ବେୟାରଷ୍ଟୋଙ୍କ ବିସ୍ଫୋରକ ଇନିଂସ ବୃଥା: ଭାରତକୁ ଜିତାଇଲେ ୨ ନବାଗତ


ଡେବ୍ୟୁରେ ସଫଳ ବୋଲର ପ୍ରସିଦ୍ଧ କ୍ରିଷ୍ଣା
ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଦଳ ୬୭ ରନରେ ବିପୁଳ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ହୋଇଛି। ଆଉ ଏହି ବିଜୟରେ ଭାରତ ପାଇଁ ଡେବ୍ୟୁ କରିଥିବା ପ୍ରସିଦ୍ଧ କ୍ରିଷ୍ଣା ଓ କୃନାଲ ପାଣ୍ଡ୍ୟା ଯଥାକ୍ରମେ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ଓପନର ଜନି ବେୟାରଷ୍ଟୋ ୯୪ ରନର ଏକ ବିସ୍ଫୋରକ ଇନିଂସ ଖେଳି ଓପନିଂ ଯୋଡ଼ିରେ ଜେସନ ରଏଙ୍କ ସହ ୧୩୫ ରନର ପାର୍ଟନରଶିପ କରିବା ସତ୍ତ୍ବେ ଦଳକୁ ପରାଜୟରୁ ରକ୍ଷା କରିପାରି ନାହାନ୍ତି। ଇଂଲଣ୍ଡ  ୩୧୮ ରନର ପିଛା କରି ୨୫୧ ରନରେ ଅଲଆଉଟ ହୋଇ ମ୍ୟାଚ ହାରିଛି। ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ପ୍ରସିଦ୍ଧ ୫୪ ରନ ଦେଇ ୪ଟି ୱିକେଟ ନେଇ ଚମତ୍କାରିତା ଦେଖାଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ସତର୍କତାର ସହ ଇନିଂସ ଓପନ କରି ପ୍ରଥମ ୱିକେଟରେ ୬୪ ରନ ଯୋଡ଼ିଥିଲା। ରୋହିତ ଶର୍ମା ୨୮ ରନ କରି ପ୍ରଥମ ଖେଳାଳି ଭାବେ ଆଉଟ ହୋଇଥିଲେ। ଏହା ପରେ ଦ୍ବିତୀୟ ୱିକେଟରେ ଶିଖର ଧୱନ ଓ ଅଧିନାୟକ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେବାରେ ସଫଳ ହୋଇଥିଲେ। ଦ୍ବିତୀୟ ୱିକେଟରେ ୧୦୫ ରନର ପାର୍ଟନରଶିପ ପରେ କୋହଲି ୬୦ ବଲରୁ ୫୬ ରନ କରି ଆଉଟ ହୋଇଥିଲେ। ୧୬୯ରେ ଦ୍ବିତୀୟ ୱିକେଟ ପତନ ଘଟିବା ପରେ ଭାରତ ଲଗାତର ଆଉ ୩ଟି ୱିକେଟ ହରାଇ ସଙ୍କଟରେ  ପଡ଼ି ଯାଇଥିଲା। ଓପନର ଧୱନ ୧୦୬ଟି ବଲରୁ ୧୧ଟି ଚୌକା ଓ ୨ଟି ଛକା ଜରିଆରେ ୯୮ ରନରେ ଆଉଟ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। ଶ୍ରେୟସ ଆୟର ୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧ ରନରେ ଆଉଟ ହେବା ଭାରତ ପାଇଁ ବିପଦ ଆଣିଥିଲା।

ମାତ୍ର ଷଷ୍ଠ ୱିକେଟରେ ଲୋକେଶ ରାହୁଲ ଓ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିଅରର ପ୍ରଥମ ମ୍ୟାଚ ଖେଳୁଥିବା କୃନାଲ ପାଣ୍ଡ୍ୟାଙ୍କ ଜବରଦସ୍ତ ବ୍ୟାଟିଂ ପୁଣି ଥରେ ବଡ଼ ସ୍କୋର ପାଇଁ ବାଟ କଢ଼ାଇଥିଲା। ଦୁହେଁ ଶେଷ ୧୦ ଓଭରରେ ୧୧୨ ରନର ଅବିଭାଜିତ ପାର୍ଟନରଶିପ ଜରିଆରେ ଦଳକୁ ୩୧୭/୫ ରନ ପର୍ଯ୍ୟନ୍ତ ନେଇ ଯାଇଥିଲେ। ରାହୁଲ ୪୩ଟି ବଲରୁ ୪ଟି ଚୌକା ଓ ୪ଟି ଛକା ଜରିଆରେ ୬୨ ଓ କୃନାଲ ସମସ୍ତଙ୍କୁ ଚମକାଇ ୩୧ଟି ବଲରୁ ୭ଟି ଚୌକା ଓ ୨ଟି ଛକା ଜରିଆରେ ଅପରାଜିତ ୫୮ ରନ କରିଥିଲେ। ଏଥିସହ କୃନାଲ ମାତ୍ର ୨୬ଟି ବଲରୁ ଅର୍ଦ୍ଧଶତକ ପୂରଣ କରି ଡେବ୍ୟୁରେ ଦ୍ରୁତତମ ଅର୍ଦ୍ଧଶତକର ବିଶ୍ବରେକର୍ଡ କରିଥିଲେ।

ଏହାର ଜବାବରେ ଇଂଲଣ୍ଡ ଜେସନ ରଏ ଓ ଜନି ବେୟାରଷ୍ଟୋ ଜୋରଦାର ଢ଼ଙ୍ଗରେ ବ୍ୟାଟିଂ ଆରମ୍ଭ କରି ଭାରତୀୟ ବୋଲରଙ୍କୁ ବ୍ୟୟବହୁଳ କରାଇଥିଲେ। ଓପନିଂ ଯୋଡ଼ିରେ ମାତ୍ର ୧୪.୨ ଓଭରରେ ୧୩୫ ରନ ଉଠାଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ମାତ୍ର ନବାଗତ ପ୍ରସିଦ୍ଧ ତାଙ୍କ ଦ୍ବିତୀୟ ସ୍ପେଲରେ ଯୋଡ଼ି ଭାଙ୍ଗି ଜେସନ ରଏଙ୍କୁ ୪୬ ଓ ବେନ ଷ୍ଟୋକ୍ସଙ୍କୁ ୧ ରନରେ ଆଉଟ କରିବା ପରେ ଖେଳର ମୋଡ଼ ବଦଳିଥିଲା। ଶାର୍ଦ୍ଦୁଲ ଠାକୁର ମଧ୍ୟ ଚମତ୍କାର ପ୍ରଦର୍ଶନ ଜରିଆରେ ବେୟାରଷ୍ଟୋଙ୍କୁ ୯୪ ରନରେ ଆଉଟ କରିବା ସହ ଅଧିନାୟକ ଇଅନ ମୋର୍ଗାନ ଓ ଜୋସ ବଟଲରଙ୍କୁ ଶୀଘ୍ର ଆଉଟ କରି ଭାରତ ପାଇଁ ବଡ଼ ସଫଳତା ଆଣିଥିଲେ। ଏହାପରେ ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇ ୪୨.୧ ଓଭରରେ ୨୫୧ ରନ କରି ଅଲଆଉଟ ହୋଇଥିଲା। ନବାଗତ ପ୍ରସିଦ୍ଧ ୪ଟି, ଶାଦ୍ଦୁଲ ୩ଟି, ଭୁବନେଶ୍ବର ୨ଟି, କୃନାଲ ଗୋଟିଏ ୱିକେଟ ନେଇଥିଲେ। ଧୱନ ତାଙ୍କ ୯୮ ରନର ଇନିଂସ ପାଇଁ ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ