ବାଦ ବିବାଦ
ପୁଣି କାଠଗଡ଼ାରେ ଫେସବୁକ: ୫୦ କୋଟି ୟୁଜର୍ସଙ୍କ ତଥ୍ୟ ଚୋରି

ପ୍ରତୀକାତ୍ମକ ଫଟୋ
ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍ବୁକ୍। ଏହି ସୋସିଆଲ ସାଇଟ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍ରେ ଘୂରି ବୁଲୁଥିବା ସାମ୍ନାକୁ ଆସିଛି। ୫୦ କୋଟିରୁ ଊର୍ଦ୍ଧ୍ୱ ୟୁଜର୍ସଙ୍କ ଫେସ୍ବୁକ୍ ଆଇଡିଠାରୁ ଆରମ୍ଭ କରି ଫୋନ୍ ନମ୍ବର, ଇମେଲ ଆଇଡି, ଫଟୋ, ଜନ୍ମସ୍ଥାନ ଆଦି ଡାଟା ହ୍ୟାକର୍ସଙ୍କ ଓ୍ବେବସାଇଟ୍ରେ ଉପଲବ୍ଧ ହେଉଥିବା ଜଣାପଡ଼ିବା ପରେ ବ୍ୟବହାରକାରୀଙ୍କ ତଥ୍ୟ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ଯେ ହ୍ୟାକର୍ସଙ୍କ ଏକ ଓ୍ବେବସାଇଟ୍ରେ ୫୦ କୋଟିରୁ ଊର୍ଦ୍ଧ୍ୱ ଫେସ୍ବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଉପଲବ୍ଧ ହୋଇଛି। ଏଥିରେ ୬୧ ଲକ୍ଷ ଭାରତୀୟଙ୍କ ଡାଟା ରହିଛି। ଏ ନେଇ 'ବିଜ୍ନେସ୍ ଇନ୍ସାଇଡର' ଓ୍ବେବସାଇଟ୍ ପକ୍ଷରୁ ଖବର ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ୧୦୬ଟି ଦେଶର ୫୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ବାବଦରେ ପ୍ରାୟ ସମସ୍ତ ତଥ୍ୟ ଅନ୍ଲାଇନରେ ଘୂରି ବୁଲୁଛି। ଲୋକଙ୍କ ଡାଟା ସୁରକ୍ଷାକୁ ନେଇ ପୂର୍ବରୁ ଫେସ୍ବୁକ୍ ଉପରେ ବାରମ୍ବାର ପ୍ରଶ୍ନ ଉଠିଆସୁଥିବାବେଳେ ଏବେ ଏଭଳି ଖବର ସାମ୍ନାକୁ ଆସିବା ପରେ ଏହି ସୋସିଆଲ ସାଇଟ୍ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ିଛି। ଏଥିପୂର୍ବରୁ ପଲିଟିକାଲ ଫାର୍ମ କେମ୍ବ୍ରିଜ ଆନାଲିଟିକା ପ୍ରାୟ ୮ କୋଟି ୭୦ ଲକ୍ଷ ଲୋକଙ୍କ ତଥ୍ୟ ସେମାନଙ୍କ ଅଜାଣତରେ ହାସଲ କରିନେଇଥିବା ଜଣାପଡ଼ିବା ପରେ ଫେସ୍ବୁକ୍ ୨୦୧୮ରେ କୌଣସି ମୋବାଇଲ ନମ୍ବର ମାଧ୍ୟମରେ ଆଇଡି ସର୍ଚ୍ଚ କରିବାର ସୁବିଧା ହଟାଇ ଦେଇଥିଲା। ତଥାପି ଫେସବୁକ ୟୁଜର୍ସଙ୍କ ଡାଟା ଚୋରିହେବାରେ ଲାଗିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ