ବଳାତ୍କାରୀ ବିଧାୟକଙ୍କ ପତ୍ନୀଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଟିକେଟ୍


ସଙ୍ଗୀତା ସେଙ୍ଗର୍ (ଫାଇଲ୍ ଫଟୋ)
ଗତ ୨୦୧୭ରେ ଉତ୍ତର ପ୍ରଦେଶରେ ଘଟିଥିବା ବହୁଚର୍ଚ୍ଚିତ ଉନାଓ ଗଣଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡାଦେଶ ଭୋଗୁଥିବା ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ପତ୍ନୀଙ୍କୁ ଟିକେଟ୍ ମିଳିଛି। ଉତ୍ତରପ୍ରଦେଶରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାଙ୍କ ପତ୍ନୀ ସଙ୍ଗୀତା ସେଙ୍ଗରଙ୍କୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇଛି। ଶୁକ୍ରବାର ବିଜେପି ପକ୍ଷରୁ ଜିଲ୍ଲା ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ଏହି ତାଲିକାରେ ସଙ୍ଗୀତାଙ୍କ ନାମ ମଧ୍ୟ ରହିଛି। ସଙ୍ଗୀତା ଫତେହପୁର ଚୌରାସି ତୃତୀୟ ଆସନରୁ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଲଢ଼ିବେ। ଗତ ୨୦୧୬ରେ ମଧ୍ୟ ସଙ୍ଗୀତା ଉନ୍ନାଓ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଓ ରାଜ୍ୟ ସାଧାରଣ ସମ୍ପାଦକ ସୁନୀଲ ବନସାଲଙ୍କ ସୁପାରିସରେ ସଙ୍ଗୀତାଙ୍କୁ ଟିକେଟ୍ ଦିଆଯାଇଛି ବୋଲି ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି।

ସଙ୍ଗୀତାଙ୍କ ପରିବାରର ସ୍ଥାନୀୟ ଅଞ୍ଚଳରେ ବେଶ୍ ଦବଦବା ରହିଥିବାରୁ ଏହାକୁ ନଜରରେ ରଖି ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇଛି। ତା’ଛଡ଼ା ଗତ ୨୦୧୮ ଏପ୍ରିଲରେ ତାଙ୍କ ପତିଙ୍କୁ ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡାଦେଶ ମିଳିବା ମାମଲାରେ ସଙ୍ଗୀତାଙ୍କ ପ୍ରତି ସମବେଦନା ଭାବେ କିଛି ଭୋଟ୍ ମିଳିପାରିବ ବୋଲି ବିଜେପି ଆଶା କରି ତାଙ୍କୁ ଟିକେଟ୍ ଦେଇଥିବା କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ କୁଲଦୀପ ବିଜେପିର ପୂର୍ବତନ ବିଧାୟକ ଥିବା ବେଳେ ତାଙ୍କୁ ଏଥିରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ତାଙ୍କ ବିରୋଧରେ ଉନ୍ନାଓର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ କୋର୍ଟରେ ସାବ୍ୟସ୍ତ ହେବା ପରେ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଆଜୀବନ ଜେଲ୍ ଦଣ୍ଡାଦେଶ ପାଇବା ପରେ ତାଙ୍କୁ ବିଜେପିରୁ ବହିଷ୍କାର କରାଯିବା ସହ ଉତ୍ତର ପ୍ରଦେଶର ବିଧାନସଭାରେ ମଧ୍ୟ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। ବର୍ତ୍ତମାନ କୁଲଦୀପ ସିଂ ସେଙ୍ଗର ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ