ଯୁବ ଜଗତ
କଳ୍ପନାଙ୍କ କମାଲ: ଅଟୋ ଚାଳକଙ୍କ ଝିଅ ବିହାର ଦ୍ବାଦଶ ବିଜ୍ଞାନ ଟପ୍ପର

ମା’ ବାପାଙ୍କ ସହ କଳ୍ପନା
କୁହାଯାଏ ଯଦି ମନରେ କିଛି କରିବାର ଆକାଂକ୍ଷା ରହିଛି, ତେବେ କାମ ଯେତେ କଷ୍ଟ ହେଲେ ବି ସହଜ ହୋଇଯାଏ। ଆପଣଙ୍କ ପାଖରେ ସବୁକିଛି ରହିଥିବା ଜରୁରୀ ନୁହେଁ। କିନ୍ତୁ ସେହି ଜିନିଷ ଆପଣଙ୍କ ପାଖରେ ନାହିଁ ବୋଲି ଭାବି ସାରା ଜୀବନ କାନ୍ଦିବା ଉଚିତ ନୁହେଁ। ଯଦି ମନରେ କିଛି ପାଇବାର ଦୃଢ଼ ନିଶ୍ଚିତ କରିଛନ୍ତି, ତେବେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ରୋକି ପାରିବ ନାହିଁ। ଏଠାରେ ଏଭଳି ଜଣେ ଝିଅ ବିଷୟରେ କୁହାଯାଉଛି, ଯାହାଙ୍କ ଠାରୁ ଅନେକଙ୍କୁ ପ୍ରେରଣା ମିଳିବ।
ବାଜିମାରିଲେ ଝିଅ
କିଛି ଦିନ ତଳେ ବିହାରରେ ଦ୍ବାଦଶ ରେଜଲ୍ଟ ବାହାରି ଥିଲା। ଏହି ପରୀକ୍ଷାରେ ଝିଅମାନେ ବାଜି ମାରିଥିବା ଦେଖିବାକୁ ମିଳିଛି। ବିହାରର ଦ୍ବାଦଶ ବୋର୍ଡର ଟପ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି କଳ୍ପନା କୁମାରୀ। ଏଥିସହ କଳ୍ପନା ବିଜ୍ଞାନରେ ଟପ କରିଛନ୍ତି।
ପିତା ଅଟୋ ଚାଳକ
ଏବେ ସମସ୍ତଙ୍କ ମୁହଁରେ କଳ୍ପନାଙ୍କ ନାମ। କିନ୍ତୁ କଳ୍ପନାଙ୍କ ପାଇଁ ଏହା ସହଜ ନ ଥିଲା। ତାଙ୍କ ମାତା ପିତା ଅଧିକ ପାଠ ପଢ଼ି ନାହାନ୍ତି। ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଠିକ ନାହିଁ। ପିତା ବହୁତ ଅସୁବିଧାରେ ଘର ଚଳାଉଛନ୍ତି। କଳ୍ପନା ଭାଇ ଭଉଣୀଙ୍କ ଭିତରେ ସବୁଠାରୁ ସାନ। ତାଙ୍କ ପିତା ଅଟୋ ଚଳାଇ ବହୁତ କଷ୍ଟରେ ପରିବାର ପୋଷଣ କରନ୍ତି।
ମା’ ବିକିଦେଲେ ଗହଣା
କଳ୍ପନାଙ୍କ ମା’ ବାପା ଶିକ୍ଷିତ ହୋଇ ନ ଥିଲେ ବି ସେମାନେ ଝିଅକୁ ପାଠ ପଢ଼ିବାକୁ ଦେଇଥିଲେ। ଏମିତି ଏକ ସମୟ ଆସିଥିଲା, ଯେଉଁ ସମୟରେ କଳ୍ପନାଙ୍କ ପାଠପଢ଼ା ପାଇଁ ତାଙ୍କ ମା’ ୧୫ ହଜାର ଟଙ୍କାର ଗହଣାକୁ ୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ସୂଚନାଯୋଗ୍ୟ ଯେ କଳ୍ପନାଙ୍କ ବଡ଼ଭାଇ ଏୟାର ଫୋର୍ସ ପାଇଁ ପ୍ରସ୍ତୁତି କରୁଛନ୍ତି।
ସିଭିଲ ସର୍ଭିସେସରେ ଯିବାକୁ ସ୍ବପ୍ନ
କଳ୍ପନାଙ୍କ କହିବାନୁସାରେ ସେ ଅଧିକ ପାଠ ପଢ଼ିବାକୁ ଚାହୁଛନ୍ତି। ଗ୍ରାଜୁଏସନ ପରେ ସେ ସିଭିଲ ସର୍ଭିସେସରେ ଯିବାକୁ ଚାହୁଛନ୍ତି। କଳ୍ପନା ନିଜର ସଫଳତାର ଶ୍ରେୟ ବାପାମାଆ, ଗୁରୁ ଓ ଭାଇ ଭଉଣୀମାନଙ୍କୁ ଦେଇଛନ୍ତି। ଝିଅର ଏହି ସଫଳତାରେ ମା’ ବାପା ବି ବହୁତ ଖୁସି। ତାଙ୍କ ଝିଅମାନେ ଆଗକୁ ଆହୁରି ପଢ଼ନ୍ତୁ, ଏଥିପାଇଁ ସେମାନେ କିଛି ବି କରିବେ ବୋଲି କହିଛନ୍ତି। ବାସ୍ତବରେ କଳ୍ପନାଙ୍କ ମା’ ବାପା ସମସ୍ତଙ୍କ ପାଇଁ କୌଣସି ପ୍ରେରଣା ଠାରୁ କମ ନୁହନ୍ତି, ଯେଉଁମାନେ ନିଜ ଝିଅଙ୍କୁ ପାଠ ପଢ଼ାଇବା ବଦଳରେ ବିବାହ କରାଇ ଦେଉଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ