ପିପିଲି-ଡେଲାଙ୍ଗକୁ ଭୟମୁକ୍ତ, ହିଂସାମୁକ୍ତ ଓ ବିକାଶଯୁକ୍ତ କରିବା ଆମ ଲକ୍ଷ୍ୟ: ବିଜେପି


ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ପିପିଲି-ଡେଲାଙ୍ଗ ଉପନିର୍ବାଚନର ଲଢେଇ ପାଇଁ ଭାତୀୟ ଜନତା ପାର୍ଟି ଦଳୀୟ ପ୍ରଚାରକୁ ଶାଣିତ କରିଛି। ପିପିଲି ଉପନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ସମର୍ଥକଙ୍କ ଗହଣରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଭୋଟ ଆଶୀର୍ବାଦ ଲୋଡିଛନ୍ତି। ରବିବାର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମର, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତା ପ୍ରକାଶ ମିଶ୍ର, ଐର ଖାରବେଳ ସ୍ୱାଇଁ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତାଙ୍କୁ ଭେଟି ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ କରିଥିଲେ।

ସାଧାରଣ ଗରିବ ଲୋକଙ୍କ ମୈାଳିକ ସୁବିଧା ପାଇବାର ହକ୍‌ ପହଞ୍ଚାଇବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ବାସଗୃହ, ପାନୀୟ ଜଳ, ଶୌଚାଳୟ ଆଦି ଭଳି ମୈାଳିକ ସୁବିଧାକୁ ଘରେ ଘରେ ପହଞ୍ଚାଇବା ପାଇଁ ମୋଦି ସରକାରଙ୍କ ପ୍ରାଥମିକତା ଏବଂ ଏଥିପାଇଁ ସେ କାର୍ଯ୍ୟରତ ଅଛନ୍ତି। ଗାଁର ବିକାଶ ପାଇଁ ସେହି ଗ୍ରାମବାସୀ ନିଷ୍ପତ୍ତି ନେବେ। ଏଥିପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରାଯାଇ ଦେଶର ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ସରପଞ୍ଚମାନଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ପ୍ରଦାନ କରାଗଲା। ମାତ୍ର ଦେଶ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ରାଜ୍ୟ ରାଜଧାନୀ ସଂଲଗ୍ନ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ବାସିନ୍ଦା ଏହି ସବୁ ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ହେବା ଅତ୍ୟନ୍ତ ଲଜ୍ଜାଜନକ। ପିପିଲି-ଡେଲାଙ୍ଗ ଅଞ୍ଚଳକୁ ଭୟମୁକ୍ତ, ହିଂସାମୁକ୍ତ, ବିକାଶଯୁକ୍ତ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ପାର୍ଟିରେ କାର୍ଯ୍ୟକର୍ତ୍ତାମାନେ ମୂଳ ଅଟନ୍ତି ଓ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୁଳ ସ୍ତରରେ ଲୋକଙ୍କ ପାଖକୁ ଯାଇ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ଗରିବକଲ୍ୟାଣ ଯୋଜନାର ସୁଫଳକୁ ଜଣାଇବା ପାଇଁ ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ପରାମର୍ଶ ଦେଇଛନ୍ତି।

ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର କହିଛନ୍ତି, ଆଜି ସମଗ୍ର ଦେଶ ବିକାଶ ପଥେ ଆଗେଇ ଚାଲୁଥିବାବେଳେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ବାସିନ୍ଦା ଆଜି ଅବହେଳିତ ହୋଇ ରହି ଯାଇଛନ୍ତି। ବିକାଶର ଅପାର ସମ୍ଭାବନା ଥିବା ସତ୍ତ୍ବେ ସ୍ଥାନୀୟ ଲୋକପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଏହି ଅଞ୍ଚଳ ବହୁ ପଛରେ ପଡିଯାଇଛି। ବିଶ୍ୱବିଖ୍ୟାତ ପିପିଲି ଚାନ୍ଦୁଆ କାରୁକାର୍ଯ୍ୟ ଆଜି ବିଶ୍ୱବଜାରରେ ପହଞ୍ଚିବାରେ ସକ୍ଷମ ହୋଇନାହିଁ। ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା ସତ୍ତ୍ବେ ଏହି ଅଞ୍ଚଳରେ ସାମାନ୍ୟ ବସଷ୍ଟାଣ୍ଡଟିଏ ହୋଇନପାରି ନାହିଁ। ସ୍ଥାନୀୟ ଲୋକପ୍ରତିନିଧି ନିଜେ ରାଜ୍ୟର କୃଷିମନ୍ତ୍ରୀ ଥିବା ସତ୍ୱେ କୃଷିପ୍ରାଧାନ୍ୟ ଏହି ଅଞ୍ଚଳକୁ ସଠିକ ଭାବେ ଜଳସେଚିତ କରିନପାରିବା, ଶୀତଳ ଭଣ୍ଡାର ଅଭାବ, ଅବ୍ୟବସ୍ଥିତ ଧାନ ମଣ୍ଡିଆଦି ତାଙ୍କ ଅପାରଗତାକୁ ସ୍ପଷ୍ଟ ଦର୍ଶାଇଛି। ପବିତ୍ର ପୁରୀ ଧାମର ପ୍ରବେଶ ପଥ ବୋଲାଉଥିବା ଏହି ନିର୍ବାଚନମଣ୍ଡଳୀର ସାମୁହିକ ବିକାଶ ହିଁ ବିଜେପିର ମୂଳ ଲକ୍ଷ୍ୟ ବୋଲି ଡ.ସମ୍ବିତ ପାତ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ