ସରପଞ୍ଚ ପରେ କୋଟିଆରେ ଜିଲ୍ଲାପରିଷଦ ନିର୍ବାଚନ କରିବ ଆନ୍ଧ୍ର


କୋଟିଆ ଗ୍ରାମ (ଫାଇଲ୍‌ ଫଟୋ)
କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ତୁଟିବାର ନାଁ ଧରୁ ନ ଥିବା ବେଳେ ଏବେ ପୁଣି ସେଠାରେ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର। ଆସନ୍ତା ମାସ ୮ ତାରିଖରେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଜିଲ୍ଲାପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ସରକାର। ଏପ୍ରିଲ୍‌ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ୍ ଗ୍ରହଣ ହେବ। ୧୦ ତାରିଖରେ ଭୋଟ୍ ଗଣତି କରାଯିବ। କୋଟିଆର ତଳଗଞ୍ଜେଇପଦରକୁ  ଗଞ୍ଜେଇଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଫେବ୍ରୁଆରୀ ୧୩ରେ କୋଟିଆ ପଞ୍ଚାୟତର ତିନି ଗ୍ରାମ ତଳ ଗଞ୍ଜେଇ ପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲା। ଏହାକୁ ନେଇ ଏବେବି ବାଦ ବିବାଦ ଲାଗିରହିଥିବା ବେଳେ ରବିବାର ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଯାହାକି କୋରାପୁଟ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।

ଗଞ୍ଜେଇଭାଦ୍ରା ପାଇଁ ଦୁଇ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ତଳଗଞ୍ଜେଇ ପଦରବାସୀ ମଧ୍ୟ ନେରେଡିବାଲସା ଗ୍ରାମରେ ଏହି ଦିନ ଭୋଟ ଦେବେ। ଫଗୁଣସିନେରି ପଞ୍ଚାୟତର ସଲପଗୁଡ଼ା, ଏଗୁମାଣ୍ଡାଙ୍ଗି, ମହିପାଣି ଓ ଫଗୁଣସିନେରି ଆଦି ୪ଟି ଗ୍ରାମର ୪୮୯ ଭୋଟର ତିନୋମରେ ଭୋଟ୍‌ ଦେବେ। ଏହି ପଞ୍ଚାୟତର ଡୋଲିଆମ୍ବ, ମାଡ଼କାର, କୋନାଦୋରା, ବର୍ଣ୍ଣନା ପାଡୁ, ଚିକାପାରୁ, ନିମାଲପାଡୁ, କୋମେଟିବାଲସା, ପାନସାବାଲସା, ଗୁଞ୍ଜିମାଡା, ଡୋଙ୍କେଲୱବାଲସା, କତୁରୁ ଏବଂ ଫାଟୁସିନେରି ଆଦି ଗ୍ରାମର ୧୦୨୫ ଭୋଟର ମଧ୍ୟ ତିନୋମ ଅଞ୍ଚଳରେ ଭୋଟ ଦେବେ। ସେହିପରି ତଳ ଗଞ୍ଜେଇ ପଦର ପଞ୍ଚାୟତର ଧୂଳିପଦର, ଦିଗୁସେମ୍ବି, ଏଗୁସେମ୍ବି, କୋଟିଆ, ରଣାସିଂ, ଉପର ଗଞ୍ଜେଇ ପଦର, ସିମାଗେଡା, ପାନୁକୁଲାଭା, କୁରୁଡିପଦର ଏବଂ ତଳ ଗଞ୍ଜେଇ ପଦର ଆଦି ଗ୍ରାମର ୧୨୭୨ ଭୋଟର ନେରେଡିବାଲସା ଗ୍ରାମରେ ଭୋଟ୍‌ ଦେବାକୁ ଆନ୍ଧ୍ର ପକ୍ଷରୁ ବ୍ୟବସ୍ଥା କରାଯାଇଛି। କୋରାପୁଟ ଜିଲ୍ଲାର କୋଟିଆକୁ ପଡ଼ୋଶୀ ଆନ୍ଧ୍ର ନିଜର ଏକ ପଞ୍ଚାୟତ ବୋଲି ଦାବି କରି ଆସୁଛି। ଏପରିକି ଗତ ଫେବ୍ରୁଆରୀରେ ଆନ୍ଧ୍ର ସରକାର ସେଠାରେ ଜୋର ଜବରଦସ୍ତ କରି ପଞ୍ଚାୟତ ନିର୍ବାଚନ ମଧ୍ୟ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଘନେଇଥିଲା। ଏହାପରେ ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଓଡ଼ିଶା। ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ତଥାପି ଆନ୍ଧ୍ର ସରକାର ପୁଣି କୋଟିଆରେ ନିର୍ବାଚନ କରିବାକୁ ପ୍ରସ୍ତୁତ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ