପ୍ରଦେଶର ରତ୍‌ଲାମ ଜିଲ୍ଲା ପର୍ଶୁରାମ ବିହାର ଅଞ୍ଚଳରେ ଜଣେ କୋରୋନା ଆକ୍ରାନ୍ତ ଯୁବକ ବିବାହ କରୁଥିବା ଖବର ସ୍ଥାନୀୟ ପ୍ରଶାସନ ପାଖରେ ପହଞ୍ଚିଥିଲା। ଏହାପରେ ପ୍ରଶାସନ ତୁରନ୍ତ ବାହାଘର ବନ୍ଦ କରିବାକୁ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପରିବାର ଲୋକଙ୍କ ଅନୁରୋଧ ଏବଂ କୋରୋନା ଗାଇଡ୍‌ଲାଇନ୍‌କୁ ସଠିକ୍‌ ଭାବେ ପାଳନ ହେଉଥିବା ଦେଖି ପ୍ରଶାସନ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲା। ବର, କନ୍ୟା ଓ ବ୍ରାହ୍ମଣ ସମେସ୍ତ ପିପିଇ କିଟ୍‌ ପିନ୍ଧିଥିବା ବେଳେ ଉତ୍ସବରେ ମାତ୍ର ୫ ଜଣ ଲୋକ ସାମିଲ୍‌ ହୋଇଥିଲେ। କୌଣସି ଭୋଜିଭାତ କିମ୍ବା ବାଜା ବାଣର ଆୟୋଜନ କରାଯାଇ ନ ଥିଲା। ଉପଯୁକ୍ତ ସୁରକ୍ଷା ବଳୟରେ ବାହାଘର ହେଉଥିବାରୁ ପ୍ରଶାସନ ବର ଓ କନ୍ୟାଙ୍କୁ ଆର୍ଶୀବାଦ ଦେଇ ଫେରିଥିଲେ।

ପୂର୍ବରୁ ମଧ୍ୟ ହୋଇଥିଲା ଅନୁରୂପ ବାହାଘର

ଠିକ୍‌ ଏହିପରି ପୂର୍ବରୁ ମଧ୍ୟ ହୋଇଥିଲା ଆଉ ଏକ ବିବାହ। ଆଗରୁ ଠିକ୍‌ ହୋଇଥିଲା ବିବାହ। ତାରିଖ ମଧ୍ୟ ସ୍ଥିର ହୋଇ ସାରିଥିଲା। ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିବାହର ଦିନକ ପୂର୍ବରୁ କନ୍ୟାଙ୍କ ଠାରେ ଦେଖା ଦେଇଥିଲା କୋରୋନା ଲକ୍ଷଣ। ବାହାଘରର କେଇଘଣ୍ଟା ପୂର୍ବରୁ ତାଙ୍କ ରିପୋର୍ଟ ପଜେଟିଭ୍‌ ଆସିଥିଲା। ସେତେବେଳକୁ ଝିଅ ମଙ୍ଗୁଳା ହୋଇ ସାରିଥିବା ବେଳେ ବର ମଧ୍ୟ ଆସି ପହଞ୍ଚି ସାରିଥିଲା କନ୍ୟାଘରେ। ତେବେ ଭାବୀ ପତ୍ନୀଙ୍କୁ କୋରୋନା ହୋଇଥିବା ଜାଣି ମଧ୍ୟ ନିର୍ଦ୍ଧାରିତ ସମୟରେବିବାହ ପାଇଁ ମଧ୍ୟ ସମ୍ମତି ଜଣାଇଲେ ବର। ଆଉ ଉଭୟ ପରିବାର ଓ ପ୍ରଶାସନର ସହମତିରେ ବୈଦିକ ରୀତିରେ ହୋଇଥିଲା ବାହାଘର। ତେବେ ବାହାଘର ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ପାରମ୍ପରିକ ବେଶଭୂଷା ବଦଳରେ ଉଭୟ ବର ଓ କନ୍ୟା ପିନ୍ଧିଥିଲେ ପିପିଇ କିଟ୍‌। ଖାଲି ବର-କନ୍ୟା ନୁହନ୍ତି ବ୍ରାହ୍ମଣ ଓ ଉତ୍ସବରେ ସାମିଲ୍‌ ହୋଇଥିବା ନିକଟ ସମ୍ପର୍କୀୟ ଏବଂ ବରକନ୍ୟାଙ୍କ ବାପା-ମା’ ମଧ୍ୟ ପିପିଇ କିଟ୍‌ ପିନ୍ଧିଥିଲେ। ଏଭଳି ନିଆରା ବାହାଘର ହୋଇଥିଲା ରାଜସ୍ଥାନ ବାରଙ୍ଗ ଜିଲ୍ଲାରେ। ଆଉ ଏହି ବାହାଘର ମଧ୍ୟ ବେଶ୍‌ ଚର୍ଚ୍ଚିତ ହୋଇଥିଲା।

ଥାନାରେ ହଳଦୀ ବିଧି
କୋରୋନାର ଦ୍ବିତୀୟ ଲହରୀ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ଲୋକଙ୍କୁ ସଚେତନ ଏବଂ ଅମାନିଆଙ୍କୁ ସାବାଡ଼ କରିବାକୁ ତତ୍ପର ରହିଛି ପୋଲିସ୍‌ ପ୍ରଶାସନ। ଯେଉଁ କାରଣ ପାଇଁ କେତେକ ପୋଲିସ୍‌ କର୍ମଚାରୀଙ୍କ ଛୁଟି ବାତିଲ୍‌ ହୋଇଯାଇଥିବା ବେଳେ ବଢ଼ିଛି କାମର ଚାପ। ଏଭଳି ପରିସ୍ଥିତିରେ ରାଜସ୍ଥାନର ଡୁଙ୍ଗେରପୁର କୋତୱାଲି ଥାନାର ମହିଳା କନ୍‌ଷ୍ଟେବଲ୍‌ ଆଶାଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ହେଁ କର୍ତ୍ତବ୍ୟ ପାଳନ ପାଇଁ ସେ ଘରକୁ ଯାଇ ପାରି ନ ଥିଲେ। ଏଭଳି ସମୟରେ ଉକ୍ତ ମହିଳା କନ୍‌ଷ୍ଟେବଲ୍‌ଙ୍କ ମୁହଁରେ ଟିକେ ହସ ଦେବାକୁ ଏବଂ ତାଙ୍କର ପରିବାରରେ ଥିବା ପରମ୍ପରାକୁ ବଜାୟ ରଖିବାକୁ ଆଗେଇ ଆସିଥିଲେ ସହକର୍ମୀ। ଥାନାର ସମସ୍ତ କର୍ମଚାରୀମାନେ ମିଶି ଥାନାରେ ମହିଳା କନ୍‌ଷ୍ଟେବଲ୍‌ଙ୍କ ହଳଦୀ ଉତ୍ସବ କରିଥିଲେ। ସୋସାଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ୍‌ ହେବା ପରେ ଏବେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ସମସ୍ତ କର୍ମଚାରୀଙ୍କୁ ସାବାସୀ ଦେଉଛନ୍ତି ଲୋକେ। କାମର ଚାପ ଭିତରେ ଅନ୍ୟ ଜଣେ ସହକର୍ମୀଙ୍କ ପାଇଁ ଏଭଳି କରିବା ବେଶ୍‌ ପ୍ରଶଂସନୀୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ