ସ୍ବତନ୍ତ୍ର ପ୍ରସଙ୍ଗ
ଆମ୍ବରେ ବୋଝେଇ ଗଛ ଭରିଛି ଅସୁମାରୀ ସ୍ବପ୍ନ
ସ୍ବାବଲମ୍ବୀ କରାଇଛି ଆମ୍ବଚାଷ

ଫଳଭର୍ତ୍ତି ଆମ୍ବ ଗଛ ଦେଖାଉଛି ସ୍ବପ୍ନ
ଫଗୁଣ ସରିଛି। ଆସିଛି ଚଇତ୍ର। ଗଛ ଗୁଡ଼ିକରେ ଦେଖିବାକୁ ମିଳିଛି ସବୁଜ ଆମ୍ବର ପସରା। ଖୁନ୍ଦାଖୁନ୍ଦି ହୋଇ ଫଳିଥିବା ଆମ୍ବ ଗୁଡ଼ିକୁ ନେଇ ଏବେ ଚାଷୀଙ୍କ ମନରେ ଅସୁମାରୀ ସ୍ବପ୍ନ ଡେଣା ମେଲିଛି। ଆମ୍ବଚାଷରୁ ବେଶ ଲାଭବାନ ହେଉଥିବା ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋଚ୍ଛା ପଞ୍ଚାୟତର ଢେଉଗାଁରେ ଏବେ ଗ୍ରାମବାସୀଙ୍କୁ ଦୈନିକ ଆମ୍ବଚାଷ ଅଞ୍ଚଳରେ ଦେଖିବାକୁ ମିଳୁଛି। ଆଉ କେତେ ମାସର ମେହନତ ଓ ଜଗାରଖା କରିପାରିଲେ ବର୍ଷର ଅଧା ସମୟ ପାଇଁ ଖର୍ଚ୍ଚ ବାହାରି ପାରିବ ବୋଲି ଗ୍ରାମବାସୀଙ୍କର ଦୃଢ଼ ଆଶା।
ଢେଉଗାଁରେ ରହନ୍ତି ୨୫ ପରିବାର। ଏମାନଙ୍କ ନିକଟରେ ରହିଛି ୨ ହଜାରରୁ ଅଧିକ ଆମ୍ବଗଛ। ଏସବୁ ଗଛ ଗୁଡ଼ିକ ବିଭିନ୍ନ ପ୍ରଜାତିର। ଏହାର ଆମ୍ବ ମହକ ଓ ସ୍ବାଦରେ ଅତୁଳନୀୟ। ଆଖୁରସ ପ୍ରଜାତିର ଆମ୍ବର ଚାହିଦା ବଜାରରେ ସବୁଠୁ ଅଧିକ ଥିବାରୁ ଏଠାରେ ଆଖୁରସ ପ୍ରଜାତିର ବହୁଳ ଚାଷ ହୋଇଛି।
ଆମ୍ବଚାଷର ଇତିହାସ
ଢେଉଗାଁ ଏକ ଆଦିବାସୀ ଗାଁ। ଏଠାରେ ବାସ କରୁଥିବା ସମସ୍ତ ୨୫ ପରିବାର ସଉରା ସମ୍ପ୍ରଦାୟର। ପୃଥକ ପରିବାରରେ ରହୁଥିଲେ ହେଁ ପାରସ୍ପରିକ ସଦଭାବ ଓ ସମ୍ପର୍କ ଗାଁକୁ ଗୋଟିଏ ପରିବାର ଭଳି ଯୋଡ଼ି ରଖିଛି। ବିକାଶ ଠାରୁ ଦୂରେଇ ଯାଇଥିବା ଗ୍ରାମର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସଜାଡ଼ିବା ପାଇଁ ଅତୀତରେ ଗ୍ରାମବିକାଶ ନାମକ ଏକ ସଂଗଠନ ପ୍ରୟାସ କରିଥିଲା। ‘ଗ୍ରାମ ବିକାଶ’ର ପ୍ରୟାସରେ ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଗାଁ ଚାରିପଟେ ବଣ ଜଙ୍ଗଲ ଓ ଟାଙ୍ଗରା ଜମି ଗୁଡ଼ିକ ଦେଖିବା ପରେ ୧୯୯୬ ମସିହାରେ କୃଷି ବିଭାଗ ପକ୍ଷରୁ ପ୍ରଥମେ ୧୮୭୫ଟି ଆମ୍ବ ଚାରା ରୋପଣ କରାଯାଇଥିଲା। ପରେ ଅଧିକ ୧୬୦୦ ଚାରାଗଛ ଲଗାଯାଇଥିଲା। ୫ ବର୍ଷ ଧରି ଗ୍ରାମବାସୀ ଗଛ ଗୁଡ଼ିକର ଜଗାରଖା ଓ ଅନ୍ୟାନ୍ୟ ଯତ୍ନ ନେବା ପରେ ଆମ୍ବର ଅମଳ ଆସ୍ତେ ଆସ୍ତେ ଆରମ୍ଭ ହୋଇଥିଲା ଏବଂ ଏବେ ୩-୪ ବର୍ଷ ହେଲା ଗଛ ଗୁଡ଼ିକ ଅଧିକ ଅମଳ ଦେଉଛି।
ବଦଳିଛି ଗାଁ ଅର୍ଥନୀତି
ଢେଉଗାଁରେ ଏବେ ବି ସଡ଼କଟିଏ ନିର୍ମାଣ ହୋଇପାରି ନାହିଁ। ବିଜୁଳି ଆଲୁଅରୁ ବଞ୍ଚିତ ଏହି ଜନଜାତିଙ୍କ ଗାଁରେ ପିଇବା ପାଣିର ବ୍ୟବସ୍ଥା କରାଇଛି ଗୋଟିଏ ସାମାଜିକ ସଂଗଠନ। ଏଠାରୁ ଉତ୍ପାଦିତ ଆମ୍ବର ବିକ୍ରିବଟା କରି ଚାଷୀ ନିଜର ଖାଦ୍ୟ ଓ ଖର୍ଚ୍ଚ ମେଣ୍ଟାଉଛନ୍ତି। ଆମ୍ବର ଆୟରେ ସେମାନେ ସ୍ବାବଲମ୍ବୀ। ପଡ଼ୋଶୀ ଗ୍ରାମ ଗୁଡ଼ିକର ଯୁବକମାନେ ରାଜ୍ୟ ବାହାରକୁ ଶ୍ରମିକ ଭାବେ ଯିବା ପାଇଁ ବିବଶ ହେଉଥିବା ବେଳେ ଢେଉଗାଁର ଆମ୍ବଚାଷ ଗ୍ରାମକୁ ଦାଦନମୁକ୍ତ ଭାବେ ପରିଚିତ ଦେଇଛି। ଆମ୍ବ ସମେତ ଗ୍ରାମବାସୀ କାଜୁ ଭଳି ଅର୍ଥକରୀ ଫସଲ ଓ ରବିଚାଷରେ ମଧ୍ୟ ମନଲଗାଇଛନ୍ତି।
୪୬ ପ୍ରତିଶତ ଆମ୍ବ ଭାରତରେ
ସାରା ବିଶ୍ବରେ ବାର୍ଷିକ ୫୬ ମିଲିଅନ ଟନ ଆମ୍ବ ପ୍ରତିବର୍ଷ ଅମଳ ହୁଏ। ଏଥିରୁ ୪୬ ପ୍ରତିଶତ ଅର୍ଥାତ ୨୬ ମିଲିଅନ ଟନ କେବଳ ଆମ ଦେଶରୁ ଅମଳ ହୁଏ। ଇଣ୍ଡୋନେସିଆ, ଚୀନ ଏବଂ ମେକ୍ସିକୋ ଆମ୍ବ ଉତ୍ପାଦନରେ ଯଥାକ୍ରମେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ଆମ୍ବର ଆକାର, ପ୍ରକାର ଏବଂ ଅନ୍ୟାନ୍ୟ ଗୁଣ ହିଁ ଏହାର ମୂଲ୍ୟ ନିର୍ଦ୍ଧାରଣ କରିଥାଏ।
ଆମ୍ବ ହେଉଛି ଭାରତର ଜାତୀୟ ଫଳ। ବାଂଲାଦେଶ ଏହାକୁ ଜାତୀୟ ଗଛ ଭାବେ ସ୍ବୀକୃତି ଦେଇଛି। ଏଠାରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଫଳର ରାଜା କୁହାଯାଉଥିବା ଆମ୍ବ ଅମଳ ହୋଇଥାଏ। ମୌର୍ଯ୍ୟ ସମ୍ରାଟ ଅଶୋକ ନିଜ ଶାସନ କାଳରେ ସଡ଼କର ଉଭୟ ପାର୍ଶ୍ବରେ ପଥିକ ମାନଙ୍କୁ ଛାଇ ମିଳିବା ନିମନ୍ତେ ଆମ୍ବ ଚାରା ରୋପଣ କରିଥିଲେ। ଏବେ ଏହା ଜୀବିକାର ସଶକ୍ତ ମାଧ୍ୟମ ପାଲଟିଛି।
ଓଡ଼ିଶାରେ ଆମ୍ବଚାଷର ଧାରା
ଉଦ୍ୟାନଭିତ୍ତିକ ଫସଲ ମଧ୍ୟରୁ ଆମ୍ବର ସ୍ଥାନ ସ୍ବତନ୍ତ୍ର। ଆମ ରାଜ୍ୟ ଓଡ଼ିଶାର ମୋଟ ଫଳ ମଧ୍ୟରୁ ୬୦ ପ୍ରତିଶତ ହେଉଛି ଆମ୍ବ। ଜାତୀୟ ସ୍ତରରେ ହେକ୍ଟର ପ୍ରତି ୮.୬୫ ଟନ ଅମଳ ହେଉଥିବା ବେଳେ ଆମ ରାଜ୍ୟରୁ ୫.୬୮ ଟନ ଅମଳ ହୋଇଥାଏ। ସ୍ଥାନୀୟ ପ୍ରଜାତି ସାଙ୍ଗକୁ ଆବଶ୍ୟକୀୟ ସାର ପ୍ରୟୋଗ ନ ହେବା ଅମଳ ହ୍ରାସ ପଛର ପ୍ରମୁଖ କାରଣ। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ତୁଳନାରେ ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲାରେ ଅଧିକ ଆମ୍ବଚାଷ ଦେଖିବାକୁ ମିଳେ। ରାୟଗଡ଼ାର ୩ଟି ନର୍ସରୀରୁ ୩ ଲକ୍ଷ କୁଇଣ୍ଟାଲ କଲମି ଚାରା ଉତ୍ପାଦିତ ହୋଇଥାଏ। ଜିଲାରେ ଗତ ୨୦୧୭-୧୮ ବର୍ଷରେ କେବଳ ୩ ହଜାର ଟନ ଆମ୍ବକୁ ଦିଲ୍ଲୀ ଓ ରାୟପୁର ନେଇ ଓଡ଼ିଶା ଜୀବିକାର୍ଜନ ମିଶନ ବିକ୍ରି କରିଥିଲା। ରାୟଗଡ଼ା ଭଳି ମୟୁରଭଞ୍ଜ ଜିଲାରୁ ମଧ୍ୟ ଉତ୍ପାଦିତ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ହୋଇଥିବା ନଜିର ରହିଛି। ଢେଉଗାଁ ଭଳି ରାଜ୍ୟର ଅନେକ ଗ୍ରାମ ଆମ୍ବଚାଷରୁ ସ୍ବାବଲମ୍ବୀ ହୋଇପାରିବେ। ସେ ଦିଗରେ ଉଦ୍ୟାନ କୃଷି ମିଶନ ବ୍ୟାପକ କାର୍ଯ୍ୟକ୍ରମ ଗହଣ କରିବାର ଆବଶ୍ୟକତା ରହିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ