ବିଦ୍ୟୁତ୍‌ ଦର ବଢ଼ିବା ପଛରେ ରାଜ୍ୟ ସରକାରଙ୍କ ବଡ଼ ଦୁର୍ନୀତି: ବିଜେପି


ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ
ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତି ଖୋର ଓ ଭଷ୍ଟ୍ରାଚାରୀ ହୋଇଯାଇଛି। ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର। ଆଇନକାନୁନ ଓ ସମ୍ବିଧାନକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ରାଜସ୍ବ ହାନୀ କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ଓ ରାଜ୍ୟବାସୀଙ୍କୁ ଦାରିଦ୍ୟ ଆଡ଼କୁ ଠେଲିଦେବା ଚକ୍ରାନ୍ତ ଚଲାଇଛନ୍ତି। ଲମ୍ବା ସମୟ ଧରି ବିଦ୍ୟୁତ କ୍ଷେତ୍ରରେ ଚାଲିଥିବା ଦୁର୍ନୀତି ବିରୋଧରେ ବିଜେପି ସର୍ବଦା ପ୍ରତିବାଦ କରିଆସୁଛି। ସିଏଜି ରିପୋର୍ଟ ଅନୁସାରେ ଉଭୟ ବିଦ୍ୟୁତ କ୍ଷେତ୍ର ଏବଂ ଜମି ଦୁର୍ନୀତିରେ ରାଜ୍ୟ ରାଜକୋଷରୁ ବ୍ୟାପକ ଅର୍ଥ କ୍ଷତି ହୋଇଛି। ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଯୋଗୁ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର।

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ୨୦୧୩-୧୪ରେ ବିଦ୍ୟୁତ ଉତ୍ପାଦନରେ ଏଟି ଆଣ୍ଡ୍‌ ସି କ୍ଷତି ୩୭ ପ୍ରତିଶତ ଥିବା ଜଣାପଡ଼ିଥିଲା, ଯାହା କି ୨୨ ପ୍ରତିଶତରୁ ଅଧିକ ହେବା କଥା ନୁହେଁ ବୋଲି ଓଇଆରସି ସମୀକ୍ଷା କରିଥିଲା। ଏହିକ୍ଷତି ଭରଣା କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କାରେ ୫୦୦ ନୂଆ ଟ୍ରାନ୍ସଫରମର ଲଗାଇବା ପାଇଁ ଯୋଜନା ହୋଇଥିଲା। ଏହା ମଧ୍ୟରେ ୮/୯ ବର୍ଷ ବିତିଗଲା ପରେ ବି ରାଜ୍ୟ ସରକାର ମାତ୍ର  ୩୫ ପ୍ରତିଶତ କାର୍ଯ୍ୟ ସାରିଛନ୍ତି। ସେତେବେଳର ୨୬୦୦ କୋଟି ଟଙ୍କାର ପ୍ରୋଜେକ୍ଟ ମୂଲ୍ୟ ଏବେ ବୃଦ୍ଧି ହୋଇ ୩୮୪୩ କୋଟି ହେଲାଣି। ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର। ଯୋଗ୍ୟତା ନ ଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫରମର କିଣିବାକୁ ଅନୁମତି ଦେଇଥିଲେ। ୩୬ଟି ଟ୍ରାନ୍ସଫରମର ଲଗାଇବାର ଯୋଗ୍ୟତା ଥିବାବେଳେ ଗୁପ୍ତା ପାଓ୍ୱାରକୁ ୯୫ ଟି ଟ୍ରାନ୍ସଫରମର ଲଗାଇବା ପାଇଁ ଅନୁମତି ଦିଆଗଲା। ସେହିପରି ଏଲ୍‌ଆଣ୍ଡ୍‌ଟିକୁ ୨୪ଟି ଟ୍ରାନ୍ସଫରମର ଦେବା ବଦଳରେ ୧୨୩ଟି ଟ୍ରାନ୍ସଫରମର ଲଗାଇବା କାର୍ଯ୍ୟ ଦିଆଯାଇଥିଲା। ସମୁଦାୟ ୩୯୯ଟି ଟ୍ରାନ୍ସଫରମରରୁ ମାତ୍ର ୧୦୯ଟି ଟ୍ରାନ୍ସଫରମର ବର୍ତ୍ତମାନ ସୁଦ୍ଧା ଲଗାଯାଇଛି। ଏହା ଫଛରେ ରାଜ୍ୟ ସରକାରଙ୍କ ହାତ ରହିଛି। ଓପିଟିସିଏଲର ଟ୍ରାନ୍ସଫରମର ଲଗାଇବାର ନିଜର କ୍ଷମତା ଥିବା ସତ୍ତ୍ବେ ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି।

ଟ୍ରାନ୍ସଫରମର କିଣାବିକାରେ ୧୭୫ କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫରମର ବସା ନ ଗଲେ ସମ୍ପୃକ୍ତ କମ୍ପାନୀ ୧୦୦ କୋଟି ଟଙ୍କା ଜୋରିମାନା ଦେବା କଥା। କିନ୍ତୁ ସେ ଟଙ୍କାକୁ ରାଜ୍ୟ ସରକାର ଛାଡ଼ି ଦେଇଛନ୍ତି। ଅନେକ ସ୍ଥାନରେ ସବ୍‌ଷ୍ଟେସନ୍‌ ବସାଯାଇନାହିଁ। ଯେଉଁଠି ସବ୍‌ଷ୍ଟେସନ୍‌ ବସିଛି ତାକୁ ଚାର୍ଜ କରିବା ପାଇଁ ୩ ରୁ ୪ ବର୍ଷ ସମୟ ଲାଗୁଛି। ରାଜ୍ୟରେ ଏଟି ଆଣ୍ଡ ସି କ୍ଷତି ବଢ଼ି ୫୦ରୁ ୭୫ ପ୍ରତିଶତ ହେଲାଣି। ଓଡ଼ିଶା ବିଦ୍ୟୁତ ଉତ୍ପାଦନ କରି ଦିଲ୍ଲୀକୁ ବିକ୍ରି କରୁଛି ଏବଂ ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ମାଗଣାରେ ବିଦ୍ୟୁତ ସେବା ଯୋଗାଉଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଉତ୍ପାଦନ କରି ରାଜ୍ୟବାସୀଙ୍କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ରାଜ୍ୟର ବିଦ୍ୟୁତ କ୍ଷେତ୍ରକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ଆଗ୍ରହ କିମ୍ବା ଉଦ୍ଦେଶ୍ୟ ନାହିଁ ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି।

୨୦୧୪ ରେ ରାଜ୍ୟସରକାର ୫୨ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଛନ୍ତି ବୋଲି  ଓଡ଼ିଶାର ତତ୍କାଳୀନ ଏଜି ଅମର ପଟ୍ଟନାୟକ  କହିଥିଲେ। ରାଜ୍ୟ ସରକାରଙ୍କ ଜମି ଦୁର୍ନୀତି ବର୍ତ୍ତମାନ ସୁଦ୍ଧା ଚାଲିଛି। ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା କି, ଲ୍ୟାଣ୍ଡ ବ୍ୟାଙ୍କ୍‌ ସ୍କିମରେ ୧ ଲକ୍ଷ ଏକର ଜମି ଯୋଗାଡ଼ କରିବେ ଏବଂ ଏଥିରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯିବ। କିନ୍ତୁ ଏପର୍ଯ୍ୟନ୍ତ ସରକାର ମାତ୍ର ୬୦ ହଜାର ଏକର ଅଧିଗ୍ରହଣ କରିଛନ୍ତି। ସେଥିରୁ ୪ ହଜାର ଏକର ଜମି ସାଧାରଣ ଲୋକ ମାଡ଼ିବସିଛନ୍ତି। ରାଜ୍ୟ ସରକାର ଘରୋଇ ଶିଳ୍ପ ଅନୁଷ୍ଠାନ ମାନଙ୍କୁ ଖୁଲମଖୁଲା ଜମି ଯୋଗାଇ ଦେଉଛନ୍ତି। କିନ୍ତୁ ସରକାରୀ ଯୋଜନା ପାଇଁ ଆବଶ୍ୟକତା ଠାରୁ କମ୍ ଜମି ଦିଆଯାଉଛି। ରାଜ୍ୟ ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି।

୨୦୧୫-୧୬ରେ ଜିଏମ୍‌ଆର ଏବଂ ଲ୍ୟାନକୋ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ୨୦୦୭ ମସିହା ଦରରେ ଜମି ବିକ୍ରି କରାଯାଇଛି। ଏହା ଫଳରେ ରାଜ୍ୟ ସରକାରଙ୍କର ୯.୧୩ କୋଟି କ୍ଷତି ହୋଇଛି। ପାଓ୍ୱାର ପ୍ଲାଣ୍ଟ୍‌ ବସାଇବା ପରେ ବି ଷ୍ଟେର୍‌ଲାଇଟ୍‌ ଏନର୍ଜି କମ୍ପାନୀକୁ ଇଡ୍‌କୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ବେଦାନ୍ତ ଲିମିଟେଡ କୁ ୨୧୬୬ ଏକର ଜମି ଦିଆଯାଇଥିଲା। ବଳକା ଜମିରୁ ଏସ୍‌ଇଜେଡକୁ ୫୪୫ ଏକର ଜମି ଦିଆଗଲା। ଏହା ବ୍ୟତୀତ ରାଜ୍ୟ ସରକାର ଆହୁରି ୧୦୨୪ ଏକର ଜମି ବେଦାନ୍ତକୁ କାହିଁକି ଦେଇଛନ୍ତି ? ଘରୋଇ ପୁଞ୍ଜିପତିଙ୍କ ପାଇଁ ରାଜ୍ୟ ସରକାର ଜମି ମାଫିଆ ସାଜିଛନ୍ତି। ୧୯୯୫ ମସିହାରେ ଗୋପାଲପୁରରେ ଟାଟା କମ୍ପାନୀକୁ ଷ୍ଟିଲ ପ୍ଲାଣ୍ଟ୍‌ କରିବା ପାଇଁ ୫୩୭.୮୨ ଏକର ଜମି ଦିଆଯାଇଥିଲା। କିନ୍ତୁ ସେଠାରେ ଷ୍ଟିଲ୍‌ ପ୍ଲାଣ୍ଟ୍‌ ହେଲା ନାହିଁ। ରାଜ୍ୟ ସରକାର ସେହି ଜମିକୁ ନ ଫେରାଇ ୧୫ ବର୍ଷପରେ ପୁଣିଥରେ ଟାଟାକୁ ଏସ୍‌ଇଜେଡ ପାଇଁ ୧୯୯୫ ମସିହାର ପୂରୁଣା ଦରରେ ବିକ୍ରି କଲେ। ସେଥିରେ ରାଜ୍ୟ ସରକାରଙ୍କ ୧୬ କୋଟି ଟଙ୍କା କ୍ଷତି ହେଲା। ଟାଟା କମ୍ପାନୀ ପାଇଁ ରାଜ୍ୟ ସରକାରଙ୍କ ଏତେ ଅନୁକମ୍ପା କାହିଁକି? ରାଜ୍ୟ ସରକାରଙ୍କ ପାଖକୁ ରାଜସ୍ବ ନଆସି ଟାଟା କମ୍ପାନୀକୁ ଯାଉଛି। ୧୯୯୯-୨୦୧୫ ମଧ୍ୟରେ ଇଡ୍‌କୋ ଶିଳ୍ପାଞ୍ଚଳ କରିବା ପାଇଁ ୪ ଟି ଜାଗାରେ ୧୪୩୨ ଏକର ଜମି ମାଗିଥବାବେଳେ ମାତ୍ର ୩୨୪ ଏକର ଜମି ମିଳିଛି। ଗତ ୮ ବର୍ଷ ହେବ ରେମୁଣାରେ ୧ ହଜାର ଏକର ଜମି ପଡ଼ିଆ ପଡ଼ିଛି। ଏହି ଜମିରେ ଲୋକ ଚାଷ କରିପାରୁନାହଁନ୍ତି କି ସରକାର ଏହାକୁ ଅଧିକାର କରିପାରୁ ନାହାଁନ୍ତି।

ନୂଆ ପଲିସିରେ ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ବିଗତ ୬ ବର୍ଷ ଧରି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା ଯୋଗୁ ଅନୁଗୁଳରେ ଆଲୁମିନିୟମ ପାର୍କ ଆରମ୍ଭ ହୋଇପାରୁନାହିଁ। ପାରାଦୀପରେ ପ୍ଲାଷ୍ଟିକ ପାର୍କ ମଧ୍ୟ ସମାନ କାରଣ ପାଇଁ ଆରମ୍ଭ ହୋଇପାରୁନାହିଁ। ପାରାଦୀପରେ ପେଟ୍ରୋକେମିକାଲ ହବ୍  ପାଇଁ ୮ ହଜାର ଏକର ଜମି ଆବଶ୍ୟକ। କିନ୍ତୁ ରାଜ୍ୟ ସରକାର ମାତ୍ର ୧୧୦୦ ଏକର ଜମି ଏବେ ସୁଦ୍ଧା ଅଧିଗ୍ରହଣ କରିଛନ୍ତି। ଇଲେକଟ୍ରୋନିକ ମ୍ୟାନୁଫ୍ୟାକଚରିଂ ପାର୍କ ପାଇଁ ୧୧୫ ଏକର ଜମି ଆବଶ୍ୟକଥିବାବେଳେ ରାଜ୍ୟ ସରକାର ମାତ୍ର ୭ ଏକର ଜମି ଅଧିଗ୍ରହଣ କରିଛନ୍ତି। ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନ କରି ଘରୋଇ କମ୍ପାନୀକୁ ଆବଶ୍ୟକତା ଠାରୁ ଅଧିକ ଜମି ଯୋଗାଇ ଚାଲିଛନ୍ତି ବୋଲି ଡ.ସାମଦତିସିଂହାର ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ