ଲକଡାଉନରେ ୭୭ ବର୍ଷୀୟା ଦାଦି ଆରମ୍ଭ କଲେ ଫୁଡ ଷ୍ଟାର୍ଟଅପ, ଏବେ ମାସକୁ କମାଉଛନ୍ତି ୨ରୁ ୩ ଲକ୍ଷ


ଉର୍ମିଳା ଜମନାଦାସ
କୋରୋନା କାଳରେ ଲକ୍ଷାଧିକ ଲୋକ ଚାକିରି ହରାଇଛନ୍ତି। କେତେକ ରୋଜଗାରର ମାଧ୍ୟମ ହରାଇଥିବାବେଳେ ଆଉ କେହି ନିଜ ପ୍ରତିଭାକୁ ପରଖିବାରେ ଲାଗିଛନ୍ତି। କେତେକ ଲକଡାଉନ ସମୟରେ ଘରେ ରହି କିପରି ରୋଜଗାର କରିବେ ତାହାର ଆଇଡିଆ ଆରମ୍ଭ କରିଛନ୍ତି। ଲକଡାଉନ ଅନେକ ଲୋକଙ୍କୁ ଦୁଃଖୀ କରିଦେଇଛି। କିନ୍ତୁ ଏହି ସମୟରେ ନିଜ ବୁଦ୍ଧି ଲଗାଇ ୭୭ ବର୍ଷୀୟା ଉର୍ମିଳା ଜମନାଦାସ ଆଶେର ମାସକୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି।

୭୭ ବର୍ଷୀୟା ଉର୍ମିଳା ପ୍ରତିଦିନ ସକାଳ ୫ଟା ୩୦ରେ ଦିନ ଆରମ୍ଭ କରିଥାନ୍ତି। ତାଙ୍କ ବୋହୂ ରାଜଶ୍ରୀ ଓ ନାତି ହର୍ଷଙ୍କ ପାଇଁ ସେ ଚା’ ଜଳଖିଆ ତିଆରି କରିବା ପରେ ଖବରକାଗଜ ପଢ଼ନ୍ତି। ଏହାପରେ ସେ ମୁମ୍ବାଇର ଲୋକଙ୍କ ଦ୍ବାରା ଦିଆଯାଇଥିବା ଖାଦ୍ୟ ଅର୍ଡର ପୂରା କରିବା ଲାଗି ସ୍ନାକସ ତିଆରି ଆରମ୍ଭ କରନ୍ତି। ଉର୍ମିଳାଙ୍କ ଦୋକାନ ‘ଗୁଜ୍ଜୁ ବେନ ନା ନାସ୍ତା’ରେ ସ୍ବାଦିଷ୍ଟ ଭୋଜନ ତିଆରି ହୋଇଥାଏ। ସେ ୭୭ ବର୍ଷ ବୟସରେ ଫୁଡ ଷ୍ଟାର୍ଟଅପ ଆରମ୍ଭ କରିଥିଲେ। କୋରୋନା କାଳରେ ବଜାରର ଖାଦ୍ୟ ନ ମିଳିଥିବା ଯୋଗୁ ଖାଦ୍ୟପ୍ରିୟ ଲୋକେ ବିରକ୍ତ ହୋଇଯାଇଥିଲେ।

ବୋହୂ ରାଜଶ୍ରୀଙ୍କ ସହ ଦୁଇ ଜଣ ଲୋକଙ୍କ ସହାୟତାରେ ଉର୍ମିଳା ମଧ୍ୟାହ୍ନ ଯାଏ ଅର୍ଡର ପୂରା କରନ୍ତି। ସାଧାରଣ ଭାରତୀୟ ମହିଳାମାନେ ନିଜ ଘରୁ ଖାଇବା ବ୍ୟବସାୟ ଆରମ୍ଭ କରିଥାନ୍ତି। କିନ୍ତୁ ଉର୍ମିଳାଙ୍କ କାହାଣୀ ଭିନ୍ନ ଥିଲା। ଜୀବନର ଦୁଃଖ, ଯନ୍ତ୍ରଣା ଓ ସଂଘର୍ଷ ଭରା ଜୀବନଯାପନ ପାଇଁ ଉର୍ମିଳା ଏବେ ନିଜର ଖାଦ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି। ବାହାଘରର କିଛି ବର୍ଷ ପରେ ଘର ଭୁଶୁଡ଼ି ତାଙ୍କ ଅଢ଼େଇ ବର୍ଷର ଝିଅର ମୃତ୍ୟୁ ହୋଇଥିଲା। ଏହାର କିଛି ବର୍ଷ ପରେ ତାଙ୍କ ଦୁଇ ପୁଅ ଜଣେ ବ୍ରେନ ଟ୍ୟୁମର ଓ ଅନ୍ୟ ଜଣେ ହୃତଘାତରେ ମୃତ୍ୟୁବରଣ କରିଥିଲେ। ତେଣୁ ଏବେ ତାଙ୍କ ପାଖରେ ଏକମାତ୍ର ନାତି ହର୍ଷ ଅଛନ୍ତି। ୨୦୧୯ରେ ଏକ ଦୁର୍ଘଟଣାରେ ହର୍ଷ ତାଙ୍କ ଉପର ଓଠ ହରାଇଛନ୍ତି। ଏହି ଦୁର୍ଘଟଣା ପରେ ହର୍ଷ ଘରୁ ବାହାରୁ ନ ଥିଲେ ଓ ଅବସାଦଗ୍ରସ୍ତ ହୋଇଯାଇଥିଲେ। ଏପରିସ୍ଥଳେ ସେ ଘରକୁ ଆର୍ଥିକ ସହାୟତା କରିପାରୁ ନ ଥିଲେ। ତେଣୁ ଜେଜେ ମା’ ଉର୍ମିଳା ତାଙ୍କ ସାହସ ବଢ଼ାଇଥିଲେ।

ହର୍ଷ ୨୦୧୨ରେ ଏମବିଏ ପୂରା କରିଥିଲେ ଏବଂ ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି ଓମାନ ମନ୍ତ୍ରାଳୟ ସହ କାମ କରିଛନ୍ତି। ହର୍ଷ କହନ୍ତି, ତାଙ୍କ ଜେଜେ ମା’ ଗୁଜରାଟୀ ଆଚାର ବହୁତ ଆଗ୍ରହର ସହ ତିଆରି କରନ୍ତି। ତେଣୁ ହର୍ଷ ଏହି ଆଚାରର ଫଟୋ ସୋସାଲ ମିଡିଆରେ ଶେୟାର କରିବା ପରେ ଲୋକଙ୍କ ଉତ୍ତମ ପ୍ରତିକ୍ରିୟା ମିଳିଥିଲା। ପରେ ଏହାର ଚାହିଦା ବଢ଼ିବାରେ ଲାଗିଥିଲା। ତେଣୁ ଚାହିଦା ବଢ଼ିବା ସହିତ ପ୍ରଡକ୍ଟ ମଧ୍ୟ ବଢ଼ାଇ ଦିଆଯାଇଥିଲା। ଏବେ ଆଚାର ସହିତ ଶୁଖିଲା ଓ ଗରମ ଜଳଖିଆ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଧିରେ ଧିରେ କିଛି ମାସ ପରେ ‘ଗୁଜ୍ଜୁ ବେନ ନା ନାସ୍ତା’ ନାମରେ ସେ ତାଙ୍କର ଏକ ଦୋକାନ ଖୋଲିଛନ୍ତି। ଗୁଜରାଟୀ ହୋଇଥିବାରୁ ସେ ଦୋକାନର ଏପରି ନାମ ଦେଇଛନ୍ତି। ଏହାର ଅର୍ଥ ହେଉଛି ଗୁଜରାଟୀ ଭଉଣୀଙ୍କ ହାତ ତିଆରି ଜଳଖିଆ। ଏଠାରେ ଉର୍ମିଳା ତିଆରି କରୁଥିବା ସବୁ ଖାଦ୍ୟ ମିଳୁଛି। ଲୋକେ ଦୋକାନରୁ ଆସି ଖାଦ୍ୟ ପଦାର୍ଥ କିଣୁଥିବାବେଳେ ଅନଲାଇନରେ ମଧ୍ୟ ଅର୍ଡର କରୁଛନ୍ତି। ଗରମ ଖାଦ୍ୟ ଡେଲିଭରି ମୁମ୍ବାଇ ଭିତରେ ସୀମିତ ଥିବାବେଳେ ଶୁଖିଲା ଖାଦ୍ୟ ମୁମ୍ବାଇ ବାହାରକୁ ମଧ୍ୟ ପଠାଯାଉଛି। ଲକଡାଉନରେ ଉର୍ମିଳା ଦାଦି ତାଙ୍କ ଫୁଡ ବିଜନେସ ଆରମ୍ଭ କରିଥିଲେ। ଏବେ ସେ ମାସକୁ ୨ରୁ ୩ ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି। ସମସ୍ତ ପ୍ରଡକ୍ଟର ରେସିପି ତିଆରି କରିବା କାମ ଉର୍ମିଳାଙ୍କର ହୋଇଥିବାବେଳେ ହର୍ଷ ମାର୍କେଟିଂ ଓ ଆକାଉଟିଂ କାମ କରୁଛନ୍ତି। ଉର୍ମିଳାଙ୍କ ଦୁଇ ବୋହୂ ମଧ୍ୟ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ