ପିଲାଙ୍କୁ ବୁଝାନ୍ତୁ ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ୟକର ଖାଦ୍ୟର ପାର୍ଥକ୍ୟ


ପ୍ରତୀକାତ୍ମକ ଫଟୋ
କେତେକ ଖାଦ୍ୟ ପାଟିକୁ ତ ଭଲ ଲାଗିଥାଏ, ମାତ୍ର ଏହା ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ। ସେହିପରି କେତେକ ଖାଦ୍ୟ ସ୍ବାଦିଷ୍ଟ ହୋଇ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ ହୋଇଥାଏ। ଏପରିସ୍ଥଳେ ପିଲାଙ୍କୁ ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟରେ ଥିବା ପ୍ରଭେଦକୁ ବୁଝାଇବା କଷ୍ଟକର ହୋଇଥାଏ। ଏଠାରେ ଏମିତି କିଛି ଟିପ୍‌ସ ଦିଆଯାଉଛି ଯାହା ଅନୁସରଣ କରିବା ପରେ ଆପଣ ନିଜ ପିଲାକୁ ସ୍ବାସ୍ଥ୍ୟକର ଖାଦ୍ୟ ଖୁଆଇପାରିବେ ଏବଂ ପିଲାମାନେ ଖାଦ୍ୟ ଗ୍ରହଣ କରିବା ପରେ ଖୁସି ମଧ୍ୟ ହେବେ।

ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ କ’ଣ ପିଲାଙ୍କୁ ବୁଝାନ୍ତୁ
ଡା. ସଞ୍ଜନାଙ୍କ କହିବାନୁସାରେ ପିଲାମାନେ ଚିପ୍‌ସ, ଫ୍ରାଏଡ୍‌ ଫୁଡ୍‌, ପିଜ୍ଜା ଏବଂ ବର୍ଗର ଭଳି ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି। ତେଣୁ ପୋଷକତତ୍ତ୍ବରେ ଭରପୂର ଖାଦ୍ୟ ଡାଏଟ୍‌ରେ ସାମିଲ କରିବା ଲାଗି ପିଲାବେଳୁ ଅଭ୍ୟାସରେ ପକାନ୍ତୁ। ସେମାନଙ୍କୁ ବୁଝାନ୍ତୁ ଯେଉଁ ଖାଦ୍ୟ ଖାଇ ସେ ଖୁସି ଅନୁଭବ କରୁଛନ୍ତି ବାସ୍ତବିକ ଏହା ସ୍ବାସ୍ଥ୍ୟକର ହୋଇ ନ ପାରେ। ଯେଉଁ ଖାଦ୍ୟ ପାଟିକୁ ଭଲ ଲାଗୁନାହିଁ, ଜରୁରୀ ନୁହେଁ ଯେ ତାହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବ।

ଏକସଙ୍ଗେ ଖାଆନ୍ତୁ
ପରିବାରର ସମସ୍ତ ସଦସ୍ୟ ଏକାସାଙ୍ଗରେ ଖାଇବାକୁ ବସନ୍ତୁ। ଖାଇବା ସମୟରେ ଟିଭି ଦେଖନ୍ତୁ ନାହିଁ। ଖାଇବା ସମୟରେ ଟିଭି ଦେଖିବା ଫଳରେ ଧ୍ୟାନ ଏପଟସେପଟ ହୋଇଥାଏ। ଆପଣ ନିଜେ ମଧ୍ୟ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଆପଣ ଯେଉଁଭଳି ଖାଦ୍ୟ ଖାଇବେ, ଏହାର ପ୍ରଭାବ ମଧ୍ୟ ପିଲାଙ୍କ ଉପରେ ପଡ଼ିଥାଏ। ଖାଇବା ଜିନିଷ କିଣୁଥିବାବେଳେ ପିଲାଙ୍କୁ ଏଥିରେ ସାମିଲ କରନ୍ତୁ। ଯାହାଫଳରେ ସେମାନଙ୍କର ମଧ୍ୟ ଏହାକୁ ନେଇ ଆଗ୍ରହ ବଢ଼ିବ। ପିଲାଙ୍କୁ ଭୋକ ଲାଗିଲେ ଚିପ୍‌ସ, କୁକିଜ୍‌ ଆଦି ନ ଦେଇ ସେଓ, ଡ୍ରାଏଫ୍ରୁଟ୍‌ ଆଦି ଖାଇବାକୁ ଦିଅନ୍ତୁ। ଏହାବ୍ୟତୀତ ବାହାରକୁ ବୁଲିବାକୁ ଯାଉଥିଲେ ଘରୁ ସାଙ୍ଗରେ ସ୍ୟାଣ୍ଡୱିଚ୍‌, ଫଳ ତଥା ପପକର୍ଣ୍ଣ ନେଇ ଯାଆନ୍ତୁ।

ଖାଦ୍ୟରେ କରନ୍ତୁ ବିଭିନ୍ନ ପ୍ରୟୋଗ
ଖାଦ୍ୟରେ ବିଭିନ୍ନ ପ୍ରକାର ଏକ୍ସପେରିମେଣ୍ଟ କରନ୍ତୁ। ଯଦି ପିଲାମାନେ ଫାଷ୍ଟ ଫୁଡ୍‌ ଖାଇବାକୁ ଜିଦ୍‌ କରୁଛନ୍ତି, ତେବେ ସେମାନଙ୍କ ଜିଦ୍‌ ନିହାତି ପୂରଣ କରନ୍ତୁ। ମାତ୍ର ଏହାର ହେଲ୍‌ଦି ଭର୍ସନ ପିଲାଙ୍କୁ ଖୁଆନ୍ତୁ। ଯେମିତିକି ବର୍ଗରରେ ଆଳୁ ଟିକ୍କି ସ୍ଥାନରେ ବିଭିନ୍ନ ପ୍ରକାରର ପରିବା ମିଶାଇ ଟିକ୍କି ପ୍ରସ୍ତୁତ କରନ୍ତୁ। ସେହିପରି ନୁଡଲ୍ସରେ ବିଭିନ୍ନ ପ୍ରକାରର ପରିବା ମିଶାଇ ପିଲାଙ୍କୁ ଖାଇବାକୁ ଦିଅନ୍ତୁ। ରେସ୍ତୋରାଁରେ ଖାଉଥିଲେ ଗ୍ରିଲ୍‌ଡ ସ୍ୟାଣ୍ଡୱିଚ୍‌, ସାଲାଡ଼ ଏବଂ ଫଳରେ ତିଆରି କରାଯାଇଥିବା ଖାଦ୍ୟ ଅର୍ଡର କରନ୍ତୁ।

ଆପଣାନ୍ତୁ ଉପଯୁକ୍ତ ରୋଷେଇ ପଦ୍ଧତି
ରୋଷେଇ କରିବା ଲାଗି ଉପଯୁକ୍ତ ପଦ୍ଧତି ଅବଲମ୍ବନ କରନ୍ତୁ। ଡିପ୍‌ ଫ୍ରାଏ ବଦଳରେ କମ୍‌ ଫ୍ରାଏ କରନ୍ତୁ। ଯେଉଁ ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ବିଶେଷ ଉପକାରୀ ନୁହେଁ, ତାହାକୁ କମ୍‌ ପରିମାଣର ରୋଷେଇ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ