ଷ୍ଟାଲିନ୍ ଓ ତାଙ୍କ ପୁତ୍ରଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଇସିରେ ପହଞ୍ଚିଲା ଏଆଇଏଡିଏମକେ


ଏମକେ ଷ୍ଟାଲିନ୍ (ଫାଇଲ୍ ଫଟୋ)
ଆଉ କିଛି ଦିନ ପରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ ଓ ତାଙ୍କ ପୁତ୍ର ଉଦୟନିଧି ଷ୍ଟାଲିନ୍‌ଙ୍କୁ ଅଯୋଗ୍ୟ ଘୋଷଣା କରିବା ସକାଶେ ବିରୋଧୀ ଏଆଇଏଡିଏମକେ ପକ୍ଷରୁ ଦାବି କରାଯାଇଛି। ଏହି ମାମଲାରେ ଏଆଇଏଡିଏମକେ ପକ୍ଷରୁ ନିର୍ବାଚନ କମିଶନ୍ (ଇସି)ଙ୍କଠାରେ ଆବେଦନ କରିଛି। ଶୁକ୍ରବାର ନିର୍ବାଚନ କମିଶନ୍‌ରେ ଏଆଇଏଡିଏମକେ ପକ୍ଷରୁ ଆବେଦନ କରାଯାଇଥିବା ବେଳେ ଷ୍ଟାଲିନ୍ ଓ ତାଙ୍କ ପୁତ୍ର ଉଦୟନିଧି ଭୋଟରମାନଙ୍କୁ ପ୍ରଭାବିତ କରିବା ସକାଶେ ଟଙ୍କା ଯାଚୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ଷ୍ଟାଲିନ୍ ଓ ତାଙ୍କ ପୁତ୍ର ଉଦୟନିଧିଙ୍କ ବ୍ୟତୀତ ଅନ୍ୟାନ୍ୟ ଡିଏମକେ ନେତାଙ୍କ ପ୍ରାର୍ଥିପତ୍ର ମଧ୍ୟ ଖାରଜ କରିବାକୁ ଏଆଇଏଡିଏମକେ ପକ୍ଷରୁ ଦାବି କରାଯାଇଛି। ଏଥିରେ ଡିଏମକେର ସାଧାରଣ ସମ୍ପଦାକ ଦୁରାଇ ମୁରୁଗାନଙ୍କ ପ୍ରାର୍ଥିପତ୍ର ମଧ୍ୟ ରହିଛି।

ଏଆଇଏଡିଏମକେ ପକ୍ଷରୁ ଇସିଙ୍କ ନିକଟରେ ଆବେଦନ କରିଥିବା ଓକିଲ ତଥା ୱିଙ୍ଗ୍ ଜଏଣ୍ଟ୍ ସେକ୍ରେଟାରୀ ଆରଏମ୍ ବାବୁ ମୁରୁଗାଭେଲ୍ ଅଭିଯୋଗ କରିଛନ୍ତି ଯେ ଷ୍ଟାଲିନ୍‌ଙ୍କ ପତ୍ନୀ ଦୁର୍ଗା ଷ୍ଟାଲିନ୍ କୋଲାଥୁର୍ ନିର୍ବାଚନମଣ୍ଡଳୀରେ ଡିଏମକେ ସପକ୍ଷରେ ଭୋଟ୍ ହାସଲ କରିବା ସକାଶେ ସ୍ବୟଂ ସହାୟିକା ଗୋଷ୍ଠୀକୁ ୧୦ ହଜାର ଟଙ୍କାର ଲାଞ୍ଚ ଦେଇଛନ୍ତି। ତା’ଛଡ଼ା ଉକ୍ତ ଏସଏଚଜିର ସଦସ୍ୟାମାନେ ଷ୍ଟାଲିନଙ୍କ ସପକ୍ଷରେ ପ୍ରଚାର କରିବା ସକାଶେ ମଧ୍ୟ ଦୁର୍ଗା ସେମାନଙ୍କୁ ପ୍ରରୋଚିତ କରିଥିବା ମୁରୁଗାଭେଲ୍ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଷ୍ଟାଲିନ୍‌ଙ୍କ କେତେକ ସହଯୋଗୀ ମଧ୍ୟ ଭୋଟରମାନଙ୍କୁ ପ୍ରଭାବିତ କରିବା ସକାଶେ ଗୁଗଲ୍ ପେ’ ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ବାଣ୍ଟିଛନ୍ତି। ସେିହପରି ଏଆଇଏଡିଏମକେ ନେତା ମଧ୍ୟ ତିରୁଚିରାପାଲ୍ଲୀ ପଶ୍ଚିମ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଥିବା ଡିଏମକେ ପ୍ରାର୍ଥୀ କେଏନ୍ ନେହରୁ, ଚେପକ୍-ତିରୁଭାଲିକେନିରୁ ଲଢ଼ୁଥିବା ଷ୍ଟାଲିନଙ୍କ ପୁତ୍ର ଉଦୟନିଧି ଷ୍ଟାଲିନ୍, ତିରୁଭନାମାଲାଇରୁ ପ୍ରାର୍ଥୀ ହୋଇ ଇଭି ଭେଲୁ ଓ କାଟପାଡିରୁ ପ୍ରାର୍ଥୀ ହୋଇଥିବା ଦୁରାଇ ମୁରୁଗାନଙ୍କ ପ୍ରାର୍ଥିପତ୍ର ମଧ୍ୟ ନାକଚ କରିବା ସକାଶେ ଇସିଙ୍କ ନିକଟରେ ନିବେଦନ କରିଛନ୍ତି। ସେମାନେ ଭୋଟରମାନଙ୍କୁ ପ୍ରଭାବିତ କରିବା ସକାଶେ ୨ ହଜାର ଓ ୫ ହଜାର ଟଙ୍କା ଲେଖାଏଁ ସେମାନଙ୍କ ସହଯୋଗୀଙ୍କ ମାଧ୍ୟମରେ ଭୋଟରଙ୍କୁ ଗୁଗୁଲ୍ ପେ’ରେ ଦେଇଥିବା ମୁରୁଗାଭେଲ୍ ଅଭିଯୋଗ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ