ଦଣ୍ଡଯାତ୍ରାରେ ପ୍ରକମ୍ପିତ ଗଞ୍ଜାମ


ଗଞ୍ଜାମରେ ପାଳିତ ଦଣ୍ଡଯାତ୍ରାର ଏକ ଦୃଶ୍ୟ
ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦଣ୍ଡଯାତ୍ରାରେ ଏବେ ମୁଖରିତ ହେଉଛି ଗାଁ ଓ ସହର। ଢୋଲ, ଝାଞ୍ଜ ଆଉ ଘଣ୍ଟ, ମହୁରୀ ନିନାଦରେ ପ୍ରକମ୍ପିତ ହେଉଛି ଗଞ୍ଜାମ। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। କେଉଁଠି ୧୩ ଦିନ ତ କେଉଁଠି ୨୧ ଦିନର ଏହି କଠିନ ଦଣ୍ଡଯାତ୍ରାରେ ଚାଲିଛି ରୁଦ୍ରକାଳୀଙ୍କ ଉପାସନା। କୋରୋନାର ଭୟ ଭିତରେ ଦଣ୍ଡୁଆ ଆଉ ଶ୍ରଦ୍ଧାଳୁ ମାନେ କଳାରୁଦ୍ରମଣିଙ୍କ ଆରାଧନାରେ ମଗ୍ନ। ଦକ୍ଷିଣ ଓଡ଼ିଶାର ଏହି ନିଆରା ଆଧ୍ୟାତ୍ମିକ ମହାକୁମ୍ଭକୁ ନେଇ ଏ ସ୍ୱତନ୍ତ୍ର ରିପୋର୍ଟ।

କୋରୋନା କଟକଣା ମଧ୍ୟରେ ପାଳିତ ହେଉଛି ଦକ୍ଷିଣ ଓଡ଼ିଶାର ଦଣ୍ଡଯାତ୍ରା ପରମ୍ପରା। ଧୁ ଧୁ ଖରାବେଳେ ଗାଁ ଦାଣ୍ଡରେ ଚାଲିଛି ଦଣ୍ଡବିଧି ପାଳନ। ତତଲା ବାଲି ଉପରେ ମାନସିକଧାରୀ ମାନେ ଲଭୁଛନ୍ତି ଦଣ୍ଡ। ହାତରେ ଗୌରୀ ବେତ, କାନ୍ଧରେ ମହାଦେବ ଖଟୁଲି ଆଉ ନିଆଁର ଝୁଲରେ ଝଲସିତ ହେଉଛି ଚମ୍ପାବର। ପ୍ରଭା ତ୍ରିଶୁଳ ଆଉ ହାତରେ ପତାକା ସହିତ ପଦବ୍ରଜରେ ଗାଁରୁ ସହର ପରିକ୍ରମା କରୁଛନ୍ତି ଦଣ୍ଡକାଳୀ ଭଗତା। ବାଜୁଛି ଢୋଲ, ମହୁରୀ ଆଉ ଝାଞ୍ଜ। ଝୁଣା ଧୂଆଁରେ ଶୁଦ୍ଧପୁତ ଆଉ ପବିତ୍ର ହୋଇଉଠିଛି ପରିବେଶ। କଳାରୁଦ୍ରମଣିଙ୍କ ଆରାଧନା ଚାଲିଛି ନିଷ୍ଠାପର ଭାବରେ। ରୁଦ୍ରକାଳୀଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ ହେଉଛି ଭକ୍ତ। ଦେହରେ ଯଜ୍ଞଉପଵିତ ଆଉ କଷାୟ ବସ୍ତ୍ର ପରିଧାନ କରି ଭଗତାମାନେ ଖାଲି ପାଦରେ ଗାଁ ଗାଁ ବୁଲୁଛନ୍ତି। କୋରୋନା ମହାମାରୀ କଟକଣା ପାଇଁ ନିୟମ ମାନି ଏଭଳି ପରମ୍ପରା ଅନୁସୃତ ହେଉଥିବା କହିଛନ୍ତି ବ୍ରତଧାରୀ ଦଣ୍ଡୁଆ ଆଉ ପରିଚାଳକ। ମାନସିକଧାରୀଙ୍କ ଘର ଆଗରେ ଚାଲିଛି ପୂଜାପାଠ ଆଉ ଦଣ୍ଡପାଳନ ବିଧି। ଚାଲିଛି ଶିବ ଓ କାଳୀଙ୍କ ଆରାଧନା। ତତଲା ବାଲି ଉପରେ ଶୋଇରହି ଭଗତା ମାନେ ସ୍ୱୀକାର କରୁଛନ୍ତି ଦଣ୍ଡ।

୧୬ ଦଣ୍ଡ ବିଧି
୧୬ ଦଣ୍ଡ ମଧ୍ୟରୁ ଧୂଳି ଦଣ୍ଡ, ପାଣି ଦଣ୍ଡ, ଆହାର ଦଣ୍ଡ, ଅଗ୍ନିଦଣ୍ଡ ଓ ଉଜାଗର ଦଣ୍ଡ ଆଦି ପ୍ରମୁଖ। ଅତି ନିଷ୍ଠାପର ଭାବେ ପାଳନ ନ କଲେ ଏହି ବ୍ରତର ଓଲଟା ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଦଣ୍ଡଯାତ୍ରା ନାଁର ସାର୍ଥକତାର ସ୍ୱରୂପକୁ ଶ୍ରଦ୍ଧାଳୁ ମାନେ ଏବେ ଗାଁ ଗାଁରେ ଦେଖିବାକୁ ପାଉଛନ୍ତି। ଏଭଳି ବ୍ରତ ପାଇଁ ଗୃହସ୍ଥ ମାନେ ଛାଡିଛନ୍ତି ଘର। ଅକଟା, ଅବଟା, ଅଫୁଟା ହବିଷ ଅନ୍ନ ଦିନରେ ଥରେ ଗ୍ରହଣ କରାଯାଉଛି। ଏହାକୁ କୁହାଯାଉଛି ଆହାର ଦଣ୍ଡ। ଦଣ୍ଡୁଆ ମାନେ ଦାନ୍ତ ଘଷିବା ମନା। ଅପରାହ୍ନରେ ଜଳାଶୟ ନିକଟରେ ଏକାଠି ହୋଇ ଆମ୍ବପତ୍ରରେ ଦାନ୍ତ ଘଷିବା ବିଧି ରହିଛି। ଅଧରାତ୍ରରେ କୌଣସି ଶବ୍ଦ ଶୁଭୁ ନ ଥିବା ଅବସ୍ଥାରେ ଖାଦ୍ୟ ଗ୍ରହଣ କରାଯାଇଥାଏ। ଖାଉଥିବା ବେଳେ ଦାନ୍ତରେ ଗୋଡି ବାଜିଲେ ଖାଦ୍ୟ ଗ୍ରହଣକୁ ବାରଣ କରାଯାଇଛି। ଦଣ୍ଡୁଆ ମାନେ ବ୍ରତ ପାଳନର ପ୍ରଥମ ଦିନରୁ ଘର ଛାଡ଼ିବେ। ଗ୍ରାହସ୍ଥ୍ୟ ହୋଇ ସୁଦ୍ଧା ପାଳନ କରିବେ ବାନପ୍ରସ୍ତ। ଘର ଭିତରକୁ ପ୍ରବେଶ କରିବେ ନାହିଁ। ମନ୍ଦିର, ଜଳାଶୟ, ଶ୍ମଶାନରେ ଅବସ୍ଥାନ କରିବେ। ରାତିରେ ଉଜାଗର ରହିବେ। କଳାରୁଦ୍ରମଣିଙ୍କ ଆରାଧନାରେ ବ୍ରତୀ ହେବେ। ତତଲା ବାଲି ଉପରେ ଗଡି ଦଣ୍ଡ ଲଭିବେ। ଏହା ବାଲି ଦଣ୍ଡ ନାଁରେ ବିଖ୍ୟାତ। ସନ୍ଧ୍ୟାରେ ମାନସିକ କରିଥିବା ଭକ୍ତଙ୍କ ଘର ଆଗରେ ଦଣ୍ଡକାଳୀଙ୍କୁ ଭୋଗ ବଢ଼ାଯାଏ। ଏହି ସମୟରେ ପାଳିତ ହୁଏ ଅଗ୍ନିଦଣ୍ଡ। କେଉଁଠି କେଉଁଠି ନିଶାର୍ଦ୍ଧରେ ଅଗ୍ନିଦଣ୍ଡର ବିଧିରହିଛି। ଅପରାହ୍ନରେ ଜଳାଶୟ ନିକଟରେ ବାଲିରେ ଶିବଲିଙ୍ଗ ସ୍ଥାପନ ପୂର୍ବକ ଜଳଦଣ୍ଡର ଆୟୋଜନ କରାଯାଇଥାଏ।

ମୀନ ମାସର ୧୭ ଦିନ ପରେ ଓ ମେଷର ତ୍ରୟୋଦଶ ଦିନରୁ ଆରମ୍ଭ ହୋଇଥିବା ଦଣ୍ଡକାଳୀଙ୍କ ପ୍ରସିଦ୍ଧ ଦଣ୍ଡନାଚ ପରମ୍ପରା ପଣା ସଂକ୍ରାନ୍ତି ଯାଏ ଆୟୋଜିତ ହୋଇଥାଏ। କୋରୋନା କଟକଣା କାରଣରୁ ଗତବର୍ଷ ଏହି ପରମ୍ପରା ବନ୍ଦ ହୋଇଯାଇଥିବା ବେଳେ ଚଳିତ ବର୍ଷ ଯାତ୍ରାଭିନୟକୁ କଟକଣା କରାଯାଇଛି। ମାନସିକଧାରୀଙ୍କ ଉତ୍ସାହ କିନ୍ତୁ ଅତୁଟ ରହିଥିବା ଲକ୍ଷ୍ୟ କରାଯାଇଛି। ଦଣ୍ଡନାଚ ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା କାମନା ଦଣ୍ଡ ବା ଦଣ୍ଡଯାତ୍ରା ନାମରେ ପରିଚିତ। ରୋଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତି ପାଇଁ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ରକାଳୀଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମା ପର ଠାରୁ ଭକ୍ତମାନେ ରହିଥାନ୍ତି। ଘୁମୁସର ଅଞ୍ଚଳର କୁଲାଡ଼ ଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଟ ପରବର୍ତ୍ତୀ ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ବିଶେଷକରି ଶକ୍ତିପୀଠ ଗୁଡ଼ିକୁ ବ୍ୟାପିଥିବାର ଜଣାପଡ଼େ। ‘ହେ ଋଷିପୁତ୍ରେ!’ ଅଇଲେ ହର, ଦେଇଗଲେ ବର, ଆନ ଯାତ୍ରା ଛାଡି ଏ ଯାତ୍ରା କର। ଏ ସେବା କଲେ କି ଫଳ ପାଏ। ଉଷୁନାଧାନ ଗଜା ହୁଏ। ଶୁଖିଲା କାଠ କଞ୍ଚା ହୁଏ। ଭଜାମୁଗ ଗଜା ହୁଏ। ଅପୁତ୍ରିକ ପୁତ୍ରଦାନ ପାଏ, ଅନ୍ଧ ଚକ୍ଷୁଦାନ ପାଏ, ବ୍ୟାଧିବନ୍ତ କନ୍ଦର୍ପ ହୁଏ ବୋଲି ବୀଣାକାର ଗୀତ ଜରିଆରେ ଦଣ୍ଡନାଟ ଆରମ୍ଭ କରିଥାଏ। ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀ ସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି। କାମନା ଘଟ ସ୍ଥାପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକ ରୂପେ ସ୍ଥାପନ କରାଯାଏ। ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶ କାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ଚମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ। ଏହା ୧୩ ଦିନ ପର୍ଯ୍ୟନ୍ତ ଜଳିରହେ। କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜା ପରେ ଦଣ୍ଡନାଟ ଆରମ୍ଭ ହୁଏ। ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ, କାହାଳି, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକି, ଖଞ୍ଜଣି ପ୍ରଭୃତି ପାରମ୍ପରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ। ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।

ଦଣ୍ଡୁଆମାନେ ଯେପରି ନିଷ୍ଠାର ସହ ଏହାକୁ ପାଳନ କରିଥାନ୍ତି, ଠିକ୍‌ ସେହିପରି ମାନସିକଧାରୀ ପରିବାରର ସଦସ୍ୟମାନେ ନିଷ୍ଠାର ସହ ଉପବାସ ରହି ଏହି ବ୍ରତ ପାଳନ କରନ୍ତି। ସେପଟେ ନିଜ ଗ୍ରାମ କିମ୍ବା ସହରରେ ହେଉଥିବା ଦଣ୍ଡଯାତ୍ରା ଦେଖିବା ପାଇଁ ଓ ଠାକୁରଙ୍କ ଆଶୀର୍ବାଦ ପାଇବାକୁ ବାହାର ଜିଲ୍ଲା ଓ ରାଜ୍ୟରେ ରହୁଥିବା ଲୋକମାନେ ଏହି ସମୟରେ ନିଜ ନିଜ ଘରକୁ ଫେରିଥାନ୍ତି। ଦଣ୍ଡନାଚର ପରମ୍ପରା ଓ ସଂସ୍କୃତି ଅନ୍ୟ ପରମ୍ପରା ଠାରୁ ଅନେକ ଭିନ୍ନ ହୋଇଥିବାରୁ ଏହାର ସ୍ୱାତନ୍ତ୍ର୍ୟ ରହିଛି। ଗଞ୍ଜାମ ସମେତ ନୟାଗଡ଼, କନ୍ଧମାଳ, ଗଜପତି ଓ ରାୟଗଡା ଜିଲ୍ଲାରେ ଏଭଳି ପରମ୍ପରା ଏବେ ଦେଖିବାକୁ ମିଳୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ