ଛତିଶଗଡ଼ ନକ୍ସଲ ଆକ୍ରମଣରେ ଶହୀଦ ହେଲେ ଓଡ଼ିଆ ଯବାନ

ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଶହୀଦ ଓଡ଼ିଆ ଯବାନ ସୁବାସ ନାୟକ (ଫାଇଲ୍‌ ଫଟୋ)
ମାଲକାନଗିରି: ଗତ ଶନିବାର ଛତିଶଗଡ଼ ବିଜାପୁର ଜିଲ୍ଲାରେ ହୋଇଥିବା ବଡ଼ ଧରଣର ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ୨୨ ଜଣ ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଧନସରା ଗ୍ରାମର ଯବାନ ସୁବାସ ନାୟକ ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ତାଙ୍କ ପୈତୃକ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶହଦୀ ହୋଇଥିବା ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଲଢ଼ି ଶହୀଦ ହୋଇଥିବା ଓଡ଼ିଆ ବୀର ଯବାନ ସୁବାସ ନାଏକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ତାଙ୍କର ସାହସ, ପରାକ୍ରମ ଓ ବଳିଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ସେହିପରି ଧର୍ମେନ୍ଦ୍ର ଟ୍ବିଟ୍‌ କରି କହିଛନ୍ତି, ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଲଢ଼ି ଶହୀଦ ହୋଇଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ବୀର ଯବାନ ସୁବାସ ନାଏକଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି। ଦେଶ ମାତୃକା ସେବା ପାଇଁ ବୀର ଯବାନଙ୍କ ସୌର୍ଯ୍ୟ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସୂଚନାଯୋଗ୍ୟ, ସୁବାସଙ୍କ ବାପା ସ୍ବର୍ଗତ ସୀତାରାମ ନାୟକ କୋକସରା ବ୍ଲକ୍‌ ଧନସରା ଅଞ୍ଚଳର ମୂଳବାସିନ୍ଦା। ସେ ଆଜିକୁ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଗାଁ ମାଟି ଛାଡ଼ି ପେଟପାଟଣା ପାଇଁ  ଛତିଶଗଡ଼ ବିଜାପୁର ବାସାଗୁଡ଼ା ଗ୍ରାମରେ ରହୁଥିଲେ। ସୁବାସଙ୍କ ଜନ୍ମ ୧୯୮୬ ମସିହାରେ ବାସାଗୁଡ଼ାରେ ହୋଇଥିଲା। ପାଠପଢ଼ା ସରିବା ପରେ ସେ ୨୦୧୯ରେ ସେନାବାହିନୀରେ ଯୋଗ ଦେଇଥିଲେ ଓ ଡିଆରଜି ଯବାନ ଭାବରେ ବିଜାପୁର ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଗତ ୨ ତାରିଖରେ ସେ ଘରୁ ବାହାରି କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ଗତ ଶନିବାର ଦିନ ମଧ୍ୟ ତାଙ୍କୁ ଅପରେସନ୍‌ରେ ସାମିଲ୍‌ କରାଯାଇଥିଲା। ଦୁର୍ଭାଗ୍ୟବଶତଃ ନକ୍ସଲଙ୍କ ଆମ୍ବୁସ୍‌ରେ ଫସି ଯାଇଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ଦୃଢ଼ତାର ସହ ନକ୍ସଲଙ୍କ ବିରୋଧରେ ଲଢ଼ିଥିଲେ। ଲଢ଼େଇ କରୁ କରୁ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ମୃତ୍ୟୁ ଖବର ଜଣାପଡ଼ିବା ପରେ ବାସାଗୁଡ଼ା ସମେତ ନିଜ ପୈତୃକ ଗାଁ ଧନସରା ସମେତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗାଁରେ ଗଭୀର ଶୋକର ଛାୟା ଖେଳିଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ