୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଅନୁମତି ପାଇଁ ମୋଦୀଙ୍କୁ ନିବେଦନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫାଇଲ୍ ଫଟୋ)
ଦେଶରେ ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିଚାଲିଥିବା ବେଳେ ଗତ ରବିବାର ଦିନକ ଭିତରେ କୋଭିଡ୍ ସଂକ୍ରମଣ ଆରମ୍ଭ ଦିନଠାରୁ ସର୍ବାଧିକ ଲକ୍ଷେରୁ ଊର୍ଦ୍ଧ୍ବ ଚିହ୍ନଟ ହୋଇଥିଲେ। ଏପରିକି ଗତ ୩ ଦିନ ହେଲା କ୍ରମାଗତ ଭାବେ ୯୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଆସିଛି। ଏପରି ସ୍ଥିତିରେ ବର୍ତ୍ତମାନ ଭାରତରେ କୋଭିଡଜନିତ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହାକୁ ନଜରରେ ରଖି ଦେଶର ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ଦେଶର ପ୍ରତିଟି ନାଗରିକଙ୍କୁ ଏହି ଟିକା ତ୍ବରିତ ବେଗରେ ଦିଆଯିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ ଆଇଏମ୍ଏ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ଦେଶର ପ୍ରତିଟି ୧୮ ବର୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ କୋଭିଡ୍ ଟିକା ଯୁଦ୍ଧକାଳୀନ ଭିତ୍ତିରେ ଦିଆଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

ଉକ୍ତ ଚିଠିରେ ଲେଖାଯାଇଛି ଯେ ବର୍ତ୍ତମାନ କେବଳ ୪୫ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ କୋଭିଡ୍ ଟିକା ଦିଆଯାଉଛି। କିନ୍ତୁ ଭାରତରେ ଯେପରି ଭାବେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି, ବର୍ତ୍ତମାନ ଜାରି ରହିଥିବା କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ବିଶେଷକରି ଅଧିକ ପରିମାଣରେ ଟିକା ଦିଆଯିବା ଉପରେ ଆଇଏଏ ଗୁରୁତ୍ବାରୋପ କରିଛି। ଏପରି ସ୍ଥିତିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରତିଟି ନାଗରିକଙ୍କୁ କୋଭିଡ୍ ଟିକା ଦିଆଯିବା ସକାଶେ ସରକାର ଘୋଷଣା କରନ୍ତୁ ବୋଲି ଆଇଏମ୍ଏ ଦାବି କରିଛି। ସେହିପରି ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ କେବଳ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ସାମିଲ୍ ଥିବା ବେଳେ ଘରୋଇ କ୍ଲିନିକକୁ ମଧ୍ୟ ଏଥିରେ ସାମିଲ୍ କରିବା ସକାଶେ ଅନୁମତି ଦେବାକୁ ଆଇଏମଏ ପକ୍ଷରୁ ମୋଦୀଙ୍କୁ ନିବେଦନ କରାଯାଇଛି। ଏହାଦ୍ବାରା ଟିକାକରଣ କାର୍ଯ୍ୟକ୍ରମ ଅଧିକ ତ୍ବରାନ୍ବିତ ହୋଇପାରିବ ବୋଲି ଆଇଏମ୍ଏ ପକ୍ଷରୁ କୁହାଯାଇଛି। ସେହିପରି କୌଣସି ସାର୍ବଜନିକ ସ୍ଥାନରେ ଟିକାକରଣର ପ୍ରମାଣପତ୍ରର ଆବଶ୍ୟକତାକୁ ବାଧ୍ୟତାମୂଳକ କରିବା ସହ ପିଡିଏସ୍‌ରେ ମଧ୍ୟ ଏହାକୁ ବାଧ୍ୟତାମୂଳକ କରିବା ଉପରେ ଆଇଏମଏ ପକ୍ଷରୁ ମୋଦୀଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ