ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ତାତି କମିଲା


ପ୍ରତୀକାତ୍ମକ ଫଟୋ
୪୦ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରାରେ ସାରା ଦେଶ ଆଉଟୁପାଉଟୁ ହେଉଛି। ଲୋକେ ଘରୁ ବାହାରିବା ବେଳେ କିପରି ରୌଦ୍ରତାପରୁ ରକ୍ଷା ପାଇବେ, ତାହା ଉପରେ ବି ଧ୍ୟାନ ରଖୁଛନ୍ତି। ମାତ୍ର ଏହି ପ୍ରଚଣ୍ଡ ରୌଦ୍ର ତାପ ଭିତରେ ନିର୍ବାଚନ ପ୍ରଚାର ପାଇଁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଯେପରି ଭାବେ ଗୃହଳି ଦେଖିବାକୁ ମିଳିଛି, ତାହା ଦେଖିଲେ ଆମ ଲୋକେ କେତେ ପ୍ରଚାର ପ୍ରେମୀ ତାହା ଅବୁଝା ରହିବ ନାହିଁ। ଆଉ ଏହି ମଉକାରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବି ଆମ ରାଜନେତାମାନେ ଶୀତତାପ ନିୟନ୍ତ୍ରିତ କୋଠରୀ ଛାଡ଼ି ପ୍ରଚାରରେ ଝାଳ ବୁହାଇବାରେ ବି ତ୍ରୁଟି କରି ନାହାନ୍ତି। କାରଣ ସମସ୍ତେ ଜାଣନ୍ତି ଚାଷୀ ହୁଡ଼ିଲେ ବରଷେ, ମାତ୍ର ନେତା ହୁଡ଼ିଲେ ୫ ବରଷ। ତେଣୁ ୫ ବର୍ଷ ଗାଦିରେ ରହିବାକୁ ହେଲେ ୪୦ ଡିଗ୍ରୀ ତାପମାତ୍ରାରେ ଲୋକଙ୍କ ସହ ୨ ମାସ ବୁଲି ଭୋଟି ମାଗିଲେ ଅସୁବିଧା ବା କେଉଁଠି ?। ଏହା ଭିତରେ କେବଳ ବେଙ୍ଗଲକୁ ଛାଡ଼ି କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀ ପାଇଁ ପ୍ରଚାର ଶେଷ ହୋଇଛି। ଆଉ ଦିନକ ପରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହେବାକୁ ଯାଉଛି। କିଏ ୪୦ ଡିଗ୍ରୀ ତାପମାତ୍ରାରେ କେତେ ଝାଳ ବୁହାଇଛି, ତାହା ମେ‘ ତାରିଖ ଭୋଟ ଗଣତିରେ ହିଁ ଜଣାପଡ଼ିବ।

ମାଳ ମାଳ ପ୍ରତିଶ୍ରୁତି ଅଜାଡ଼ି ଦେଇଛନ୍ତି ରାଜନେତା। କିଏ ମାଟିକୁ ସୁନା କରିଦେବାର ମୋହ ତ ଆଉ କିଏ ବେକାରୀଙ୍କୁ ନିଯୁକ୍ତି ଦେବାର ମୋହ ଦେଖାଇଛନ୍ତି। ସେହିପରି ଆଉ କିଏ ବଡ଼ ବଡ଼ ଶିଳ୍ପ କାରଖାନା, ରାସ୍ତା ଓ ସ୍କୁଲ ନିର୍ମାଣ, ମାଗଣା ବିଜୁଳି, ଘରେ ଘରେ ପାନୀୟ ଜଳ ଯୋଗାଇବା ନେଇ ପ୍ରତିଶ୍ରୁତି ଅଜାଡ଼ି ଦେଇଛନ୍ତି। ଆମେ ଜାଣିଛେ ନିର୍ବାଚନ ଆସିଲେ ଏପରି ପ୍ରତିଶ୍ରୁତି ଦେବାକୁ ରାଜନେତାମାନେ ଆମ ଦୁଆରକୁ ଆସନ୍ତି। ମାତ୍ର ନିର୍ବାଚନ ସରିଗଲେ ସେମାନେ ରାଜଧାନୀରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବିଳାସବ୍ୟସନରେ ଜୀବନ ବିତାନ୍ତି। ଆଉ ପାଖକୁ ଗଲେ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼େ। ଦରକାର ପଡ଼ିଲେ ବାବୁଙ୍କ ଚପରାସୀଙ୍କ ଗାଳି ବି ଶୁଣିବାକୁ ପଡ଼େ। ଏସବୁ କିଛି ନୂଆ ନୁହେଁ। ତଥାପି ଆମେ ନିର୍ବାଚନ ଆସିବା ମାତ୍ରେ ଦଳୀୟ ପତାକା ଧରି ସେମାନଙ୍କ ସହ ରାତି ଦିନ ଏକ କରି ଖରା ବର୍ଷାରେ ଧାଇଁ ଥାଉ। ଆଉ ୨ ମାସ ମଦ ମାଂସରେ ଭାସିଥାଉ। ଏସବୁ ଯେ କ୍ଷଣିକ ମାତ୍ର ତାହା ଜାଣିଥିଲେ ବି ଏହି ପରମ୍ପରାରୁ ଆମେ ମୁକୁଳି ପାରି ନାହୁଁ।

ଶେଷ ହୋଇଥିବା ୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପ୍ରଚାର ଉପରେ ଆମେ ନଜର ପକାଇଲେ ଏସବୁ ପୁଣି ଥରେ ମନକୁ ଆନ୍ଦୋଳିତ କରିଥାଏ। ରାଜନେତାଙ୍କ ମିଛ ପ୍ରତିଶ୍ରୁତି ଓ ଅଦୂରଦର୍ଶୀ ନିଷ୍ପତ୍ତିକୁ ଆମେ କୋଟି କୋଟି ଜନତା ସ୍ବାଧୀନତା ପରଠୁ ଭୋଗି ଆସୁଛେ। ଏହା ଆଉ ଯେ କେତେ ଦଶନ୍ଧି ଧରି ଆମ ପରମ୍ପରାରେ ଯୋଡ଼ି ହୋଇ ରହିବ ତାହା ପୂର୍ବାନୁମାନ କରିବା କଷ୍ଟକର। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଆସାମରେ ଏପ୍ରିଲ ୬ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ  ଅବଶିଷ୍ଟ ୪୦ଟି ବିଧାନସଭା କ୍ଷେତ୍ର ସକାଶେ ପ୍ରଚାର ଶେଷ ହୋଇଛି। ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ପ୍ରଚାରର ମଙ୍ଗ ଧରିଥିବା ସାଂସଦ ରାହୁଲ ଗାନ୍ଧି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ବୋଡୋ ସମସ୍ୟା ସମାଧାନ, ବ୍ରହ୍ମପୁତ୍ର ବନ୍ୟା ରୋକିବା, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର କରିବା ନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଅଜାଡ଼ି ଦେଇଛନ୍ତି। ମାତ୍ର ତାହା ଆମ ବିରାଟ ଦେଶରେ ପ୍ରଚଳିତ ବ୍ୟବସ୍ଥାରେ କେବେ ବି ସମ୍ଭବ ନୁହେଁ। ତଥାପି ଦଳୀୟ ଲୋକଙ୍କୁ ଏହି ପ୍ରତିଶ୍ରୁତି ଗ୍ରହଣ କରି ଭୋଟ ଦେବାକୁ ପଡ଼ୁଛି।

ସେହିପରି କଂଗ୍ରେସ ପାଇଁ ପ୍ରତିଶ୍ରୁତି ଅଜାଡ଼ି ପକାଇଛନ୍ତି ସାଂସଦ ରାହୁଲ ଗାନ୍ଧି। ୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି, ୨୦୦ ୟୁନିଟ ମାଗଣା ବିଜୁଳି, ଚା’ ବଗିଚା ଶ୍ରମିକଙ୍କ ଦୈନିକ ମଜୁରୀ ୩୬୫ ଟଙ୍କା ବୃଦ୍ଧି, ଗରିବଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତାର ପ୍ରତିଶ୍ରୁତି ରଖିଛନ୍ତି। ଯଦି ବି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରେ ତାହେଲେ ଏହିସବୁ ପ୍ରତିଶ୍ରୁତି ଯେ ସମ୍ଭବ ନୁହେଁ ତାହା ବି ବୁଝିବାକୁ ପଡ଼ିବ। ଆଉ ଆସାମ ନିର୍ବାଚନରେ ‘ସିଏଏ’ ଲାଗୁ କରାଯିବା ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ବିଜେପି ସରକାର ଏହାକୁ ଲାଗୁ କରିଥିଲା ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ଉଠାଇ ଦେବ ବୋଲି ବି ପ୍ରତିଶ୍ରୁତି ରଖିଛି।

ଆମେ ଯଦି କେରଳ ନିର୍ବାଚନୀ ତାତି ଉପରେ ନଜର ପକାଇବା ତାହେଲେ ଏଥର ପ୍ରଥମ ଥର ପାଇଁ କେତେକ ନିର୍ବାଚନ କ୍ଷେତ୍ରରେ ତ୍ରିମୁଖୀ ଲଢ଼େଇ ସ୍ପଷ୍ଟ ହୋଇଛି। ବିଜେପି ପ୍ରଥମ ଥର ପାଇଁ କେରଳ ନିର୍ବାଚନରେ ଏକ ଶକ୍ତି ଭାବେ ଉଭା ହୋଇଛି। ୨୦୧୬ ବିଧାନସଭା ନିର୍ବାଚନରେ କେରଳରେ ମାତ୍ର ଗୋଟିଏ ଆସନ ଜିତିଥିବା ବିଜେପି ଏଥର ୩ୟ ଶକ୍ତି ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି। ଦରକାର ପଡ଼ିଲେ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଆଶା ରଖିଛି। ରାଜ୍ୟରେ ଏଲଡିଏଫ ଓ ୟୁଡିଏଫ ମଧ୍ୟରେ ଲଢ଼େଇ ହେଉଥିଲେ ବି ବିଜେପିର ଅବିର୍ଭାବ କେରଳ ତାତିକୁ ବଢ଼ାଇ ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ସେଠାରେ ରୋଡ୍ ଶୋ’ ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ତେଣୁ ପୂର୍ବ ନିର୍ବାଚନ ତୁଳନାରେ ଏଥର କେରଳରେ ତାତି ଅଧିକ ରହିଛି।

ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ସବୁ ୨୩୪ ଆସନ ପାଇଁ ଗୋଟିଏ ଦିନରେ ଭୋଟ ହେଉଥିବାରୁ ରାଜ୍ୟରେ ଏକସଙ୍ଗେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି। ଏଆଇଏଡିଏମକେ ଓ ବିଜେପି ଏଥର ମିଳିତ ଭାବେ ରଣାଙ୍ଗନକୁ ଓହ୍ଲାଇଥିଲା ବେଳେ ଡିଏମକେ କଂଗ୍ରେସକୁ ସାଥୀ ଦଳ ଭାବେ ନେଇଛି। ଏହା ବାଦ ଅନ୍ୟ କ୍ଷୁଦ୍ର ଦଳ ମଧ୍ୟ ଏହି ଦୁଇ ମେଣ୍ଟରେ ସାମିଲ ହୋଇଛନ୍ତି। ୨୦୧୬ ନିର୍ବାଚନରେ ବିଜେପି ତାମିଲନାଡୁରେ ଖାତା ଖୋଲି ନ ଥିଲା। ମାତ୍ର ଏଥର ସଂଗଠନକୁ ମଜଭୁତ କରିବା ସହ ଶାସକ ଏଆଇଏଡିଏମକେ ସହ ମେଣ୍ଟ କରି ୨୨ଟି ଆସନରେ ପ୍ରାର୍ଥୀ ଦେଇଛି। ଆଉ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋଦୀ, ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଧୂମଧାମ ପ୍ରଚାର କରିଛନ୍ତି। ତେଣୁ ପୂର୍ବ ନିର୍ବାଚନ ତୁଳନାରେ ଏଥର ବି ତାମିଲନାଡୁ ନିର୍ବାଚନ ପ୍ରଚାର ତାତି ଅଧିକ ଦେଖିବାକୁ ମିଳିଛି। ମୁଖ୍ୟତଃ ସେଠାରେ ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ସେଠାରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। ୧୯୬୭ ପରଠାରୁ ସେଠାରେ ପ୍ରତି ୫ ବର୍ଷରେ ଶାସନ ବଦଳିବାର ନଜିର ରହିଛି। ମାତ୍ର ୨୦୧୧ ପରେ ପ୍ରଥମ କରି ଏଆଇଏଡିଏମକେ ଲଗାତର ୨ ଥର ଶାସନରେ ରହିଛି। ପୁଣି ଦୁଇ ପ୍ରମୁଖ ନେତା ଜୟଲଳିତା ଓ ଏମ କରୁଣାନିଧିଙ୍କ ଅନୁପସ୍ଥିତିରେ ଏଥର ସେଠାରେ ନିର୍ବାଚନ ହେବାର ମଧ୍ୟ ଅନେକ ଗୁରୁତ୍ବ ରହିଛି।

କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ କଂଗ୍ରେସ ସରକାର ପାଞ୍ଚ ବର୍ଷ ପୂରଣ କରିବା ପୂର୍ବରୁ ଭାଙ୍ଗିଛି। ଆଉ ଏହି ସରକାର ଭାଙ୍ଗିବା ପଛରେ ବିରୋଧୀ ବିଜେପିର ଭୂମିକା ରହିଛି। ଆଉ ସରକାର ଭାଙ୍ଗିବାର ଦୁଇମାସ ଭିତରେ ନିର୍ବାଚନ ଶେଷ ହେବାକୁ ଯାଉଛି। ଏଠାରେ ଏନଡିଏ ଓ ଡିଏମକେ-କଂଗ୍ରେସ ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି। କିଏ ଏଠାରେ ସରକାର ଗଠନ କରିବା ତାହାକୁ ନେଇ ସ୍ପଷ୍ଟ ଚିତ୍ର ମିଳି ନାହିଁ। ମାତ୍ର ଭୋଟରକୁ ପ୍ରତିଶ୍ରୁତି ଦେଇ ନିଜ ପକ୍ଷରୁ ନେବା ପାଇଁ ଭରପୂର ଉଦ୍ୟମ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ