ଚେନ୍ନାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଅନ୍ୟତମ ସଫଳ ଅଭିନେତ୍ରୀ ନଗମା ଗୁରୁବାର କୋଭିଡ୍ ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି। ନିକଟରେ ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର, ଗୋବିନ୍ଦା, ଭିକି କୌଶଲ, କ୍ୟାଟରିନା କୈଫ୍ ଆଦି ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଥିବା ବେଳେ ଏହି ତାଲିକାରେ ଗୁରୁବାର ନଗମାଙ୍କ ନାମ ଯୋଡ଼ି ହୋଇଯାଇଛି। କୋଭିଡ୍ ପଜିଟିଭ୍ ନମୁନା ଆସିବା ପରେ ନଗମା ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ନଗମା ଏନେଇ ଟ୍ବିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଗତ ଏପ୍ରିଲ୍ ୨ ତାରିଖରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ ଏବେ କୋଭିଡ୍ ପଜିଟିଭ୍ ବାହାରିଥିବା ଟ୍ବିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ସମସ୍ତେ ଘରେ ରହି ନିଜକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବା ପରେ ବି ଆମେ ଆଦୌ କୋରୋନା ଭୂତାଣୁକୁ ହାଲକା ଭାବେ ନେବା ଉଚିତ ନୁହେଁ ବୋଲି ନଗମା ସୋସାଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି।
ନଗମା ଟ୍ବିଟ୍ କରିବା ପରେ ଅଭିନେତ୍ରୀ ସୋନି ରାଜଦାନ୍ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ନଗମାଙ୍କଠାରେ ଯଦି କୌଣସି ପ୍ରକାର କୋଭିଡ୍ ଲକ୍ଷଣ ଦେଖାଯାଉନାହିଁ, ତା’ହେଲେ ତାଙ୍କର ରିପୋର୍ଟ ଭୁଲ୍ ଅଛି ବୋଲି ରାଜଦାନ କହିଛନ୍ତି। ରାଜଦାନଙ୍କ ଏପରି ଟ୍ବିଟର ଜବାବ ଦେବାକୁ ଯାଇ ନଗମା କହିଛନ୍ତି ଯେ ତାଙ୍କଠାରେ କେତେକ ଲକ୍ଷଣ ପ୍ରକାଶ ପାଇଛି। ଯେପରି ତାଙ୍କର ଯଥେଷ୍ଟ କଫ ବାହାରିବା ସହ ସେ କେତେକ ମେଡିସିନ୍ ମଧ୍ୟ ଗ୍ରହଣ କରିଛନ୍ତି। ତେବେ ବର୍ତ୍ତମାନ ସବୁଠାରୁ ନିୟନ୍ତ୍ରଣାଧୀନ ଅଛି। ଜଣେ ଶୁଭେଚ୍ଛୁ ଭାବେ ରାଜଦାନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବାରୁ ନଗମା ତାଙ୍କୁ ବହୁତ ବହୁତ ଧନବାଦ ବୋଲି କହିଛନ୍ତି। ନିକଟରେ ନଗମା କୋଭିଡ୍ ଟିକାର ପ୍ରଥମ ଟିକା ନେବା ପରେ ତାଙ୍କଠାରେ ସାମାନ୍ୟ ଜ୍ବର ଦେଖାଯିବା ସହ ମୁଣ୍ଡବ୍ୟଥା, ଥଣ୍ଡା ଓ କଫଜନିତ ସମସ୍ୟା ଦେଖାଦେଇଥିଲା। ଏପରିକି ତାଙ୍କ ଆଖିରେ ମଧ୍ୟ ଜଳାପୋଡ଼ା ହୋଇଥିଲା। ଏନେଇ ଡାକ୍ତରମାନେ ତାଙ୍କୁ ଦୁଇ ସମ୍ପୂର୍ଣ୍ଣ ଭାବେ ଦୁଇ ଦିନ ପାଇଁ ଘରେ ଅବଜର୍ଭେସନରେ ରହିବାକୁ ପରାମର୍ଶ ଦେଇଥିବା ନଗମା ଟ୍ବିଟ୍ କରିଥିଲେ।