ଅପରାଧ
ବିଜାପୁର ଏନକାଉଣ୍ଟରରେ ୨୨ ଯବାନ ଶହୀଦ, ୨୫ରୁ ୩୦ ନକ୍ସଲ ଆହତ ସନ୍ଦେହ

ଶହୀଦ ଯବାନଙ୍କ ଶବକୁ ଅଣାଯାଉଛି
ଶନିବାର ଛତିଶଗଡ଼ର ବିଜାପୁର ଠାରେ ସିଆରପିଏଫ୍ ଓ ଆରପିଜିର ମିଳିତ କମ୍ବିଂ ଅପରେସନ୍ ବେଳେ ନକ୍ସଲମାନେ ଅଚାନକ ଗୁଳି ଚଳାଇବା ଫଳରେ ସେଠାରେ ଏନକାଉଣ୍ଟର୍ ହୋଇଥିଲା। ଏହି ଏନକାଉଣ୍ଟରରେ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ନକ୍ସଲ ନିପାତ ହୋଇଥିଲେ ବୋଲି ସିଆରପିଏଫ୍ ପକ୍ଷରୁ ପ୍ରଥମେ କୁହାଯାଇଥିଲା। କିନ୍ତୁ ୨୨ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିବା ପରେ ଶହୀଦଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଥିଲା। ରବିବାର ଅପରାହ୍ନରେ ଏହି ଆଶଙ୍କା ସତ୍ୟରେ ପରିଣତ ହୋଇଛି। କାରଣ ଏହି ଏନକାଉଣ୍ଟରରେ ଶହୀଦଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତଲାସୀ ଅଭିଯାନ ଜାରି ରହିଛି ଓ ଏବେ ବି ଆହୁରି ୨୨ ଜଣ ଯବାନ ନିଖୋଜ ଥିବା ସିଆରପିଏଫ୍ ପକ୍ଷରୁ କୁହାଯାଇଛି। ଏହି ଘଟଣା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।
ସେହିପରି ଏହି ଘଟଣାରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ନିଷ୍ପତ୍ତି ନେବା ସକାଶେ ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ବିଭାଗ ସଚିବ ଅଜୟ ଭଲ୍ଲା, ଗୁଇନ୍ଦା ବ୍ୟୁରୋ ନିର୍ଦେଶକ ଅରବିନ୍ଦ କୁମାର ଓ ସ୍ବରାଷ୍ଟ୍ର ବିଭାଗର ଅନେକ ବରିଷ୍ଠ ପଦାଧିକାରୀଙ୍କ ସହ ସିଆରପିଏଫ ପଦାଧିକାରୀମାନେ ଯୋଗ ଦେଇଥିବା ଜଣାପଡ଼ିଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଏନକାଉଣ୍ଟରରେ ୨୫ରୁ ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଆକ୍ରମଣ ଘଟଣାରେ କୌଣସି ଗୁଇନ୍ଦା ବିଫଳତା ଘଟି ନ ଥିବା ବେଳେ ଯବାନମାନେ ପାଖାପାଖି ୩୦ ଜଣ ନକ୍ସଲଙ୍କୁ ନିପାତ କରିଥିବା ସିଆରପିଏଫ୍ ମହାନିର୍ଦେଶକ କୁଲଦୀପ ସିଂ କହିଛନ୍ତି। ସେହିପରି ନକ୍ସଲମାନଙ୍କ ଶବକୁ ଅଣାଯିବା ସକାଶେ ୩ଟି ଟ୍ରାକ୍ଟରର ଉପଯୋଗ କରାଯାଇଥିବା ସିଂ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ