ବାଦ ବିବାଦ
ହେଲମେଟ୍ ଚେକିଂ ବେଳେ ପୋଲିସ୍ର ଦାଦାଗିରି: ୩ ନିଲମ୍ବିତ

ପୋଲିସ୍ ମାଡ଼ରେ ଆହତ ଯୁବକ (ବାମ), ଗର୍ଭବତୀ ମହିଳାଙ୍କୁ ଚଲାଇ ନିଲମ୍ବିତ ପୋଲିସ୍ ଅଧିକାରୀ
ମୟୁରଭଞ୍ଜ ଜିଲ୍ଲାରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ହେଲ୍ମେଟ୍ ଚେକିଂ ବେଳେ ମାନବିକତା ଭୁଲି ଯାଇଛି ପୋଲିସ୍। ହେଲମେଟ୍ ଚେକିଂ ଆଳରେ ଜଣେ ଗର୍ଭବତୀ ମହିଳାଙ୍କ ୩ କିଲୋମିଟର ବାଟ ଚାଲିବାକୁ ବାଧ୍ୟ କରି ମୟୂରଭଞ୍ଜ ସଦର ଥାନାର ମହିଳା ପୋଲିସ୍ ଅଧିକାରୀ ରୀନା ବକ୍ସଲା ନିଲମ୍ବିତ ହେବାର ୨୪ ଘଣ୍ଟା ନ ପୁରୁଣୁ ପୋଲିସ୍ର ଆଉ ଏକ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ହେଲ୍ମେଟ୍ ଚେକିଂ ବେଳେ ପୋଲିସ୍ର ଲାଠି ମାଡ଼ରେ ଜଣେ ଯୁବକ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଆଉ ୨ ଜଣ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ୪୭୪ ବାଟାଲିୟନର ସିପାହୀ ଆର୍କେ ସିଂହ ଏବଂ କରଞ୍ଜିଆ ପୋଲିସ୍ ଡ୍ରାଇଭର୍ ତଥା ହୋମ୍ଗାର୍ଡ ମାନସ ରଞ୍ଜନ ସ୍ୱାଇଁ।
ସୂଚନାଯୋଗ୍ୟ, ହେଲମେଟ୍ ଚେକିଂ ଆଳରେ ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ୩ କିମି ଚାଲିବାକୁ ବାଧ୍ୟ କରିଥିଲେ ଥାନା ଅଧିକାରିଣୀ ରୀନା ବକ୍ସଲା। ସ୍ୱାମୀଙ୍କ ସହ ବାଇକ୍ରେ ଯାଉଥିବା ଗର୍ଭବତୀ ପତ୍ନୀ ହେଲମେଟ୍ ପିନ୍ଧି ନ ଥିବାରୁ ପୋଲିସ୍ ସ୍ୱାମୀଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇଗଲା। ମାତ୍ର ଯେତେ ନେହୁରା ହେଲେ ବି ତାଙ୍କ ପତ୍ନୀଙ୍କୁ ନ ନେବାରୁ ସେ ଚାଲି ଚାଲି ୩ କିମି ଯିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ମୟୂରଭଞ୍ଜ ଏସ୍ପି ଘଟଣାର ତଦନ୍ତ କରି ଥାନା ଅଧିକାରିଣୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣାକୁ ୨୪ ଘଣ୍ଟା ପୁରି ନ ଥିବାବେଳେ ଆଉ ଏକ ଘଟଣା ଘଟିଛି। ସୋମବାର ସନ୍ଧ୍ୟା ୭ଟା ସମୟରେ କରଞ୍ଜିଆ ପୋଲିସ୍ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍ ଓ ମାସ୍କ ଚେକିଂ କରୁଥିଲା। ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ଯାଉଥିବା ବେଳେ ପୋଲିସ୍ ମାଡ଼ରେ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଯୁବକଙ୍କ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଠି ହୋଇ ପୋଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କାରେ ୨ ଜଣଙ୍କୁ ନିଲମ୍ବନ କରାଯାଇଛି। ୪୭୪ ବାଟାଲିୟନର ସିପାହୀ ଆର୍କେ ସିଂହ ଏବଂ କରଞ୍ଜିଆ ପୋଲିସ୍ ଡ୍ରାଇଭର୍ ତଥା ହୋମ୍ଗାର୍ଡ ମାନସ ରଞ୍ଜନ ସ୍ୱାଇଁଙ୍କୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସ୍ପି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ