ପୁଣି ଆନ୍ଧ୍ର ବିରୋଧରେ ସୁପ୍ରିମ୍‌କୋର୍ଟ ଗଲା ଓଡ଼ିଶା


ପ୍ରତୀକାତ୍ମକ ଫଟୋ
କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ତୁଟିବାର ନାଁ ଧରୁ ନାହିଁ। ଗତ ଫେବ୍ରୁଆରୀରେ ଆନ୍ଧ୍ର ସରକାର କୋଟିଆରେ ଜୋର୍‌ଜବରଦସ୍ତ ପଞ୍ଚାୟତ ନିର୍ବାଚନ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଘନେଇଥିଲା। ଏହାପରେ ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଓଡ଼ିଶା। ସୁପ୍ରିମ୍‌କୋର୍ଟରେ ଏହି ମାମଲା ବିଚାରାଧିନ ଥିବା ବେଳେ ପୁଣିଥରେ କୋଟିଆରେ ଜିଲ୍ଲାପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଆନ୍ଧ୍ର ସରକାର। ଏହି ମାମଲାକୁ ନେଇ ପୁଣିଥରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଓଡ଼ିଶା। ରାଜ୍ୟ ଆଇନ ବିଭାଗର ଉପସଚିବ ଭଗବାନ ନାୟକ ସୋମବାର ନୂଆଦିଲ୍ଲୀରେ ଥିବା ଆଡଭୋକେଟ୍ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖି ପୁଣିଥରେ ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଏର କରିବାକୁ କହିଛନ୍ତି। ଏଥିସହିତ ଏକ ଓକିଲାତିନାମା ମଧ୍ୟ ପଠାଇଛନ୍ତି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ କରୁଥିବାରୁ ସୁପ୍ରିମ୍‌କୋର୍ଟରେ ଆବେଦନ କରି ଏହି ନିର୍ବାଚନ ଉପରେ ରହିତାଦେଶ ଜାରି ଆଦେଶ ଆଣିବାକୁ ପଦକ୍ଷେପ ନେବାକୁ ଆଇନ ବିଭାଗ କହିଛି।

ସେପଟେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତି ପରେ ରାଜନୀତି ମଧ୍ୟ ଜୋର ଧରିଛି। ସୀମା ବିବାଦ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସୀମାବର୍ତ୍ତୀ ଗାଁକୁ ସୁବିଧା ଯୋଗାଇବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସୁପ୍ରିମ୍‌କୋର୍ଟରେ କୋଟିଆ ଆନ୍ଧ୍ରର ବୋଲି ପ୍ରମାଣିତ କରିବାକୁ ଏହା ଏକ ଚାଲ ବୋଲି କହିଛନ୍ତି। ଏଥି ସହିତ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ସେପଟେ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଓ଼ଡ଼ିଶାର ସାର୍ବଭୌମତ୍ୱ ପ୍ରତି ଆଞ୍ଚ ଆସିଲେ ସରକାର ଚୁପ୍‌ ହୋଇ ବସିବେ ନାହିଁ। ଗତ ଫେବ୍ରୁଆରୀ ୧୩ରେ କୋଟିଆ ପଞ୍ଚାୟତର ତିନି ଗ୍ରାମ ତଳ ଗଞ୍ଜେଇ ପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲା। ଏହାକୁ ନେଇ ଏବେବି ବାଦ ବିବାଦ ଲାଗିରହିଥିବା ବେଳେ ରବିବାର ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଯାହାକି କୋରାପୁଟ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।

ସୂଚନାଯୋଗ୍ୟ, ଆସନ୍ତା ମାସ ୮ ତାରିଖରେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଜିଲ୍ଲାପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ସରକାର। ଏପ୍ରିଲ୍‌ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ୍ ଗ୍ରହଣ ହେବ। ୧୦ ତାରିଖରେ ଭୋଟ୍ ଗଣତି କରାଯିବ। କୋଟିଆର ତଳଗଞ୍ଜେଇପଦରକୁ  ଗଞ୍ଜେଇଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗଞ୍ଜେଇଭାଦ୍ରା ପାଇଁ ଦୁଇ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ତଳଗଞ୍ଜେଇ ପଦରବାସୀ ମଧ୍ୟ ନେରେଡିବାଲସା ଗ୍ରାମରେ ଏହି ଦିନ ଭୋଟ ଦେବେ। ଫଗୁଣସିନେରି ପଞ୍ଚାୟତର ସଲପଗୁଡ଼ା, ଏଗୁମାଣ୍ଡାଙ୍ଗି, ମହିପାଣି ଓ ଫଗୁଣସିନେରି ଆଦି ୪ଟି ଗ୍ରାମର ୪୮୯ ଭୋଟର ତିନୋମରେ ଭୋଟ୍‌ ଦେବେ। ଏହି ପଞ୍ଚାୟତର ଡୋଲିଆମ୍ବ, ମାଡ଼କାର, କୋନାଦୋରା, ବର୍ଣ୍ଣନା ପାଡୁ, ଚିକାପାରୁ, ନିମାଲପାଡୁ, କୋମେଟିବାଲସା, ପାନସାବାଲସା, ଗୁଞ୍ଜିମାଡା, ଡୋଙ୍କେଲୱବାଲସା, କତୁରୁ ଏବଂ ଫାଟୁସିନେରି ଆଦି ଗ୍ରାମର ୧୦୨୫ ଭୋଟର ମଧ୍ୟ ତିନୋମ ଅଞ୍ଚଳରେ ଭୋଟ ଦେବେ। ସେହିପରି ତଳ ଗଞ୍ଜେଇ ପଦର ପଞ୍ଚାୟତର ଧୂଳିପଦର, ଦିଗୁସେମ୍ବି, ଏଗୁସେମ୍ବି, କୋଟିଆ, ରଣାସିଂ, ଉପର ଗଞ୍ଜେଇ ପଦର, ସିମାଗେଡା, ପାନୁକୁଲାଭା, କୁରୁଡିପଦର ଏବଂ ତଳ ଗଞ୍ଜେଇ ପଦର ଆଦି ଗ୍ରାମର ୧୨୭୨ ଭୋଟର ନେରେଡିବାଲସା ଗ୍ରାମରେ ଭୋଟ୍‌ ଦେବାକୁ ଆନ୍ଧ୍ର ପକ୍ଷରୁ ବ୍ୟବସ୍ଥା କରାଯାଇଛି। କୋରାପୁଟ ଜିଲ୍ଲାର କୋଟିଆକୁ ପଡ଼ୋଶୀ ଆନ୍ଧ୍ର ନିଜର ଏକ ପଞ୍ଚାୟତ ବୋଲି ଦାବି କରି ଆସୁଛି। ଏପରିକି  ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ତଥାପି ଆନ୍ଧ୍ର ସରକାର ପୁଣି କୋଟିଆରେ ନିର୍ବାଚନ କରିବାକୁ ପ୍ରସ୍ତୁତ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ