କୋରୋନା କାଳରେ ବଦଳିଛି ଜୀବିକା, ରହିଛି ମାନବିକତା


ପ୍ରକୃତିପ୍ରେମୀ ଇଞ୍ଜିନିୟର ଅମରେଶ ନରେଶ ସାମନ୍ତ (ଇନସେଟ) ଓ ସିନେମାଟୋଗ୍ରାଫର ସୁଚିସ୍ମିତା ରାଉତ
ଗତ ବର୍ଷେ ହେଲା ମହାମାରୀର ଆତଙ୍କ ଥମିବାର ନାଁ ନେଉନାହିଁ। ଏଠୁ କମିଲେ ସେଠି ହେଉଛି କୋରୋନା ସଂକ୍ରମଣ। ଜୀବନ ଓ ଜୀବିକାକୁ ନେଇ ବିଶ୍ଵବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଯଥାସ୍ଥିତି ବଜାୟ ରଖିବା ପାଇଁ ଚାଲିଛି ବିଭିନ୍ନ ପ୍ରକାର ପ୍ରୟାସ। ଏ ଭିତରେ ବିଶ୍ୱ ଦେଖିଛି ଲୋକଙ୍କ ପ୍ରତ୍ୟକ୍ଷ ସଂଘର୍ଷର ଛବି। କୋରୋନା କାଳରେ ଜୀବିକା ବଞ୍ଚାଇବା ପାଇଁ କେଉଁଠି ଜେଜେମା ନାତୁଣୀ ମିଶି ନୁଆଁ ବେପାରରେ ପାଦ ଦେଇଛନ୍ତି ତ କେଉଁଠି ନିଜ ଜୀବନ ବଞ୍ଚିଯାଇଥିବାରୁ କିଏ ଖୋଲି ଦେଇଛି ଅନ୍ନ ଛତ୍ର। ସୋନୁ ସୁଦ ଓ ସବ୍ୟସାଚୀଙ୍କ ଭଳି ରୁପେଲି ପରଦାର ହିରୋ ମାନେ ବାସ୍ତବ ଜୀବନରେ ହିରୋ ସାଜି ବହୁ ସାଧାରଣ ଲୋକଙ୍କ ଦୁଃଖକୁ ସୁଖରେ ବଦଳେଇ ଦେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ଏଭଳି କିଛି ରୋଚକ କାହାଣୀକୁ ନେଇ ଆମର ଏ ଉପସ୍ଥାପନା।

ବଲିଉଡ ସିନେମାଟୋଗ୍ରାଫିରୁ ଠେଲାଗାଡ଼ିରେ ଖାଦ୍ୟ ବେପାର
ବଲିଉଡ ସିନେମାଟୋଗ୍ରାଫିରୁ ଠେଲାଗାଡ଼ିରେ ଗୁପଚୁପ ବେପାର। ମହାମାରୀ ବଦଳାଇ ଦେଇଛି କଟକ ଯୁବତୀ ସୁଚିସ୍ମିତା ରାଉତଙ୍କ କ୍ୟାରିଅର। ଦିନେ ସେ ଥିଲେ ବଲିଉଡ ସିନେମାଟୋଗ୍ରାଫର। ନାମୀ ଦାମୀ କଳାକାର ମାନଙ୍କ ସହିତ କାମ କରିବାର ପାଇଥିଲେ ସୁଯୋଗ। ବିଳାସୀ ଲାଇଫ୍ ଷ୍ଟାଇଲ୍ ଅତୀତର କାହାଣୀ ପାଲଟିଛି । ବଲିଉଡର ବଡ଼ ବଡ଼ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସୁଚି ଆଜି ସାଜିଛନ୍ତି ମୋମୋ,ଦୋସା ଆଉ ଗୁପଚୁପ ବ୍ୟବସାୟୀ। କୋରୋନା କାଳରେ ଦେଶରେ ଲକଡାଉନ ଓ ଶଟଡାଉନ ଜାରି ହେବା ପରେ ପ୍ରଭାବିତ ହୋଇଥିଲା ସିନେ ଜଗତ। ମୁମ୍ବାଇରେ କାମ ନ ମିଳିବାରୁ ସମସ୍ୟାରେ ପଡ଼ି ସୁଚିସ୍ମିତା ଜନ୍ମମାଟି କଟକ ଫେରିଥିଲେ। ଫେରିବା ପରେ ଘର ପରିଚାଳନା ପାଇଁ ଘାରିଥିଲା ଅର୍ଥଚିନ୍ତା। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ କରିଥିଲେ ରାସ୍ତା କଡ଼ରେ ଜଳଖିଆ ବ୍ୟବସାୟ। ଇମ୍ରାନ ହାଶମୀ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନଙ୍କ ଭଳି କଳାକାରଙ୍କ ସହ ସୁଚିସ୍ମିତା ୬ଟି ଫିଲ୍ମରେ ଆସିଷ୍ଟାଣ୍ଡ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରିଥିବା ବେଳେ ଏବେ କ୍ୟାମେରା ବଦଳରେ ତାଙ୍କ କାନ୍ଧରେ ରହିଛି ଖାଦ୍ୟ ତିଆରିର ଦାୟିତ୍ୱ।

ଜେଜେମା ନାତୁଣୀଙ୍କ ମିଠା ବେପାର
ସୁଆଦିଆ ମିଠାର ପସରା ଆଣିଦେଇଛନ୍ତି ଜଣେ ଜେଜେମା ଓ ତାଙ୍କ ନାତୁଣୀ। ଏହି ଯୋଡି ନିଜ ଉଦ୍ୟମରେ ମିଠା ପ୍ରସ୍ତୁତ ସହିତ ବିକ୍ରି କରି ବେଶ ସଫଳ ମଧ୍ୟ ହୋଇଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ରହୁଥିବା ୬୫ ବର୍ଷୀୟ ମଞ୍ଜୁ ଦେବୀ ପୋଦ୍ଦାର ନିଜ ୨୧ ବର୍ଷୀୟ ନାତୁଣୀ ଯୋଶୀ ଚୌଧୁରୀଙ୍କ ସହ ମିଶି ଗତ ଅଗଷ୍ଟ ମାସରେ ମିଠା ବ୍ୟବସାୟ ଆରମ୍ଭ କରିଥିଲେ। ‘ନାନୀଜ ସ୍ପେଶାଲ’ ନାମରେ ପ୍ରସ୍ତୁତ ବ୍ରାଣ୍ଡରେ ଦୁହେଁ ମିଠା ସମେତ ଭଜା ଚୁଡା, ଗାଣ୍ଠିଆ, ସେଓ ଆଦି ପ୍ରସ୍ତୁତ କରି ବଜାରକୁ ଆଣିଛନ୍ତି । ଯୋଶୀଙ୍କ କହିବା କଥା ଯେ ଲକଡାଉନ ସମୟରେ ନିଜ ଜେଜେମାଙ୍କ ସହ ଲମ୍ବା ସମୟ କାଟିବାର ଅବସର ମିଳିଥିଲା। ଆଉ ତାଙ୍କ ଜେଜେମା ମିଠା ପ୍ରସ୍ତୁତିର ବିଭିନ୍ନ ତରିକା ତାଙ୍କୁ ଶିଖାଇଥିଲେ। ପୁର୍ବରୁ ଯେତେବେଳେ ଜେଜେମାଙ୍କ ଘରକୁ ସେ ବୁଲିବାକୁ ଆସୁଥିଲେ ସେତେବେଳେ ଜେଜେମା ବିଭିନ୍ନ ମିଠା ପ୍ରସ୍ତୁତ କରି ଖୁଆଉଥିଲେ। ଆଉ ଲକଡାଉନ ସମୟରେ ଜେଜେମାଙ୍କ ସହ ଲମ୍ବା ସମୟ କାଟିବା ପରେ ଅନୁଭବ ହେଲା ଯେ ଜେଜେମାଙ୍କର ସୁଆଦିଆ ମିଠାକୁ ନେଇ ବ୍ୟବସାୟ ମଧ୍ୟ କରିହେବ। ତେଣୁ ‘ନାନୀଜ ସ୍ପେଶାଲ’ ନାମରେ ବ୍ୟବସାୟ ଆରମ୍ଭ କରାଗଲା। ଏବେ କୋଲକାତାରେ ଏହି ମିଠା ଏତେ ଲୋକପ୍ରିୟ ହୋଇପାରିଛି ଯେ ଲୋକ ଅନଲାଇନରେ ଅର୍ଡର କରୁଛନ୍ତି। ଆଉ ଠିକଣାରେ ମିଠା ପହଞ୍ଚିଯାଉଛି। ଯୋଶୀଙ୍କ କହିବା ମୁତାବକ ଘରେ ମିଠା ପ୍ରସ୍ତୁତ କରି ଏହାକୁ ବିକ୍ରି କରିବା ଦ୍ୱାରା ୮ ମାସରେ ସେମାନେ ୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି। ବିପଦ ସମୟରେ ସୁଯୋଗକୁ ଉପଯୋଗ କରି ଏହି ଯୋଡି ଏବେ ନିଜ ଆର୍ଥିକ ସ୍ଥିତିକୁ ସଜାଡ଼ିଛନ୍ତି।

ଇଞ୍ଜିନିଅର୍ସ ଠେଲା
ସବୁ କାମକୁ ସମ୍ମାନ ଦେବା କଥା। କୌଣସି କାମ ଛୋଟ ବା ବଡ଼ ନୁହଁ। ଏହି କଥାକୁ ପ୍ରମାଣିତ କରାଇଛନ୍ତି ମାଲକାନଗିରିର ଦୁଇ ଯୁବ ଇଞ୍ଜିନିଅର ସୁମିତ ସାମଲ ଓ ପ୍ରିୟମ୍‌ ବେବର୍ତ୍ତା। ଦୁହେଁ ମିଶି ଆରମ୍ଭ କରିଛନ୍ତି ଇଞ୍ଜିନିଅର୍ସ ଠେଲା। ପ୍ରିୟମ୍‌ ଏକ ଆଇଟି କମ୍ପାନୀରେ କାମ କରୁଥିଲେ । ଆଉ ସୁମିତ ଲକ୍‌ଡାଉନ୍‌ ପରେ ତାଙ୍କ ଚାକିରି ଛାଡ଼ି ଘରକୁ ଫେରିଥିଲେ। ଦୁହେଁ ନିଷ୍ପତ୍ତି ନେଲେ ଠେଲାରେ ବିରୟାନୀ ବ୍ୟବସାୟ କରି ନିଜର ବେରୋଜଗାର ସ୍ଥିତିକୁ ସଜାଡିନେବେ। ତାହା ହିଁ ହେଲା। ଉଭୟେ ଦିନରେ ନିଜର ସବୁ କାମ ସାରି ଅପରାହ୍ନରେ ଠେଲା ପାଖକୁ ଚାଲି ଆସନ୍ତି। ଆଉ ସନ୍ଧ୍ୟାରେ ଲାଗେ ଇଞ୍ଜିନିୟର୍ସ ଠେଲା। ଏହି ଠେଲାରେ ସମସ୍ତ ଫାଷ୍ଟ ଫୁଡ ସହ ବିରୟାନୀ ମଧ୍ୟ ମିଳେ। ଏହି ଦୁଇ ମେକାନିକାଲ ଇଞ୍ଜିନିୟର ଯେ ଏତେ ସୁନ୍ଦର ଖାଦ୍ୟ ରାନ୍ଧି ପାରନ୍ତି ସେକଥା କେବଳ ଗ୍ରାହକମାନଙ୍କ ପ୍ରଶଂସାରୁ ସ୍ପଷ୍ଟ। କାନ୍ଧରେ ବ୍ୟାଗ ପକାଇ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧି ପୂରା ସ୍ୱଚ୍ଛତାର ସହ ଏକଦମ୍ ବଢ଼ିଆ ଭାବରେ ଖାଦ୍ୟ ବାଢ଼ି ଦେଉଛନ୍ତି ଗ୍ରାହକଙ୍କୁ। ସେଥିଲାଗି ସଂଧ୍ୟା ହେଲେ ଇଞ୍ଜିନିଅର୍ସଠେଲା ପାଖରେ ଲାଗୁଛି ଭିଡ।

ଡାକ୍ତର ଶଙ୍କରଙ୍କୁ ସଲାମ
ଗରିବ ରୋଗୀଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ପାଇଁ ଡାକ୍ତରଙ୍କ ଅଭିନବ ଉଦ୍ୟମ। ନିଜ ଭଡ଼ା ଘରେ ବିଗତ ଦୁଇମାସ ହେଲା ଆରମ୍ଭ କରିଛନ୍ତି ଟଙ୍କିକିଆ ରୋଗୀ ଦେଖା। ମାତ୍ର ୧ ଟଙ୍କା ଦେଇ ଗରିବ ରୋଗୀମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରୁଛନ୍ତି। ଏମିତିକି ଡାକ୍ତରଙ୍କ ସହଧର୍ମିଣୀ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। ସପ୍ତାହକୁ ୫ ଦିନ ପାଇଁ ଖୋଲା ରହୁଛି ଏହି କ୍ଲିନିକ୍। ଆଉ ସେହି ଡାକ୍ତର ଜଣକ ହେଉଛନ୍ତି ଶଙ୍କର ରାମଚନ୍ଦାନୀ। ପ୍ରେସ୍କ୍ରିପସନ୍ ଲେଖିବା ପାଇଁ ଡାକ୍ତର ଶହ ଶହ ଟଙ୍କା ନେଉଥିବା ବେଳେ ମାତ୍ର ୧ ଟଙ୍କା ନେଇ ପ୍ରେସକ୍ରିପସନ୍ ଲେଖୁଛନ୍ତି ଶଙ୍କର। ରୋଗୀଙ୍କ ପ୍ରତି ସଦୟ ହେବାର ନିଆରା ଭାବ ଶଙ୍କର ରାମଚନ୍ଦାନୀ ବହୁ ପୂର୍ବରୁ ପ୍ରଦର୍ଶିତ କରାଇଛନ୍ତି । କୋରୋନା ମହାମାରୀ ସମୟରେ ଡାକ୍ତରଙ୍କ ଏଭଳି ପ୍ରୟାସକୁ ରାଜ୍ୟବାସୀ ସଲାମ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଡାକ୍ତର ରାମ ଚନ୍ଦାନୀ ସମ୍ପ୍ରତି ବୁର୍ଲା ଭିମସାରରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ରାମଚନ୍ଦାନୀଙ୍କ ପତ୍ନୀ ମଧ୍ୟ ଜଣେ ଦାନ୍ତ ଡାକ୍ତର। ତେଣୁ ପତ୍ନୀ ମଧ୍ୟ ରୋଗୀ ଦେଖିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ରାମଚନ୍ଦାନୀଙ୍କ କହିବା ସେ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ଗରିବ ଲୋକଙ୍କ ସମସ୍ୟା ବେଶ ଭଲ ଭାବେ ବୁଝିଛନ୍ତି।

ବୃକ୍ଷପ୍ରେମୀ ଇଞ୍ଜିନିଅର
ସେ ଜଣେ ଇଞ୍ଜିନିୟର। କିନ୍ତୁ ଭଲ ପାଆନ୍ତି ପ୍ରକୃତି ଓ ପରିବେଶକୁ। ପ୍ରେମ କରନ୍ତି ଗଛକୁ। ଆଉ ସୃଷ୍ଟି କରୁଛନ୍ତି ନୂଆନୂଆ ଜଙ୍ଗଲ। ସେଥିପାଇଁ ସେ ବିବାହ କରିନାହାନ୍ତି କି ଘର ସଂସାର କରିବାକୁ ଯୋଜନା ମଧ୍ୟ ରଖି ନାହାନ୍ତି। ଅତ୍ୟନ୍ତ ସରଳ ଜୀବନଯାପନ କରୁଥିବା ସେହି ମଣିଷ ହେଉଛନ୍ତି ପାରାଦୀପ ବନ୍ଦରରେ କାର୍ଯ୍ୟରତ ସହକାରୀ ଇଞ୍ଜିନିୟର ଅମରେଶ ନରେଶ ସାମନ୍ତ। ଜଗତସିଂହପୁର ଜିଲ୍ଲାକୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳି ଗାଁର ଅମରେଶ ସାମନ୍ତ। ଇଞ୍ଜିନିୟରିଂ ପାସ କରିବା ପରେ ପାରାଦୀପ ପୋର୍ଟରେ ସହକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ଭଲ ଦରମା ମଧ୍ୟ ପାଉଛନ୍ତି। ହେଲେ ତାଙ୍କ ମନ କିନ୍ତୁ ପରିବେଶ ପାଇଁ ସମ୍ବେଦନଶୀଳ ହୋଇ ଉଠିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଏହି ନିଆରା ଉପାସକଙ୍କ ଅବଦାନ ସମ୍ପର୍କରେ ଲୋକପ୍ରିୟରେଡ଼ିଓ କାର୍ଯ୍ୟକ୍ରମ ମନ କୀ ବାତରେ ସୁଚାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ