ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ କୋରୋନାର ଦୈନିକ ସଂକ୍ରମଣ ସୀମା ଟପୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱର ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ଦ୍ବିତୀୟ ଦିନ ପାଇଁ କୋରୋନା ସଂକ୍ରମଣ ସେଞ୍ଚୁରୀ ମାରିଛି। ଗତିକାଲି ରାଜଧାନୀରୁ ୧୦୧ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୧୦୩ ଜଣ। ସେଥିରୁ ୨୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର୍ରୁ ରହିଥିବାବେଳେ ୭୯ ଲୋକାଲ୍ କେସ୍ ରହିଥିବା ଟ୍ବିଟ୍ କରି ସୂଚନା ଦେଇଛି ବିଏମ୍ସି। ଅନ୍ୟପକ୍ଷରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ରାମ ମନ୍ଦିର କନ୍ଫରେନ୍ସ ହଲକୁ ସିଲ୍ କରିଥିବାବେଳେ ପଲ୍ଲାସପଲ୍ଲୀସ୍ଥିତ ଅକ୍ସଫୋର୍ଡ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍ କଲେଜକୁ ସିଲ୍ କରିଛି ବିଏମ୍ସି। ସେହିପରି ସାଧାରଣ ଲୋକଙ୍କୁ ବିଏମ୍ସି ଓ ବିଡିଏ କାର୍ଯ୍ୟାଳୟକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ବିଏମ୍ସିର ରିପୋର୍ଟ ମୁତାବକ, ବୁଧବାର ରାଜଧାନୀରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଟଙ୍କପାଣି ରୋଡ୍ ଅଞ୍ଚଳରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଭରତପୁର, ବିଜେପି ନଗର, ବମିଖାଲ୍, ଚିନ୍ତାମଣିଶ୍ୱର, ଜୟଦେବ ବିହାର, ବଞ୍ଚେଶ୍ୱର, ଶୈନିକ ସ୍କୁଲ୍ ନିକଟବର୍ତ୍ତି, ଫୁଲନଖରା, ପୋଖରୀପୁଟ୍, ସିଜୁଆ, ଭିଭେକାନନ୍ଦ ମାର୍ଗ, ୟୁନିଟ୍-୨, ୟୁନିଟ୍-୯, ବାଣୀବିହାରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍-୮ରୁ ୨ ଜଣ, ଆଚାର୍ଯ୍ୟ ବିହାରରୁ ୩ ଜଣ, ରସୁଲଗଡ଼ରୁ ୩ ଜଣ, ଶହୀଦ ନଗରରୁ ୨ ଜଣ, ଶୈଳଶ୍ରୀ ବିହାରରୁ ୨ ଜଣ, ସତ୍ୟନଗରରୁ ୨ ଜଣ, ଓଲ୍ଡ ଟାଉନ୍ରୁ ୬ ଜଣ, ପାଇକ ନଗରରୁ ୨ ଜଣ, ପଟିଆରୁ ୫ ଜଣ, ଝାରପଡ଼ାରୁ ୨ ଜଣ, କଳିଙ୍ଗ ବିହାରରୁ ୨ ଜଣ, କଳ୍ପନାରୁ ୨ ଜଣ, ଲକ୍ଷ୍ମୀ ସାଗରରୁ ୨ ଜଣ, ନୟାପଲ୍ଲୀରୁ ୨ ଜଣ, ବରଗଡ଼ରୁ ୩ ଜଣ, ବରମୁଣ୍ଡାରୁ ୩ ଓ ଖଣ୍ଡଗିରିରୁ ୮ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୩୨ ହଜାର ୯୩୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୨ ହଜାର ୫୩ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୬୧୧ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ରାମ ମନ୍ଦିର କନ୍ଫରେନ୍ସ ହଲ୍କୁ ସିଲ୍ କରିଛି ବିଏମ୍ସି। କନ୍ଫରେନ୍ସ ହଲ୍ରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା, ଯେଉଁଥରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ହୋଇଥିଲା। ବିଏମ୍ସିର ବିନା ଅନୁମତିରେ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିବାରୁ ରାମ ମନ୍ଦିର କାର୍ଯ୍ୟକ୍ରମ ହଲକୁ ସିଲ୍ କରି ଦେଇଛି ବିଏମ୍ସି। ଏଥିସହ ଜନ୍ମଦିନ ଉତ୍ସବ ଆୟୋଜନକାରୀଙ୍କୁ ବିଏମ୍ସି ୫ ହଜାର ଟଙ୍କା ଜରିମାନା କରିଛି। ବିଏମ୍ସି ଠାରୁ ଅନୁମତି ନେଇ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କମିଶନର ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପଲ୍ଲାସପଲ୍ଲୀସ୍ଥିତ ଅକ୍ସଫୋର୍ଡ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍ କଲେଜକୁ ସିଲ୍ କରିଛି ବିଏମ୍ସି। କଲେଜ କର୍ତ୍ତୃପକ୍ଷ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରୁ ନ ଥିବାରୁ ବିଏମ୍ସି ସିଲ୍ କରିଥିବା ଜଣାପଡ଼ିଛି। ମଙ୍ଗଳବାର ବିଏମ୍ସି କର୍ତ୍ତୃପକ୍ଷ ସମାନ ଅଭିଯୋଗରେ ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍କୁ ମଧ୍ୟ ସିଲ୍ କରି ଦେଇଥିଲେ।
ବଢ଼ି ଚାଲିଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବିଡିଏ ଓ ବିଏମ୍ସି ଅଫିସ୍ରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ସାଧାରଣ ଲୋକଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ରହିଛି, ସେମାନେ ବିଡିଓ-ବିଏମ୍ସି ଓ ସ୍ମାର୍ଟସିଟିର ଥିବା ଏକକ ପୋର୍ଟାଲ୍ bhubaneswar.me କୁ ଯାଇ ସିଟିଜେନ୍ ସର୍ଭିସେସ୍ରେ ତାହାକୁ ଦାଖଲ କରିପାରିବେ। ସେମାନେ ମଧ୍ୟ ବିଏମ୍ସି ଟେଲିଫୋନ ନମ୍ବର ୦୬୭୪-୨୪୩୧୨୫୩ କିମ୍ବା ଇମେଲ: info@bmc.in ଏବଂ ବିଡିଏର ଫୋନ୍ ନମ୍ବର ୦୬୭୪-୨୩୯୨୨୮୦ କିମ୍ବା ଇମେଲ୍ ଆଇଡି bdabbsr1983@gmail.com ରେ ଅଫିସ୍ ସମୟରେ ଯୋଗାଯୋଗ କରିପାରିବେ। ଜରୁରୀ ପରିସ୍ଥିତରେ ବରିଷ୍ଠ ଅଧିକାରୀଙ୍କ ଅନୁମତିକ୍ରମେ ପ୍ରବେଶ ଅନୁମତି ମିଳିପାରିବ। ଅନ୍ୟପକ୍ଷରେ ଅଫିସ ଓ ଅନ୍ୟ ସ୍ଥାନରେ ବୈଠକ ସଭା ଆଦି ଆୟୋଜନକୁ ବାରଣ କରାଯାଇଛି।