ନିଆରା ଗାଁ: ଏଠି ନାହିଁ ନେତାଙ୍କ ନଖରା, ହୁଏନି ନିର୍ବାଚନ ପ୍ରଚାର


ନିର୍ବାଚନ ସମୟରେ ଓଥାଭିଡୁ ଗାଁର ଏକ ଦୃଶ୍ୟ
ଏବେ ଦେଶର କେତେକ ରାଜ୍ୟରେ ନିର୍ବାଚନ ମାହୋଲ୍‌ ବେଶ୍‌ ସରଗରମର ରହିଛି। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି। ପ୍ରତିଟି ଦଳ ନିଜ ନିଜ ସପକ୍ଷରେ ଭୋଟର୍‌ଙ୍କୁ ଆକର୍ଷିତ କରିବା ସକାଶେ ଉଦ୍ୟମ ଚଳାଇଛନ୍ତି। ସହରଠାରୁ ଆରମ୍ଭ କରି ଗଳିକନ୍ଦିରେ ନିଜ ସପକ୍ଷରେ ପ୍ରଚାର କରୁଛନ୍ତି। ଅଭିନେତାରୁ ଆରମ୍ଭ କରି ଆଗଧାଡ଼ିର ରାଜନେତା ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ଏହି କ୍ରମରେ ତାମିଲନାଡୁ ମଧ୍ୟ ପଛରେ ପଡ଼ିନାହିଁ। ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତାମାନେ ପ୍ରଚାର ଚଳାଇଛନ୍ତି। ମାତ୍ର ଏଠାରେ ଏମିତି ଏକ ଗାଁ ଅଛି, ଯେଉଁଠି ନିର୍ବାଚନ ପ୍ରଚାର କରିବା ସମ୍ପୂର୍ଣ୍ଣ ଭାବେ ମନା। କେବଳ ଯେ ଏହି ନିର୍ବାଚନ ପାଇଁ ପ୍ରଚାର ମନା ତାହା ନୁହେଁ, ଦେଶର ପ୍ରଥମ ନିର୍ବାଚନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଏହି ଗ୍ରାମକୁ ଆସି ପ୍ରଚାର କରି ନାହାନ୍ତି। ଏପରିକି ଏଠାରେ ଦଳୀୟ ପତାକା, ପୋଷ୍ଟର୍‌ ଓ ବ୍ୟାନ୍‌ର ମାରିବା ମଧ୍ୟ ମନା। ଏପରିକି ଏବେ ନିର୍ବାଚନ ପ୍ରଚାରର ଏକ ଅଂଶ ପାଲଟିଥିବା ‘କ୍ୟାଶ୍‌ ଫର୍‌ ଭୋଟ୍‌’ ପାଇଁ ମଧ୍ୟ ଏଠି କୌଣସି ଜାଗା ନାହିଁ। ଏଠାକୁ ଯେଉଁ ପ୍ରାର୍ଥୀ ପ୍ରଚାର କରିବାକୁ ଆସନ୍ତି, ସେ ଗାଁର ସୀମାଠାରୁ ହିଁ ଫେରିବାକୁ ବାଧ୍ୟ ହୁଅନ୍ତି।

ତାମିଲନାଡୁର ମଦୁରାଇଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ। ଓଥାଭିଡୁ ନାମକ ଏହି ଗାଁରେ ୨୦୦ ଘର ଥିବା ବେଳେ ପାଖାପାଖି ୬୦୦ ଭୋଟର ଅଛନ୍ତି। ୩ ପିଢ଼ି ଧରି ଲୋକମାନେ ଏଠାରେ ବସବାସ କରି ଆସୁଛନ୍ତି। ପ୍ରାୟ ୧୦୦ ବର୍ଷ ପୂବେ ତିରୁମାଙ୍ଗାଲମ୍‌ରୁ ସ୍ଥାନାନ୍ତର ହୋଇ ଆସିଥିବା ଲୋକମାନେ ଏଠାରେ ଥଇଥାନ ହୋଇଥିଲେ, ଆଉ ଓଥାଭିଡୁ ନାମରେ ଏକ ଗ୍ରାମ ପ୍ରତିଷ୍ଠା କରିଥିଲେ। ଏହି ଗାଁର ଉଭୟ ପାର୍ଶ୍ୱରେ ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ଅନ୍ୟାନ୍ୟ ଗ୍ରାମ ମଧ୍ୟ ଅଛି। ଏବେ ନିର୍ବାଚନ ଚାଲିଥିବାରୁ ଅନ୍ୟାନ୍ୟ ଗ୍ରାମଗୁଡ଼ିକରେ ପୋଷ୍ଟର୍‌, ବ୍ୟାନ୍‌ର ଛାଇ ହୋଇଯାଇଥିବା ବେଳେ ବିଭିନ୍ନ କାନ୍ଥବାଡ଼ରେ ମଧ୍ୟ ପୋଷ୍ଟର୍‌ ଲାଗିଛି। ଏଥିସହ ପ୍ରଚାର ସମୟରେ ବାଜା, ବାଣ ଓ ମାଇକ୍‌ରେ ଗାଁ କମ୍ପୁଥିବା ବେଳେ ଓଥାଭିଡ଼ୁ ଗ୍ରାମର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାକାର ପରିବେଶ ସମ୍ପୂଣ୍ଣ ଶାନ୍ତିପୂର୍ଣ୍ଣ। ଗାଁ ସୀମାରେ ଥିବା ମନ୍ଦିର ନିକଟରେ ମହିଳାମାନେ ପୂଜାର୍ଚ୍ଚନା କରୁଥିବା ବେଳେ ଗ୍ରାମର ପୁରୁଷଲୋକମାନେ ନିଜ ନିଜ କାମରେ ବ୍ୟସ୍ତ। ନିର୍ବାଚନ ନେଇ ଏଠି କାହା ମୁହଁରୁ ମଧ୍ୟ କୌଣସି କଥା ଶୁଣିବାକୁ ମିଳେନାହିଁ।

ଏହି ଗ୍ରାମର ଜଣେ ନିବାସୀ କହିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ନିର୍ବାଚନ ପରଠାରୁ ଗ୍ରାମରେ ଏହି ପରମ୍ପରା ଚାଲି ଆସିଛି। ଲୋକମାନେ ଭୋଟ ଦିଅନ୍ତି, କିନ୍ତୁ ଏହି ଗାଁରେ କୌଣସି ନିର୍ବାଚନ ପ୍ରଚାର ପାଇଁ ଅନୁମତି ଦିଆଯାଏ ନାହିଁ। ଏହାର କାରଣ ବିଷୟରେ ସେ କୁହନ୍ତି, ଦଳଗୁଡ଼ିକର ପ୍ରଚାର ଓ ଭାଷଣ ତୁଳନାରେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଥିବା ଏହାର ଅନ୍ୟତମ କାରଣ ବୋଲି ସେ କୁହନ୍ତି। ଗାଁର ଏକତା ଏବଂ ସୌହାର୍ଦ୍ଦ୍ୟ ସେମାନଙ୍କ ପାଇଁ ପ୍ରଥମ। କୌଣସି ନେତାଙ୍କ ପ୍ରରୋଚନାରେ ପଡ଼ି ସେମାନେ ଗ୍ରାମର ଏକତା ଭଙ୍ଗ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ତେଣୁ ଏହି ଗ୍ରାମରେ କୌଣସି ନେତାଙ୍କୁ ପ୍ରଚାର ପାଇଁ ଅନୁମତି ଦିଆଯାଏନାହିଁ।

ଏଣୁ ଯେଉଁ ନେତାମାନେ ଏଠାକୁ ପ୍ରଚାର କରିବାକୁ ଆସନ୍ତି, ସେମାନେ ଗାଁ ସୀମା ନିକଟରେ ରୁହନ୍ତି। ପ୍ରଚାରରେ ସାମିଲ୍‌ ହୋଇଥିବା ବାଜା, ବାଣ ମାଇକ୍‌ ଆଦି ସବୁକୁ ବନ୍ଦ କରି ଦିଆଯାଏ। ପାରମ୍ପରିକ ଢଙ୍ଗରେ ସମସ୍ତ ଦଳର ନେତାଙ୍କୁ ସମାନ ଭାବରେ ଗାଁ ସୀମାରେ ସ୍ବାଗତ କରାଯାଏ। ଗାଁ ସୀମାରେ ସେମାନେ ସେମାନଙ୍କର ସମସ୍ୟା କୁହନ୍ତି, ସେମାନଙ୍କ କଥା ଶୁଣାନ୍ତି। ରାଜନେତାମାନେ ମଧ୍ୟ ଗାଁର ପରମ୍ପରାକୁ ଜାଣନ୍ତି ଏବଂ ତାକୁ ସମ୍ମାନ ଦିଅନ୍ତି। ଏଠାରେ ଭୋଟ୍‌ ବଦଳରେ ଟଙ୍କା କାରବାର ହୁଏ ନାହିଁ କିମ୍ବା ଦଳୀୟ ପ୍ରାର୍ଥୀଙ୍କ ପଇସାରେ ଭୋଜିଭାତ ମଧ୍ୟ ହୁଏ ନାହିଁ। ଗ୍ରାମର ଲୋକମାନେ ନିଜ ଇଛା ଅନୁସାରେ ଭୋଟ୍‌ ଦିଅନ୍ତି। ଭାରତର ଗଣତନ୍ତ୍ରକୁ ସମ୍ମାନ ଦିଅନ୍ତି। ଅନ୍ୟପକ୍ଷରେ ମଦୁରାଇ, ଥେନି ଓ ବିରୁଧୁନଗର ଜିଲ୍ଲାରେ ମଧ୍ୟ ଏପରି କେତେକ ଗାଁ ଅଛି ଯେଉଁଠି ନିର୍ବାଚନ ପରେ ଉକ୍ତ ଗ୍ରାମରେ ଗଣ୍ଡଗୋଳ ଓ ଅଶାନ୍ତି ହେବା ପରେ ସେଠାରେ ମଧ୍ୟ ନିର୍ବଚନ ପ୍ରଚାର ଉପରେ ପ୍ରତିବନ୍ଧ ଲଗାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ