ଶୁଭେନ୍ଦୁ ଅଧିକାରୀଙ୍କୁ ଇସିଙ୍କ ନୋଟିସ


ଶୁଭେନ୍ଦୁ ଅଧିକାରୀ (ଫାଇଲ ଫଟୋ)
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଗୁରୁବାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ଝଟକା ଲାଗିଛି। କାରଣ ତାଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ନିର୍ବାଚନ କମିଶନ୍ (ଇସି) ନୋଟିସ୍ କରିଛନ୍ତି। ଏଥିସହ ଗତ ମାସରେ ସେ ଦେଇଥିବା ଏହି ହିଂସା ଉଦ୍ରେକକାରୀ ଭାଷଣ ପ୍ରଦାନ କରିବା ମାମଲାରେ ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ଶୁଭେନ୍ଦୁଙ୍କୁ ଇସି ନିର୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୨୯ ତାରିଖରେ ନନ୍ଦିଗ୍ରାମରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ଅବସରରେ ଶୁଭେନ୍ଦୁ ଏହି ହିଂସା ଉଦ୍ରେକକାରୀ ଭାଷଣ ଦେଇଥିଲେ। ଏହି ଭାଷଣକୁ ବିରୋଧ କରି ସିପିଆଇ-ଏମଏଲ୍ ସେଣ୍ଟ୍ରାଲ୍ କମିଟି ପକ୍ଷରୁ କବିତା କ୍ରିଷ୍ଣନ୍ ଇସିରେ ଅଭିଯୋଗ କରିଥିଲେ। ଶୁଭେନ୍ଦୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ନିର୍ବାଚନ ଜାରି ରହିଥିବା ବେଳେ ଭୋଟରମାନେ ବେଗମଙ୍କୁ ଆଦୌ  ଭୋଟ୍ ଦିଅନ୍ତୁ ନାହିଁ। ନଚେତ୍ ନନ୍ଦିଗ୍ରାମ ଏକ ମିନି ପାକିସ୍ତାନରେ ପରିଣତ ହୋଇଯିବ। ଆପଣଙ୍କ ଅଞ୍ଚଳକୁ ଜଣେ ଦାଉଦ୍ ଇବ୍ରାହିମ୍ ପ୍ରବେଶ କରିଛି। ଆମେ ସବୁ ପରିସ୍ଥିତି ଉପରେ ନଜର ରଖିଛୁ। କିନ୍ତୁ ରାଜ୍ୟ ସରକାର କ’ଣ କରୁଛନ୍ତି ଓ ଏପରି ସରକାରର କ’ଣ ଆବଶ୍ୟକତା ରହିଛି ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଥିଲେ।

ସେହିପରି ଶୁଭେନ୍ଦୁ କହିଥିଲେ ଯେ ଆଗକୁ ରାମ ନବମୀ ପୂଜା ଆସୁଛି। ଏହି ପୂଜାରେ ପ୍ରଭୁ ରାମଚନ୍ଦ୍ରଙ୍କର କେଉଁ ଫୁଲରେ ପୂଜା କରାଯିବ ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଥିଲେ। ଏଥିସହ ସେ କହିଥିଲେ, ଆପଣମାନେ ଜାଣନ୍ତି ରାମସୀତାଙ୍କର କେଉଁ ଫୁଲରେ ପୁଜା ହୁଏ। ତେଣୁ ଆପଣମାନେ ପଦ୍ମ ଫୁଲକୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ବିଜେପିକୁ ଜିତାନ୍ତୁ। ଆପଣମାନେ ସବୁବେଳେ ବୁଥରେ ଥିବା ଇଭିଏମରେ ଏକ ନମ୍ବରରେ ଥିବା ବଟମକୁ ଚିପିବେ। ରାଜ୍ୟ ସରକାର ସନ୍ତୁଷ୍ଟିକରଣ ରାଜନୀତିରେ ମାତିଥିଲେ ହେଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ରାଜ୍ୟବାସୀ ଏହା ବିରୋଧରେ ଭୋଟିଂ କରିଛନ୍ତି ବୋଲି ଶୁଭେନ୍ଦୁ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ଏପରି ଅଭିଭାଷଣ ପରେ ଧାର୍ମିକ ଆକ୍ଷେପ କରିବାକୁ ନେଇ ଇସିଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧିର ଦୁଇଟି ଅନୁଚ୍ଛେଦରେ ମାମଲା ରୁଜୁ କରିବା ସହ  ଶୁଭେନ୍ଦୁଙ୍କୁ ଗୁରୁବାର ଇସି ନୋଟିସ କରିଛନ୍ତି। ଗୋଟିଏ ପଟେ ଶୁଭେନ୍ଦୁ କୌଣସି ରାଜନୈତିକ ଦଳର ଅପମାନ କରିଛନ୍ତି। ସେହିପରି ଭୋଟ୍ ହାସଲ କରିବା ସକାଶେ କୌଣସି ପ୍ରାର୍ଥୀ କୌଣସି ଜାତି କିମ୍ବା ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଇସି କହିଛନ୍ତି।

ଏପ୍ରିଲ ୧୦ ତାରିଖରେ ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିଲା ବେଳେ ଶୁଭେନ୍ଦୁଙ୍କୁ ଇସିଙ୍କ ନୋଟିସ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଶୁଭେନ୍ଦୁ ବେଙ୍ଗଲରେ ବିଜେପିର ଚେହେରା ଭାବେ ଷ୍ଟାର ପ୍ରଚାରକ ହୋଇ ପ୍ରଚାର କରୁଛନ୍ତି। ଅନ୍ୟପକ୍ଷରେ ବେଙ୍ଗରେ ୮ ପର୍ଯ୍ୟାୟ ନିର୍ବାଚନକୁ ନେଇ ବିଜେପି ଓ ଶାସନ କ୍ଷମତାରେ ଥିବା ଟିଏମସି ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ