ଚଣ୍ଡିଖୋଲରେ ହେବ ଦେଶର ବୃହତ ପେଟ୍ରୋଲିୟମ୍‌ ରିଜର୍ଭଏର: କେନ୍ଦ୍ର ପେଟ୍ରୋଲିୟମ୍ ସଚିବ

ଓଡ଼ିଶାରେ ପେଟ୍ରୋଲିୟମ୍‌ ଓ ଗ୍ୟାସ୍‌ ଭିତ୍ତିଭୂମିର ବିକାଶ ପାଇଁ ୨ ଲକ୍ଷ ୧୩ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ସଚିବ ତରୁଣ କପୁର
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପାରାଦ୍ୱୀପ ରିଫାଇନାରିର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭଏର ପ୍ରତିଷ୍ଠା କରାଯିବ। ୪୦୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ରିଜର୍ଭଏରରେ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ଏହା ଦେଶର ସର୍ବବୃହତ୍ ପେଟ୍ରୋଲିୟମ୍ ଷ୍ଟୋରେଜ୍ ହେବ। ଏହି ପ୍ରସ୍ତାବିତ ପ୍ରକଳ୍ପ ଅନୁମୋଦନ ପାଇବା ପରେ ୬ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଏଠାରେ ଅଶୋଧିତ ତୈଳ ସଂରକ୍ଷଣ କରାଯାଇପାରିବ। ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଇ ସୂଚନା ଦେଇଛନ୍ତି  ଭାରତ ସରକାରଙ୍କ ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ସଚିବ ତରୁଣ କପୁର। ସେହିପରି ରାଜ୍ୟରେ ୨୦୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ୍‌ ସ୍ଥାପନ ପାଇଁ ଯୋଜନା ଏବଂ ପ୍ରତି ଘରକୁ ଗ୍ୟାସ୍‌ ସଂଯୋଗୀକରରଣ ଲକ୍ଷ୍ୟକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ ପରିକଳ୍ପନାରେ ରାଜ୍ୟର ସର୍ବକାଳୀନ ବିକାଶ ତଥା ଓଡ଼ିଶାର ଶକ୍ତି ଆବଶ୍ୟକତା ପୂରଣ କରିବା ନିମନ୍ତେ ପେଟ୍ରୋଲିୟମ ଏବଂ ଗ୍ୟାସ୍‌ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରତିଶୃତିବଦ୍ଧ। ବୈଠକରେ କପୁର କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପର କାମ ଦ୍ରୁତ ଗତିରେ ତ୍ୱରାନ୍ୱିତ ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ।

କପୁର ସୋମବାର ଭୁବନେଶ୍ୱର ଗସ୍ତରେ ଆସି ଓଡ଼ିଶାରେ ତୈଳ ବିପଣନ କମ୍ପାନୀ ଏବଂ ଗ୍ୟାସ୍‌ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଆଇଓସିଏଲ୍‌, ଏଚ୍‌ପିସିଏଲ୍‌, ବିପିସିଏଲ୍‌, ଗେଲ, ଓଏନ୍‌ଜିସି, ନୟାରା, ଓଆଇଏଲ, ଆରଏମବିଏଲ୍‌ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି। ଏହି କ୍ରମରେ ସେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭେଟି ତୈଳ ଏବଂ ଗ୍ୟାସ୍‌ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଏବଂ ଏଥିରେ ସେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ। ତେବେ ରାଜ୍ୟରେ ପେଟ୍ରୋଲିୟମ୍‌ ଓ ଗ୍ୟାସ୍‌ ପ୍ରକଳ୍ପ ନେଇ ହୋଇଥିବା ଆଲୋଚନା ସକରାତ୍ମକ ହୋଇଥିବା ଏବଂ ଏହି ସବୁ ପ୍ରକଳ୍ପ ନେଇ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିବା କହିଛନ୍ତି। କପୁର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ତୈଳ ଏବଂ ଗ୍ୟାସ୍‌ ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ ମୋଟ ୬୯ଟି ପ୍ରକଳ୍ପ ପାଇଁ ଓଡ଼ିଶାରେ ୨ ଲକ୍ଷ ୧୩ ହଜାର ୨୦୯ କୋଟି ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ତନ୍ମଧ୍ୟରୁ ୨୦୧୪ ଠାରୁ ଅର୍ଥାତ୍ ବିଗତ ୬ ବର୍ଷ ମଧ୍ୟରେ ମୋଟ ୪୩ ହଜାର ୩୨୨ କୋଟି ଟଙ୍କା ମୂଲ୍ୟର ୨୫ଟି ତୈଳ ଓ ଗ୍ୟାସ୍‌ ପ୍ରକଳ୍ପର କାମ ଶେଷ ହୋଇଥିବା ବେଳେ ବର୍ତ୍ତମାନ ମୋଟ ୭୭ ହଜାର ୩୩୧ କୋଟି ଟଙ୍କା ମୂଲ୍ୟର ୩୪ଟି ପ୍ରକଳ୍ପ ଗୁଡ଼ିକ କାମ ଜାରି ରହିଛି। ସେହିପରି ୧୦ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୯୨ ହଜାର ୫୫୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆକଳନ କରାଯାଇଛି।

ଗତ ସାତ ବର୍ଷ ୨୦୧୨-୧୩ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ଜାତୀୟ ହାର ୬.୬ ପ୍ରତିଶତ ଠାରୁ ବୃଦ୍ଧି ଘଟି ବାର୍ଷିକ ହାରାହାରି ୭.୧ ପ୍ରତିଶତରେ ପହଞ୍ଚିଛି। ଓଡ଼ିଶାରେ ବୃଦ୍ଧି ଘଟୁଥିବା ଆବଶ୍ୟକ ଉର୍ଜାକ୍ଷେତ୍ର ନିମନ୍ତେ ଇନ୍ଧନ ଯୋଗାଇବା ପାଇଁ ତୈଳ ଉଦ୍ୟୋଗଗୁଡ଼ିକ ନିରନ୍ତର ଭାବେ ସେମାନଙ୍କ ଯୋଗାଣ ଭିତ୍ତିଭୂମିର ବିକାଶ କରୁଛନ୍ତି। ୪.୨ କୋଟି ଜନସଂଖ୍ୟାର ଉର୍ଜା ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବର୍ତ୍ତମାନ ଓଡ଼ିଶାରେ ୨୦୬୮ଟି ରିଟେଲ୍‌ ଆଉଟ୍‌ଲେଟ, ୯୫୨ ଏଲ୍‌ପିଜି ବିତରକ, ୧୬୧ କିରୋସିନ ଡିଲର୍‌ସିପ ରହିଛନ୍ତି । ୨୧ ମେ’ ପାରାଦୀପ ଠାରେ ଏକ ନୂତନ ଏଲ୍‌ପିଜି ଆମଦାନୀ ସୁବିଧା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ରାୟଗଡ଼ା, ଖୋର୍ଦ୍ଧା ଠାରେ ଦୁଇଟି ଏଲ୍‌ପିଜି ପ୍ଲାଣ୍ଟ୍‌ ମଧ୍ୟ ନିର୍ମାଣ କରାଯାଉଛି। ଓଡ଼ିଶାରେ ପେଟ୍ରୋଲ୍‌, ତୈଳ, ଲୁବ୍ରିକାଣ୍ଟ୍‌ର ଚାହିଦାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ୍‌ ବ୍ରହ୍ମପୁର, ବିପିସିଏଲ୍‌ ସଦାଶିବପୁର ଏବଂ ଝାରସୁଗୁଡ଼ାରେ ତିନୋଟି ପେଟ୍ରୋଲ୍‌ ତୈଳ ଲୁବ୍ରିକାଣ୍ଟ୍‌ (ପିଓଏଲ୍‌) ଟର୍ମିନାଲ୍‌ ନିର୍ମାଣ କରାଯାଉଛି।

ତୈଳ ଉଦ୍ୟୋଗଗୁଡ଼ିକ ରାଜ୍ୟରେ ଇଥାନଲ୍‌ ମିଶ୍ରିତ ଏମ୍‌ଏସ୍ ଯୋଗାଣ ଆରମ୍ଭ କରିଛି ଏବଂ ୨୦୨୧-୨୨ ବର୍ଷରେ ୧୦ ପ୍ରତିଶତ ଏମ୍‌ଏସ୍‌ରେ ଲକ୍ଷ୍ୟଧାର୍ଯ୍ୟ ହାସଲ କରିବ। ପାରାଦୀପ ରିଫାଇନେରୀରୁ ଉତ୍ପାଦର ଗତିକୁ ସୁଗମ କରିବା ପାଇଁ ପାରାଦୀପ-ରାୟପୁର-ରାଞ୍ଚି ପାଇପଲାଇନକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପଲାଇନକୁ ପାଟନା ମୁଜାଫରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଖୁବ୍‌ଶୀଘ୍ର ସମାପ୍ତ କରାଯିବ ବୋଲି ସେ ସୂଚନା ଦେଇଥିଲେ। କଟକ, ଖୋର୍ଦ୍ଧା ଆଦି ସହରରେ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ କାମ ଗେଲ୍‌, ଗେଲ୍ ଗ୍ୟାସ୍‌, ଆଦାନୀ ଏବଂ ଭାରତ ପେଟ୍ରୋ ରିସୋର୍ସ ଦ୍ୱାରା ଚାଲୁଥିବା ବେଳେ ଯାନବାହନ ନିମନ୍ତେ ସ୍ୱଚ୍ଛ ସିଏନ୍‌ଜି ଇନ୍ଧନ ୨୪ଟି ସିଏନ୍‌ଜି ଷ୍ଟେସନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି। ସିବିଜି ପ୍ଲାଣ୍ଟ୍‌ ନିମନ୍ତେ ୧୨ଟି ଲେଟର୍ ଅଫ୍ ଇଣ୍ଟେଣ୍ଟ୍‌ ଜାରି କରାଯାଇଥିବା ବେଳେ ଆର୍‌ୟୁସିଓ-ବାୟୋ ଡିଜେଲ ପ୍ଲାଣ୍ଟ୍‌ ନିମନ୍ତେ ଗୋଟିଏ ଲେଟର୍ ଅଫ୍ ଇଣ୍ଟେଣ୍ଟ୍‌ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଇଣ୍ଡିଆନ୍‌ ଅଏଲ୍‌ର ଅଧ୍ୟକ୍ଷ ଏସ୍ ଏମ୍ ବୈଦ୍ୟ, ଇଣ୍ଡିଆନ୍‌ ଅଏଲର ହ୍ୟୁମା୍‌ନ ରିସୋର୍ସର ନିର୍ଦେଶକ ରଞ୍ଜନ କୁମାର ମହାପାତ୍ର, ତୈଳ ଉଦ୍ୟୋଗଗୁଡ଼ିକର ରାଜ୍ୟସ୍ତରୀୟ ସଞ୍ଚାଳକ ତଥା ଇଣ୍ଡିଆନ ଅଏଲ୍‌ର ରାଜ୍ୟମୁଖ୍ୟ ଶୁଭଜିତ ଘୋଷ ଏବଂ ତୈଳ ନିଗମର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ