ଏଆଇଏମ୍ଆଇଏମ୍ ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା


ଅସଦ୍ ଖାନ୍ (ଫାଇଲ୍ ଫଟୋ)
ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମଆଇଏମ୍) ନେତା ଅସଦ୍ ଖାନଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ କେତେକ ଆତତାୟୀ ଗୁଳି କରି ହତ୍ୟା କରିଛନ୍ତି। ୪୦ ବର୍ଷୀୟ ଅସଦ୍‌ଙ୍କୁ ହାଇଦ୍ରାବାଦର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ହୃଦୟ ବିଦାରକ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ଓଲ୍ଡ ସିଟିର ମୈଲରଦେବପାଲୀ ଥାନା ଅଞ୍ଚଳର ଭାଟାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏହି ଅଞ୍ଚଳଟି ଏଆଇଏମ୍ଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଓୱେସୀଙ୍କ ପ୍ରମୁଖ ଇଲାକା ହୋଇଥିବା ବେଳେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟାଇଥିବା ଅପରାଧୀମାନଙ୍କୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଅନ୍ୟପକ୍ଷରେ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ଅସଦ୍ ସ୍ଥାନୀୟ ଅଞ୍ଚଳରେ ଜଣେ ଏଆଇଏମଆଇଏମର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ ହେଁ ତାଙ୍କର ଅପରାଧିକ କାର୍ଯ୍ୟକଳାପ ସହ ସଂପ୍‌କ୍ତି ଥିଲା ଓ ତାଙ୍କୁ ପ୍ରତିପକ୍ଷ ଗୋଷ୍ଠୀ ପ୍ରତିଶୋଧ ନେବା ସକାଶେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ପୋଲିସ୍ ଅନୁମାନ କରୁଛି। ଏହି ମାମଲାର ତଦନ୍ତ ପୋଲିସ୍ ଆରମ୍ଭ କରିଥିବା ବେଳେ ତଥ୍ୟ ଯୋଗାଡ଼ ପାଇଁ ଉଦ୍ୟମ ଚଳାଇଛି।

ଅସଦ୍ ତାଙ୍କ ମୋଟର ସାଇକେଲରେ ଯାଉଥିବା ବେଳେ ଅଚାନକ ଏକାଧିକ ଆତତାୟୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଶାସ୍ତ୍ରୀପୁରମ୍ ରୋଡ୍ ଅଞ୍ଚଳରେ ବେଶ୍ ଜନଗହଳି ଥିଲେ ମଧ୍ୟ ଆତତାୟୀମାନେ ଏହାକୁ ବେଖାତିର୍ କରି ଅସଦଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ। ତାଙ୍କୁ ଏକାଧିକ ବାର ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡ଼ି ସେଠାରୁ ପଳାୟନ କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ଅସଦ୍‌ଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପୂର୍ବରୁ ଅସଦଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ କରାଯାଇଥିଲା। ତା’ଛଡ଼ା ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋର୍ ଚର୍ଚ୍ଚା ହେଉଥିବା ବେଳେ ଅପରାଧୀମାନଙ୍କୁ ତୁରନ୍ତ ଠାବ କରି କଠିନ ଦଣ୍ଡ ବିଧାନ କରାଯିବ ବୋଲି ସ୍ଥାନୀୟ ପୋଲିସ୍ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ