ଅପରାଧ
ନକ୍ସଲଙ୍କ ସହ ଏନକାଉଣ୍ଟରରେ ୨୧ ଯବାନ ନିଖୋଜ, ସୁକମା-ବିଜାପୁର ସୀମାରେ ତଲାସୀ ଅଭିଯାନ ଜାରି

ରାୟପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଆହତ ଯବାନ
ଛତିଶଗଡ଼ର ବିଜାପୁରଠାରେ ଗତ ଶନିବାର ନକ୍ସଲମାନଙ୍କ ସହ ସୁରକ୍ଷାକର୍ମୀଙ୍କର ଏନକାଉଣ୍ଟର୍ ହେବା ଫଳରେ ଏଥିରେ ସମୁଦାୟ ୭ ଜଣଙ୍କ ପ୍ରାଣହାନୀ ଘଟିଥିଲା। ନକ୍ସଲଙ୍କ ଗୁଳିମାଡ଼ରେ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ନକ୍ସଲ ମଧ୍ୟ ନିପାତ ହୋଇଥିଲେ। ତେବେ ଏହି ଏନକାଉଣ୍ଟର୍ ପରେ ୨୧ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି ଓ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରିନାହିଁ। ଅନ୍ୟପକ୍ଷରେ ସୁରକ୍ଷାକର୍ମୀମାନେ ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରଖିଛନ୍ତି। ଏହି ଏନକାଉଣ୍ଟରରେ ୨୦ ଜଣ ଯବାନ ଆହତ ମଧ୍ୟ ହୋଇଥିଲେ। ସିଆରପିଏଫ୍ ମହାସଚିବ କୁଲଦୀପ ସିଂ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ସେହିପରି ସିଆରପିଏଫ୍ ଅଧିକାରୀଙ୍କ କହିବାନୁସାରେ, ସମୁଦାୟ ୨୪ ଜଣ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉନ୍ନତ ଚିକିତ୍ସା ସକାଶେ ରାୟପୁର ପଠାଯାଇଥିବା ସିଆରପିଏଫ୍ ପକ୍ଷରୁ କୁହାଯାଇଛି।
ଛତିଶଗଡ଼ ଏନକାଉଣ୍ଟରରେ ଶହୀଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜାପୁରୀର ତାରେମଠାରେ ଏହି ନରସଂହାର ଘଟଣା ଘଟିଥିବା ବେଳେ ଶାନ୍ତି ଓ ପ୍ରଗତିରେ ବାଧବକ ସାଜିଥିବା ନକ୍ସଲମାନଙ୍କ ବିରୋଧରେ ଆଗାମୀ ଦିନରେ ଅଧିକ ମାତ୍ରାରେ ଠୋସ୍ ପଦକ୍ଷେପ ନିଆଯିବ ବୋଲି ଶାହ କହିଛନ୍ତି। ସେହିପରି ଏହି ଆକ୍ରମଣ ସଂକ୍ରାନ୍ତରେ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ମଧ୍ୟ ଟେଲିଫୋନରେ ଆଲୋଚନା କରିଛନ୍ତି। ସେହିପରି ଶନିବାର ଏନକାଉଣ୍ଟର ଘଟଣା ଘଟିବାର କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦ ହୋଇଥିବା ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଆହତ ହୋଇ ଚିକିତ୍ସାଧୀନ ଥିବା ଯବାନଙ୍କ ଆଶୁ ଆରୋଗ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ କାମନା କରିଥିଲେ। ଶନିବାର ସିଆରପିଏଫର କୋବ୍ରା ବାହିନୀର ୨ ଜଣ ଯବାନଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ଜଗଦଲପୁରକୁ ଏୟାର୍ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଇଥିଲା। ଶହୀଦ ହୋଇଥିବା ଅନ୍ୟ ଯବାନଙ୍କ ମୃତ ଶରୀରକୁ ଅଦ୍ୟାବଧି ଉଦ୍ଧାର କରାଯାଇପାରିନାହିଁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ