ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଟିଏମସି ମହିଳା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ


ଅଭିଯୁକ୍ତମାନେ ଲାଠି ଓ ଲୁହାଛଡ଼ ଧରି ଟିଏମସି ପ୍ରାର୍ଥୀ ସୁଜାତା ମଣ୍ଡଳ ଖାନ (ଫଟୋ ଇନସେଟ)ଙ୍କୁ ଗୋଡ଼ାଉଛନ୍ତି
ମଙ୍ଗଳବାର ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ କାଁଭାଁ ସ୍ଥାନରେ ଗଣ୍ଡଗୋଳ ଘଟିଛି। ଆରାମବାଗ ନିର୍ବାଚନମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ ସୁଜାତା ମଣ୍ଡଳ ଖାନଙ୍କୁ ବିଜେପି ସମର୍ଥକମାନେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଆରାଣ୍ଡି ଅଞ୍ଚଳର ଗୋଟିଏ ବୁଥ୍ ପରିଦର୍ଶନ କରୁଥିବାବେଳେ ଅଭିଯୁକ୍ତମାନେ ଲାଠି ଓ ଲୁହାଛଡ଼ ଧରି ତାଙ୍କୁ ଗୋଡ଼ାଇଥିଲେ। ସୁଜାତା ପ୍ରାଣବିକଳରେ ବିଲ ମଧ୍ୟରେ ଦୌଡ଼ି ପ୍ରାଣ ବଞ୍ଚାଇଥିବା ବେଳେ ତାଙ୍କ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହି ମାମଲାରେ ଉଭୟ ବିଜେପି ଓ ଟିଏମସିର ୫ ଜଣ ସମର୍ଥକ ଗିରଫ ହୋଇଛନ୍ତି। ଏହାଛଡ଼ା ହୁଗୁଳି ଜିଲ୍ଲାର ଖାନାକୁଲ ନିର୍ବାଚନମଣ୍ଡଳୀରେ ମଧ୍ୟ ଟିଏମସି ପ୍ରାର୍ଥୀ ନାଜିବୁଲ କରିମଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ସେହିପରି ବିଜେପିର ଜନୈକା ମହିଳା ପ୍ରାର୍ଥୀ ପାପିୟା ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେ ଉଲୁବେରିଆ ଦକ୍ଷିଣ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ପାପିୟା ଅଭିଯୋଗ କରିଛନ୍ତି। ଏହାଛଡ଼ା କ୍ୟାନିଂ ଇଷ୍ଟ ଆସନର ଏକ ବୁଥରେ ମୁତୟନ ସୁରକ୍ଷାକର୍ମୀ ଟିଏମସି ପ୍ରାର୍ଥୀଙ୍କ ପ୍ରବେଶକୁ ବାଧା ଦେଇଥିଲେ। ମଙ୍ଗଳବାର ସକାଳୁ ସନ୍ଧ୍ୟା ମଧ୍ୟରେ ଟିଏମସି ପ୍ରାର୍ଥୀ ଓ କର୍ମୀଙ୍କ ଉପରେ ହୋଇଥିବା ଏଭଳି ଶତାଧିକ ଆକ୍ରମଣ ଅଭିଯୋଗ ତାଙ୍କ ନିକଟରେ ପହଞ୍ଚିଥିବା ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କେତେକ ବୁଥରେ ଭୋଟର ଟିଏମସି ପ୍ରାର୍ଥୀଙ୍କ ଚିହ୍ନରେ ସୁଇଚ୍ ଚିପିଥିଲେ ସୁଦ୍ଧା ଭୋଟ୍ ବିଜେପି ପ୍ରାର୍ଥୀଙ୍କ ଖାତାକୁ ଯାଇଛି ବୋଲି ମଧ୍ୟ ମମତା ସଙ୍ଗିନ ଅଭିଯୋଗ କରିଛନ୍ତି। ହୁଗୁଳି ଜିଲ୍ଲାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଟିଏମସି ଗୁଣ୍ଡାମାନେ ମହିଳାଙ୍କୁ ହତ୍ୟା କରିଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ଟିଏମସି ମୁଖପାତ୍ର ଏହାକୁ ଖଣ୍ଡନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ