ଟିକା ନ ଆସିଲେ ଶନିବାରଠାରୁ ବନ୍ଦ ହେବ ଟିକାକରଣ

ଏବେ ୭୦୦ ଟିକାକରଣ କେନ୍ଦ୍ର ବନ୍ଦ

ଟିକାକରଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ସେଣ୍ଟର୍‌ (ଫାଇଲ୍‌ ଫଟୋ)
ଭୁବନେଶ୍ବର: ରାଜ୍ୟରେ ମହାମାରୀ ଏବେ ଲମ୍ବ ଡିଆଁ ମାରୁଥିବା ବେଳେ ଛାନିଆ ହୋଇପଡ଼ିଛନ୍ତି ରାଜ୍ୟବାସୀ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଖାଦେଲାଣି ଟିକାର ଅଭାବ। ଆବଶ୍ୟକ ମୁତାବକ କୋଭିଡ୍‌ ଟିକା ମହଜୁଦ ନ ଥିବା କାରଣରୁ ବାଧାପ୍ରାପ୍ତ ହେଲାଣି ଟିକାଦାନ କାର୍ଯ୍ୟକ୍ରମ। ଟିକା ଅଭାବରୁ ବର୍ତ୍ତମାନ ରାଜ୍ୟର ପ୍ରାୟ ୭ ଶହ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି। ଯଦି ଆଜି ସନ୍ଧ୍ୟା ସୁଦ୍ଧା ଟିକା ନ ଆସେ, ତେବେ ଶନିବାରଠାରୁ ରାଜ୍ୟରେ ଟିକାକରଣ ବନ୍ଦ ହୋଇଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଦେଇଥିବା ସୂଚନା ଅନୁସାରେ, ବୁଧବାର ଓଡ଼ିଶାରେ ୧ ଲକ୍ଷ ୧୦ ହଜାର ୮୮୯ ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏବେ ୪ ଲକ୍ଷ ୩୫ ହଜାର ୩୨୦ ଡୋଜ୍‌ କୋଭିଶିଲଡ଼ ଏବଂ ୧ ଲକ୍ଷ ୧୪ ହଜାର ୪୯୦ ଡୋଜ୍‌ କୋଭାକ୍ସିନ୍‌ ଟିକା ମହଜୁଦ ଅଛି। କୋଭାକ୍ସିନ କେବଳ ଭୁବନେଶ୍ୱରରେ ଦିଆଯାଉଥିବାରୁ ମହଜୁଦ୍ ଥିବା ଟିକା ୧୦ ଦିନ ଯିବ। ମାତ୍ର କୋଭିଶିଲଡ୍‌ ଟିକା ଆସନ୍ତା ୨ ଦିନ ଭିତରେ ସରିଯିବ। ଟିକା ଅଭାବରୁ ବୁଧବାର ଦିନ ୭୦୦ଟି ଟିକା କରଣ କେନ୍ଦ୍ର ବନ୍ଦ ହେଇଯାଇଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଟିକାକରଣ ସମ୍ପୂର୍ଣ ବନ୍ଦ ହୋଇଛି। ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍‌ ଟିକା କେନ୍ଦ୍ରକୁ ମଗାଯାଇଛି। ମାତ୍ର କେନ୍ଦ୍ର ସରକାରଙ୍କଠାରୁ କୌଣସି ଉତ୍ତର ଆସିନାହିଁ। ୯ ତାରିଖ ସୁଦ୍ଧା ଅଧିକ ଟିକା ନ ପହଞ୍ଚିଲେ ରାଜ୍ୟରେ କୋଭିଡ୍ ଟିକାକରାଣ ବାଧାପ୍ରାପ୍ତ ହେବ। ଦ୍ୱିତୀୟ ଡୋଜ୍ ନେବାକୁ ଥିବା ହିତାଧିକାରୀଙ୍କ ଟିକାଦାନ ବିଳମ୍ବ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଟିକାକରଣ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଯେଉଁଠି ୧୦୦ରୁ ଅଧିକ କର୍ମଚାରୀ ଥିବେ ସେଠାରେ ଭ୍ୟାକ୍ସିନ ସେଣ୍ଟର୍‌ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ରରୁ ନିର୍ଦେଶ ଆସିଛି। ଏପ୍ରିଲ୍‌ ୧୧ ତାରିଖ ପରଠୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଯୋଜନା କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ