ନିର୍ବାଚନ ହେବନି ତ ସୁପରସ୍ପ୍ରେଡର୍‌!

କେହି କିଛି ମାନୁନାହାନ୍ତି, ପରିସ୍ଥିତି ଘର ବୁଡ଼ି ପାଣି ଆଣ୍ଠୁଏ ସଦୃଶ

ତାମିଲନାଡୁରେ କୋରୋନା ନିୟମ ଉଲ୍ଲଂଘନ କରୁଛି ନିର୍ବାଚନ ସମାବେଶ
କୋରୋନାର ଦ୍ବିତୀୟ ଲହରୀ ଦେଶରେ ଭୟଙ୍କର ହେବାରେ ଲାଗିଛି। ପ୍ରଥମ ଲହରୀ ତୁଳନାରେ ଦ୍ବିତୀୟ ଲହରୀରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି। ବେକାବୁ ହୋଇ ମାଡ଼ି ଚାଲିଛି କୋରୋନା ସଂକ୍ରମଣ। ଯେଉଁଭଳି ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ଗତବର୍ଷ କୋରୋନାର ପ୍ରଥମ ଲହରୀରେ ଦେଶ ଯେତିକି ପ୍ରଭାବିତ ହୋଇ ନ ଥିଲା, ଏବେ ତା’ଠରୁ ଅଧିକ ସଙ୍ଗୀନ ସ୍ଥିତି ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ୧ ଲକ୍ଷ ଟପିଛି। ଯାହା ଫଳରେ ଭାରତ ଗତକାଲି ବିଶ୍ବରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଭାରତର ସ୍ଥିତି ଏବେ ଆମେରିକା ଓ ବ୍ରାଜିଲ୍ ଠାରୁ ମଧ୍ୟ ଖରାପ। ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ ଓ କେରଳ ଆଦି ରାଜ୍ୟରେ ପୁଣି ସଂକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ଏବେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପ୍ରତିଦିନ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ କୋରୋନାର ଏହି ଦ୍ବିତୀୟ ପର୍ଯ୍ୟାୟରେ ଏଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇନାହିଁ, ତେବେ କୋରୋନା ନିୟମ ମାନିବା ସହ ଲୋକମାନେ ସଚେତନ ହେବାକୁ ବିଭିନ୍ନ ସ୍ତରରୁ ଅପିଲ୍‌ କରାଯାଉଛି।

ସରକାର ମୁଖା କଟକଣା ଉପରେ ଗୁରୁତ୍ବ ଦେବା ସହ ସାମାଜିକ ଦୂରତ୍ବକୁ ବାରମ୍ବାର ଦୋହରାଉଛନ୍ତି। ଏପରିକି ସଭାସମିତି, ସମାବେଶ, ବିବାହ, ଶେଷକୃତ୍ୟ ସବୁଥିରେ ପୁଣି କଟକଣା କଡ଼ା ହେଲାଣି। କେତେକ ରାଜ୍ୟରେ କର୍ଫ୍ୟୁଠାରୁ ଆରମ୍ଭ କରି ଲକ୍‌ଡାଉନ୍‌ ସ୍ଥିତି ମଧ୍ୟ ଫେରିଲାଣି। ମାତ୍ର ସତର୍କତା ଉପରେ ଯେତେ ଗୁରୁତ୍ବ ଦିଆଗଲେ ବି ନିର୍ବାଚନ ରାଜନୀତିରେ ତାହା ଦେଖିବାକୁ ମିଳୁନାହିଁ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଓ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ରାଜନୈତିକ ଶ୍ରେଣୀକୁ ବେପରୁଆ କରିଦେଇଛି। ରାଜ୍ୟ ସରକାର ଯେତେସବୁ ମାର୍ଗନିର୍ଦେଶିକା ଜାରି କରିଛନ୍ତି, ସେଗୁଡ଼ିକୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ମାନିବାକୁ ନାରାଜ। ଏମିତିକି ନିର୍ବାଚନ କମିଶନ ମଧ୍ୟ ଲାଗୁ କରିଥିବା କୋରୋନା କଟକଣାକୁ ଏମାନେ ଫୁ’ କରି ଉଡ଼ାଉ ଦେଉଛନ୍ତି। ଅନେକ ଲୋକ ମୁଖା ନ ପିନ୍ଧି ତାକୁ ବେକରେ ଝୁଲାଇ ବୁଲୁଥିବା ବେଳେ ଆଉ କେତେକ ବିନା ମୁଖାରେ ପ୍ରଚାରରେ ସାମିଲ୍‌ ହେଉଛନ୍ତି। ସାମାଜିକ ଦୂରତ୍ବ କଥା ତ ନ କହିବା ଭଲ। ଦେହରେ ଦେହ ଘଷି ଚାଲିଛି ପ୍ରଚାର। ଯଦି ଜଣେ ବି କୋରୋନା ସଂକ୍ରମିତ ଥିବ, ସଭିଙ୍କୁ କୋରୋନା ଭୂତାଣୁ ବାଣ୍ଟିଦେବ। ଯଦିଓ ସମାବେଶ ପାଇଁ ପ୍ରଶାସନର ସର୍ତ୍ତାବଳୀଯୁକ୍ତ କଟକଣା ରହିଛି, ତା’କୁ କିଏ ମାନୁଛି ଆଉ କିଏ ଜଗୁଛି!

ପ୍ରଚାର ଜମୁଛି, କଟକଣା ଭାଙ୍ଗୁଛି

ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏଭଳି ଖୋଲାଖୋଲି ଉଲ୍ଲଙ୍ଘନର ଦୃଶ୍ୟ ଦେଖୁଥିଲେ ମଧ୍ୟ ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମାବେଶଗୁଡ଼ିକରେ ଏଭଳି ଦୃଶ୍ୟ ନିୟମିତ ଦେଖାଯାଉଥିଲେ ବି କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପ୍ରଚାର ଯେତେ ଜମୁଛି, କଟକଣା ସେତେ ଭାଙ୍ଗୁଛି। ନିର୍ବାଚନ ସରଗରମରେ ମନ୍ତ୍ରୀ, ବିଧାୟକ କଟକଣା ମାନୁ ନ ଥିବା ବେଳେ, କର୍ମୀଙ୍କ ଜୋଶ୍‌ ବି ଆକାଶଛୁଆଁ ହୋଇଛି। କେହି କିଛି ମାନିବାକୁ ନାରାଜ। କଟକଣା ବୋଲି କିଛି ଅଛି, ସମସ୍ତେ ଯେମିତି ଭୁଲି ଯାଇଛନ୍ତି। ପ୍ରଚାର ବେଳେ ପ୍ରାର୍ଥୀ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଏମିତିରେ କେଉଁଠି ପ୍ରାର୍ଥୀ ଭୋଟରଙ୍କୁ କୋଳେଇ ନେଉଛି ତ କେଉଁଠି ଭୋଟର ପ୍ରାର୍ଥୀଙ୍କ ସହ ବିନା ମାସ୍କରେ ସେଲ୍‌ଫି ନେଉଛନ୍ତି। ପ୍ରଚାରବେଳେ ହାତ ସାନିଟାଇଜ୍‌ କରିବାକୁ ସବୁ ଭୁଲି ଯାଉଛନ୍ତି। ହାତ ସଫା ଥାଉ କି ନ ଥାଉ, କରମର୍ଦ୍ଦନ, କୋଳାକୋଳି ଚାଲିଛି।

ଲୋକେ ଉଲ୍ଲଂଘନକାରୀ, ନେତାଙ୍କୁ ମାଫ୍‌
କୋରୋନା ପାଇଁ ସରକାର ପାର୍ବଣ ଓ ଉତ୍ସବ ଉପରେ ରୋକ ଲଗାଇଛନ୍ତି। ଏପରିକି ସଭାସମିତି, ସମାବେଶ, ବିବାହ, ଶେଷକୃତ୍ୟ ସବୁଥିରେ ପୁଣି କଟକଣା କଡ଼ା ହେଲାଣି। ଲକ୍‌ଡାଉନ୍‌ ଓ କଫ୍ୟୁ ମଧ୍ୟ ଲାଗୁ ହୋଇଛି। ଓଡ଼ିଶାରେ ମଧ୍ୟ ୧୦ଟି ଜିଲ୍ଲାରେ ନାଇଟ୍‌ କଫ୍ୟୁ ଘୋଷଣା ହୋଇଛି। ଏହାଦ୍ବାରା ଏବେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପକାଇଛି। ସାଧାରଣ ଲୋକ ମାସ୍କ ନ ପିନ୍ଧିଲେ, କୋରୋନା କଟକଣା ନ ମାନିଲେ ପୋଲିସ୍‌ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ହେଲେ ନେତା, ମନ୍ତ୍ରୀ, ବିଧାୟକଙ୍କ ପାଇଁ କ’ଣ ସବୁ ମାଫ୍‌? ନିର୍ବାଚନ ପ୍ରଚାର ବେଳେ କୋଭିଡ୍‌ ନିୟମ ଉଲ୍ଲଂଘନର ଗଦାଗଦା ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରାର୍ଥି ପତ୍ର ଦାଖଲ ସମୟରୁ ପ୍ରଚାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମାର୍ଗନିର୍ଦେଶିକା ଓ କଟକଣାକୁ ମାନୁ ନ ଥିବା ବେଳେ କାହା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ, ତାକୁ ନେଇ ସଚେତନ ନାଗରିକମାନେ ବ୍ୟଥିତ।

ପିପିଲିରେ ଫେଲ୍‌ କୋରୋନା କଟକଣା
୫ ରାଜ୍ୟ ସମେତ ଓଡ଼ିଶାରେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର୍‌ ଚାଲିଛି। ବିଜେଡି, ବିଜେପି ଓ କଂଗ୍ରେସ ଏଥିରେ ପୂରା ଦମ୍‌ରେ ମାତିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ଛାମୁଆ ନେତା ଡେରା ପକାଇଛନ୍ତି। ନେତା ଓ କର୍ମୀଙ୍କ ସହ ପ୍ରାର୍ଥୀମାନେ ଘରକୁ ଘର ବୁଲି ଲୋକଙ୍କୁ ଭେଟୁଛନ୍ତି। ଶୋଭାଯାତ୍ରାରେ ଯାଉଛନ୍ତି। ସଭା କରୁଛନ୍ତି। ଏକାଠି ବସି ଖାଇବା, ପିଇବା, ବୈଠକ ସବୁ ଚାଲିଛି। ହେଲେ ଏସବୁ ଭିତରେ କୋରୋନା କଟକଣା ଅଛି ବୋଲି ପ୍ରାୟ ସମସ୍ତେ ଭୁଲିଯାଇଥିବା ମନେ ହେଉଛି। ରାଜନୈତିକ ଦଳଗୁଡ଼ିକ ପାଇଁ ମୂଲ୍ୟହୀନ ହୋଇପଡ଼ିଛି କୋରୋନା ନିୟମ। ସବୁଦିନ ଏଠି ବାଇକ୍‍ ଶୋଭାଯାତ୍ରାରେ ଶହ ଶହ ଲୋକଙ୍କୁ ବିନା ହେଲମେଟ୍‍ ଓ ବିନା ମାସ୍କରେ ଦେଖିବାକୁ ମିଳୁଛି। ଏମିତିକି ନିକଟରେ ବିଜେପି ଓ ବିଜେଡି ପକ୍ଷରୁ ପିପିଲି ଥାନା ନିକଟରେ ବଡ଼ଧରଣର ବିକ୍ଷୋଭ ଏକସଙ୍ଗେ ପ୍ରଦର୍ଶନ କରାଯାଇଥିଲା। ଯେଉଁଠି ଶତାଧିକ ନେତା ଓ କର୍ମୀ ବିନା ମାସ୍କ ଓ ବିନା ସାମାଜିକ ଦୂରତ୍ବରେ ଏକାଠି ହୋଇଥିଲେ।

ପିପିଲି ହେବନି ତ ସୁପରସ୍ପ୍ରେଡର୍‌!
କୋରୋନାର ଦ୍ୱିତୀୟ ଲହରୀ ଭିତରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି। କୋରୋନାର ଏହି ଲହରୀ କେତେ ବିପଦପୂର୍ଣ୍ଣ ହେବ, ତାହା ସମ୍ପୂର୍ଣ୍ଣ ଭାବେ ଜଣାପଡ଼ିବା ପୂର୍ବରୁ ଜଙ୍ଗଲର ନିଆଁ ଭଳି ସଂକ୍ରମଣ ବଢ଼ି ଚାଲିଛି। ମାତ୍ର କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ଓ ଆସାମ ଭଳି ୫ଟି ରାଜ୍ୟରେ ରାଜୈନିତକ ଦଳଙ୍କ ନିର୍ବାଚନ ପ୍ରଚାର ଦେଖିଲେ କେହି ହୁଏତ ବିଶ୍ୱାସ କରିପାରିବେ ନାହିଁ ଯେ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଚାଲିଛି ବୋଲି। ପିପିଲି ଅବସ୍ଥା ମଧ୍ୟ ସମାନ। କୋରୋନା କଟକଣା ଭୁଲି ଚାଲିଛି ନିର୍ବାଚନ ପ୍ରଚାର। ଏଠି ୬ ଫୁଟ୍‌ ଦୂରତା ତ ଦୂର କଥା, ଦେହକୁ ଦେହ ଘଷି ଚାଲିଛି ପ୍ରଚାର। ପିପିଲି ଭୋଟ୍‌ ପ୍ରଚାର ଚିତ୍ର ଦେଖିଲେ, ଆସନ୍ନ ବିପଦ ଜଳଜଳ ହୋଇ ଦିଶୁଛି। ପିପିଲି ପ୍ରଚାର ଯୋଗୁ କେବଳ ସେଇ ଅଞ୍ଚଳ ନୁହେଁ, ଭୁବନେଶ୍ୱର, ପୁରୀ ସମେତ ଆଖପାଖର ସବୁ ଅଞ୍ଚଳକୁ କୋରୋନାର ଦ୍ରୁତ ସଂକ୍ରମଣ ମାଡ଼ିଯିବା ଆଶଙ୍କା ରହିଛି। ରାଜଧାନୀରୁ ପ୍ରତିଦିନ ମାଳମାଳ ନେତା ଓ କର୍ମୀ ପିପିଲି ଯାଉଥିବାରୁ ଏବଂ କୋରୋନା କଟକଣା ରହୁ ନ ଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ସେହିପରି ପିପିଲିରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ବ୍ୟବସାୟୀ ଭୁବନେଶ୍ବର ଆସୁଥିବାରୁ  ସଂକ୍ରମଣ ବ୍ୟାପିବା ମଧ୍ୟ ଆଶଙ୍କା ରହିଛି। ନିକଟ ଅତୀତରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଏଭଳି ଘଟିଥିଲା। ତେଣୁ ଉପନିର୍ବାଚନ ଏବେ ପିପିଲି-ଡେଲାଙ୍ଗ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି। ତେଣୁ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ପ୍ରତି ପ୍ରବେଶ ପଥକୁ ସିଲ୍‍କରି ଏବେ ଏହି ଅଞ୍ଚଳକୁ ନିର୍ବାଚନୀ ତୀର୍ଥକ୍ଷେତ୍ର ବନାଇଥିବା ରାଜନେତା ଓ ସେମାନଙ୍କ ସମର୍ଥକମାନଙ୍କୁ କଡ଼ା ନିୟନ୍ତ୍ରଣ ମଧ୍ୟକୁ ଆଣି ଏମାନଙ୍କ ମଧ୍ୟରୁ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ରାୟପୁର କ୍ରିକେଟ୍‌ ଷ୍ଟାଡିୟମ୍‌ ଭଳି ପିପିଲି ନିର୍ବାଚନ ପ୍ରଚାର ସୁପରସ୍ପ୍ରେଡର ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ନିର୍ବାଚନ ପାଇଁ କ’ଣ ଅଛି ଗାଇଡ୍‌ଲାଇନ
ବିଧାନସଭା ନିର୍ବାଚନ ଓ ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ କୋରୋନାକୁ ଆଖି ଆଗରେ ରଖି କେତେକ ଆଚରଣ ବିଧି ଓ କଟକଣା ଲାଗୁ ହୋଇଛି। ଏଥିରେ ନିର୍ବାଚନ ପ୍ରଚାର ବେଳେ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା ପ୍ରାର୍ଥୀ ପ୍ରଚାର ବେଳେ ସାଙ୍ଗରେ କେତେ ଲୋକ ରଖିପାରିବେ ଏବଂ ସଭା ସମିତି ଶୋଭାଯାତ୍ରା ଆଦିରେ କେତେଲୋକ ଅଂଶଗ୍ରହଣ କରିପାରିବେ, ସେନେଇ ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି। ଏଥିରେ ବି ମାସ୍କ ପରିଧାନ ଓ ହାତ ଧୋଇବା କଥା ଉଲ୍ଲେଖ ଅଛି। ଇଣ୍ଡୋର ହଲ୍‌ରେ ସର୍ବାଧିକ ୨ ଶହ ଲୋକଙ୍କୁ ନେଇ କରାଯାଇ ପାରିବ ସଭା। ଏଥିସହ ଗାଇଡଲାଇନ ଅନୁସାରେ ମାତ୍ର ୫୦ ପ୍ରତିଶତ ସିଟ୍‌ରେ ଲୋକମାନେ ବସିପାରିବେ। ସଭାସମିତି ହେବାକୁ ଥିବା ସ୍ଥାନରେ କେତେ ଲୋକ ଉପସ୍ଥିତ ରହିବେ, ତାହାର ସଂଖ୍ୟା ନିର୍ଦ୍ଧାରଣ କରିବ ପ୍ରଶାସନ।

ସୁପରସ୍ପ୍ରେଡର୍‌ ପାଲଟିଲା କ୍ରିକେଟ୍‌ ଷ୍ଟାଡିୟମ୍‌
ଛତିଶଗଡ଼ ଏବେ କୋରୋନାର ହଟସ୍ପଟ୍‌ ପାଲଟିଛି। ଏହାର ମୁଖ୍ୟ କାରଣ ରାୟପୁର କ୍ରିକେଟ୍‌ ଷ୍ଟାଡିୟମ୍‌ ବୋଲି କୁହାଯାଉଛି। ସଡ଼କ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ମାର୍ଚ୍ଚ ୧୩ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡସଙ୍କ ଖେଳ ଦେଖିବାକୁ ଗ୍ୟାଲେରୀରେ ଦେହ ଲଗା ଲଗି ହୋଇ ବସିଥିଲେ ହଜାର ହଜାର ଦର୍ଶକ। କାହା ମୁହଁରେ ମାସ୍କ ବି ନ ଥିଲା। ମାଗଣା ଟିକେଟ୍ ଯୋଗୁ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ଏକାଠି ହୋଇଥିଲେ। ତେବେ ସେ ମ୍ୟାଚ୍ ଖେଳିଥିବା କ୍ରିକେଟର ସଚିନ ତେନ୍ଦୁଲକର, ୟୁସୁଫ୍ ପଠାନ୍ ଓ ଇରଫାନ୍ ପଠାନଙ୍କ ଭଳି ଖେଳାଳି ବି କୋରୋନା ଆକ୍ରାନ୍ତ ହେବା ପରେ ଏବେ ସେଇଠୁ ହିଁ ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏହି କ୍ରିକେଟ୍‌ ମ୍ୟାଚ୍‌ ପରେ ଛତିଶଗଡ଼ରେ କୋରୋନା ଆକ୍ରାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଛତିଶଗଡ଼ ସମେତ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ସ୍ଥିତି ବିଗିଡ଼ିବା ଆରମ୍ଭ କରିଛି।

୫ ରାଜ୍ୟ ସମେତ ଓଡ଼ିଶାରେ କୋରୋନା ସ୍ଥିତି
ଦେଶରେ ପୁଣିଥରେ କାୟା ମେଲାଇଛି କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ଭିତରେ ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ କୋରୋନା କାରଣରୁ ୪୪୬ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ ଲକ୍ଷ ୮୬ ହଜାର ୪୯କୁ ବୃଦ୍ଧି ପାଇଛି। ଆସାମରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର ୭୪୦ ଥିବାବେଳେ ୨ ଲକ୍ଷ ୧୫ ହଜାର ୬୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୦୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମଙ୍ଗରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୯୫ ହଜାର ୫୭୬ ଥିବାବେଳେ ୭ ଲକ୍ଷ ୭୩ ହଜାର ୭୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୩୪୮ ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡ଼ୁରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୪୭୯ ଥିବାବେଳେ ୮ ଲକ୍ଷ ୬୬ ହଜାର ୯୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ହଜାର ୭୯୮ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୭ ହଜାର ୫୯୦ ଥିବାବେଳେ ୧୧ ଲକ୍ଷ ୪ ହଜାର ୨୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ହଜାର ୬୮୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୁଡ଼ୁଚେରୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୩୯ ଥିବାବେଳେ ୪୦ ହଜାର ୧୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୮୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬ ହୋଇଥିବା ବେଳେ ତନ୍ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୧୫୦ ଜଣ। ଏବେ ୩ ହଜାର ୭୩୧ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୧୯୨୨ ଜଣ।

ମନରେ ଅନେକ ପ୍ରଶ୍ନ
ବିଭିନ୍ନ ରାଜ୍ୟରେ ହେଉଥିବା ବିଧାନସିଭା ନିର୍ବାଚନ ଓ ଉପନିର୍ବାଚନ ପ୍ରଚାର ସ୍ଥିତିକୁ ଦେଖିଲେ ମନକୁ ଅନେକ ପ୍ରଶ୍ନ ଆସୁଛି। ଦୀର୍ଘ ୧ ବର୍ଷକାଳ ବିଭିନ୍ନ ସମସ୍ୟାରେ ଘାଣ୍ଟି ହୋଇଥିବା ସାଧାରଣ ଲୋକଙ୍କ ତପସ୍ୟା ଶୁଖୁଆ ପୋଡ଼ାରେ ଯିବନି ତ? କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନର ମୂଲ୍ୟ ରହିବ ତ? ୫ଟି ରାଜ୍ୟରେ ହେଉଥିବା ନିର୍ବାଚନ ସମ୍ପୂର୍ଣ୍ଣ ଦେଶକୁ ବିପଦ ମୁହଁକୁ ଠେଲିଦେବନି ତ? ରାଜନେତାମାନଙ୍କ ବେପରୁଆ ମନୋଭାବ ଲାଗି କୋରୋନାର ଦ୍ୱିତୀୟ ଲହରୀ ବିସ୍ଫୋରକ ସ୍ଥିତି ଆଣିବ ନାହିଁ ତ? ସଡ଼କ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ରାୟପୁରରେ ଖେଳାଯାଇଥିବା କ୍ରିକେଟ୍‌ ମ୍ୟାଚ୍‌ ପାଇ ଛତିଶଗଡ଼ ଏବେ କୋରୋନା ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ଏବେ ବିଭିନ୍ନ ରାଜ୍ୟରେ ଚାଲିଥିବା ନିର୍ବାଚନ ପ୍ରଚାର ପାଇଁ ସମ୍ପୂର୍ଣ୍ଣ ଦେଶ ହଟସ୍ପଟ ପାଲଟି ଯିବନି ତ? ଏମିତି ଅନେକ ପ୍ରଶ୍ନ ଓ ଆଶଙ୍କା ଏବେ ମନରେ ଉଙ୍କି ମାରୁଛି। ଅନ୍ୟପକ୍ଷରେ ଓଡ଼ିଶାରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଆରମ୍ଭ ହୋଇଥିବା ବେଳେ ସ୍ଥିତି ସମାନ ରହିଛି। ବେଳ ଥାଉ ଥାଉ ସରକାର ଓ ନିର୍ବାଚନ କମିଶନ ଶକ୍ତ କଟକଣା ଲାଗୁ ନ କଲେ, ନେଡ଼ି ଗୁଡ଼ କହୁଣୀକୁ ବହିଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ