ମୁଖ୍ୟ ଖବର
କୋଟିଆରେ ଗ୍ରାମବାସୀ-ପୋଲିସ୍ ମୁହାଁମୁହିଁ

ମୁହାଁମୁହିଁ ଅବସ୍ଥାରେ ପୋଲିସ୍ ଓ ଗ୍ରାମବାସୀ
କୋରାପୁଟ: ଓଡ଼ିଶାର ତୀବ୍ର ବିରୋଧ ସତ୍ତ୍ବେ କୋଟିଆ ପଞ୍ଚାୟତରେ ନିର୍ବାଚନ କରୁଛି ଆନ୍ଧ୍ର। କୋଟିଆର ନେରେଡ଼ିଓ୍ୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଥିବା ବେଳେ କେତେକ ଲୋକ ଭୋଟ୍ ଦେଇଥିବା ସୂଚନା ମିଳିଛି। ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ୧୪୪ ଧାରା ଜାରି ସତ୍ତ୍ବେ ଲୋକମାନେ ଯାଇ ଭୋଟ୍ ଦେଇଛନ୍ତି। ଭୋଟ ଦେବାକୁ ଯାଉଥିବା ବେଳେ ନେରେଡ଼ିଓ୍ୱାଲସା ଗ୍ରାମବାସୀ ଓ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି। କୋଟିଆର କେତେକ ଲୋକ ପୋଲିସ୍ ସହିତ ଠେଲାପେଲା କରିଥିବା ସୂଚନା ମିଳିଛି।
ତେବେ ତଳ ଗଞ୍ଜେଇପଦର, ଉପର ସେମ୍ବି ଓ ଧୂଳିପଦର ଲୋକମାନେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭୋଟ୍ ଦେଇ ନ ଥିଲେ। ଅନ୍ୟପକ୍ଷରେ, ଦୁଇ ରାଜ୍ୟର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି। ସେପଟେ ନିର୍ବାଚନ ସଫଳ କରିବାକୁ ଆନ୍ଧ୍ରର ନିର୍ବାଚନ ଅଧିକାରୀ ଓ ପୋଲିସ୍ ମଧ୍ୟ ଉପସ୍ଥିତ ଅଛନ୍ତି। ନିର୍ବାଚନକୁ ପ୍ରତିହତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ୨୨ଗାଁ ପାଇଁ ୨୨ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ୨୨ ଗାଁରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ନିର୍ବାଚନ କରାଇ ନ ଦେବା ପାଇଁ ଅଣ୍ଟା ଭିଡ଼ି ସମସ୍ତ ରାଜନୈତିକ ଦଳର ନେତାମାନେ ମଧ୍ୟ ଏକଜୁଟ ହୋଇଛନ୍ତି। ବିଜେଡି, ବିଜେପି ଏବଂ କଂଗ୍ରେସ ନେତାମାନେ ଫାଟୁସିନେରୀ ନିକଟ ଓଡିଶା-ଆନ୍ଧ୍ର ସୀମା ରେ ରାସ୍ତା ଅବରୋଧ କରିଛନ୍ତି। ଓଡିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି। ହେଲେ ସବୁ ସତ୍ତ୍ବେ ଲୋକମାନେ ଭୋଟ ଦେଉଥିବା ଦେଖିବାକୁ ମିଳିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ