ଯାଆଁଳା ଦମ୍ପତିଙ୍କ ସନ୍ତାନ ଯାଆଁଳା ଭଳି ହେବେ ତ!


ଆମେରିକାର ଭର୍ଜିନିଆରେ ରହୁଥିବା ଯାଆଁଳା ଦମ୍ପତି ଦ୍ବୟ
ଦୁଇ ଯାଆଁଳା ଦମ୍ପତିଙ୍କ ଆଖିରେ ଆଖିଏ ସ୍ବପ୍ନ। ପରସ୍ପର ସହ ଦେଖାହେବା ପରଠାରୁ ବିବାହ, ବୈବାହିକ ଜୀବନର ଅୟମାରମ୍ଭ ଓ ଏବେ ପିତାମାତା ହେବାର ଗୌରବ ସବୁ ଯେମିତି ପରୀ କାହାଣୀ। ଦୁଇ ଯାଆଁଳା ଭଉଣୀକୁ ବାହା ହୋଇଛନ୍ତି ଦୁଇ ଯାଆଁଳା ଭାଇ। ଦୁଇ ଦମ୍ପତିଙ୍କ ମଧ୍ୟରୁ ଗୋଟିଏ ଦମ୍ପତି ସେମାନଙ୍କ ପ୍ରଥମ ସନ୍ତାନ ଲାଭ କରିଥିବା ବେଳେ ଅନ୍ୟ ଏକ ଦମ୍ପତି ଏହି ଅପେକ୍ଷାରେ ରହିଛନ୍ତି। ଏବେ ସେମାନଙ୍କ ସନ୍ତାନ ଯାଆଁଳା ଭଳି ହେବେ କି ବୋଲି ସମ୍ଭାବନା ଉଙ୍କି ମାରିଛି। ଜଣେ ଦୁନିଆକୁ ଆସିସାରିଥିବା ବେଳେ ଅନ୍ୟ ନୂଆ ଅତିଥି ଜଣକ ଅନ୍ତତଃପକ୍ଷେ ଠିକ ତାଙ୍କ ଭଳି ଦେଖାଯିବ ବୋଲି ଦୁଇ ଦମ୍ପତି ବେଶ ଉତ୍କଣ୍ଠିତ ଅଛନ୍ତି।

୨୦୧୭ରେ ୩୩ ବର୍ଷୀୟା ଯାଆଁଳା ଭଉଣୀ ବ୍ରିଟାନି ଓ ବ୍ରିଆନା ଡିନ ଏକ ଯାଆଁଳା ଉତ୍ସବରେ ୩୫ ବର୍ଷୀୟ ଯାଆଁଳା ଭ୍ରାତା ଜୋଶ ଓ ଜେରେମି ସେଲୟର୍ସଙ୍କୁ ଭେଟିଥିଲେ। ଏହାର ଠିକ ଛଅମାସ ପରେ ସେଲୟର୍ସ ଭ୍ରାତା ଦ୍ବୟ ଦୁଇ ଯାଆଁଳା ଭଉଣୀଙ୍କୁ ପ୍ରପୋଜ କରିଥିଲେ। ୨୦୧୮ ଅଗଷ୍ଟରେ ଏହି ଦୁଇ ଯାଆଁଳା ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଅଧୁନା ଏ ଦମ୍ପତି ଦ୍ବୟ ଆମେରିକାର ଭର୍ଜିନିଆରେ ରହୁଛନ୍ତି। ଆଗ୍ରହର ବିଷୟ ହେଉଛି ଯେ ଗତବର୍ଷ ପ୍ରାୟତଃ ଏକ ସମୟରେ ଦୁଇ ଯାଆଁଳା ଭଉଣୀ ଗର୍ଭବତୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବ୍ରିଟାନି ନିକଟରେ ପୁତ୍ର ସନ୍ତାନ ଲାଭ କରିଥିବା ବେଳେ ବ୍ରିଆନା ତାଙ୍କ ପ୍ରଥମ ସନ୍ତାନ ଅପେକ୍ଷାରେ ରହିଛନ୍ତି।

ଜୋଶ ଓ ବ୍ରିଟାନି ନିକଟରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେମାନଙ୍କ ପୁତ୍ରସନ୍ତାନର ଫଟୋ ଶେୟାର କରିଛନ୍ତି। ସେମାନେ ନବଜାତକର ନାମ ଜେଟ ରଖିଥିବା ବେଳେ ଏହି ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଦମ୍ପତି ଦ୍ବୟ ମିଶି ପରିଚାଳନା କରୁଛନ୍ତି। ଏହା ପୂର୍ବରୁ ଫେବ୍ରୁଆରୀ ୧୨ରେ ଦମ୍ପତି ଦ୍ବୟ ବ୍ରିଟାନି ଜେଟକୁ ଧରିଥିବା ଓ ଗର୍ଭବତୀ ବ୍ରିଆନାଙ୍କ ଦୁଇଟି ଫଟୋର କୋଲାଜ ଶେୟାର କରିଥିଲେ। ଏହି ପୋଜ ମାଧ୍ୟମରେ ସେମାନେ ବ୍ରିଆନାଙ୍କ ସମ୍ଭାବ୍ୟ ସନ୍ତାନର ନାମ ପାଇଁ ପରାମର୍ଶ ମାଗିବା ସହ ନୂଆ ଅତିଥିଙ୍କ ଆଗମନ ପାଇଁ ବେଶ ଉତ୍କଣ୍ଠିତ ଥିବା ଦର୍ଶାଇଥିଲେ। ପୁଅ ହେଉ କି ଝିଅ, ତାହାର ନାମ କିଭଳି ଜେଟ ସହ ମେଳ ଖାଇବ, ସେନେଇ ସେମାନେ ପରାମର୍ଶ ଚାହିଥିଲେ।

ଆଉ ଏକ ପୋଷ୍ଟରେ ବେବି ଜେଟକୁ ପରିଚିତ କରାଇବା ସହିତ ଜୋଶ ଲେଖିଥିଲେ ଯେ ବ୍ରିଟାନି ଚମତ୍କାର ଭାବେ ଜେଟଙ୍କୁ ଜନ୍ମ ଦେଇଛନ୍ତି। ଆମ ସନ୍ତାନମାନେ ୪ ପିତାମାତାଙ୍କ ପ୍ରେମରେ ବାନ୍ଧିହୋଇ ରହିବା ନିଶ୍ଚିତ ବୋଲି ସେ ଲେଖିଥିଲେ। ପୂର୍ବରୁ ଗତବର୍ଷ ଅଗଷ୍ଟରେ ବ୍ରିଟାନି ଓ ବ୍ରିଆନା ଗର୍ଭବତୀ ହୋଇଥିବା ସେମାନେ ଜଣାଇଥିଲେ। ସେତେବେଳେ ସେମାନେ କହିଥିଲେ ଯେ ଆମ ସନ୍ତାନମାନେ କେବଳ ସମ୍ପର୍କୀୟ ହେବେନି, ଯାଆଁଳା ମଧ୍ୟ ହେବେ। ୨୦୧୮ରେ ବ୍ରିଟାନି ଜଣାଇଥିଲେ ଯେ ଗୋଟିଏ ଘରେ ସେମାନଙ୍କ ସନ୍ତାନଙ୍କ ଲାଳନପାଳନ କରିବାକୁ ସେମାନେ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ସେମାନଙ୍କର ମାଆ ଦୁଇ ଯାଆଁଳା ଭଉଣୀ ଓ ପିତା ଦୁଇ ଯାଆଁଳା ଭାଇ ହୋଇଥିବାରୁ ସେମାନେ ମଧ୍ୟ ସମ୍ପର୍କୀୟ ହେବା ସହ ଯାଆଁଳା ବି ହେବାର ସମ୍ଭାବନା ରହିଛି। ତେବେ ଦୁନିଆକୁ ବ୍ରିଆନାଙ୍କ ପୁତ୍ର ସନ୍ତାନ ଜେଟ ଆସିଥିବା ବେଳେ ଅନ୍ତତଃପକ୍ଷେ ବ୍ରିଆନାଙ୍କ ପ୍ରଥମ ସନ୍ତାନ ଜେଟଙ୍କ ଭଳି ଦେଖାଯିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ