ଯୁବ ଜଗତ
ଜାଣନ୍ତୁ ଅଫିସ୍ରେ ଯୌନ ଶୋଷଣରୁ କିଭଳି ବଞ୍ଚିବେ

ପ୍ରତୀକାତ୍ମକ ଫଟୋ
କୌଣସି କାର୍ଯ୍ୟାଳୟରେ ଯୌନ ଶୋଷଣର ଶିକାର ହେବା ନିହାତି ଭାବେ ଦୁର୍ଭାଗ୍ୟପୂର୍ଣ୍ଣ। ଅଶ୍ଳୀଳ ଟିପ୍ପଣୀ ହେଉ ବା କୌଣସି ପ୍ରକାର ଅଶୋଭନୀୟ ବ୍ୟବହାର ଏହାକୁ ଚୁପ୍ଚାପ ସହିବା ଉଚିତ ନୁହେଁ। ଯଦିଓ କର୍ପୋରେଟ୍ କଲ୍ଚର ଏବଂ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ନାମରେ ଅନେକ ସମୟରେ କଥାକୁ ଚପାଇ ଦିଆଯାଏ। କାର୍ଯ୍ୟାଳୟରେ ଏମିତି ଯୌନ ଶୋଷଣର ଶିକାର ହେଲେ, ଅନେକ ଏଥିରୁ କିଭଳି ମୁକୁଳିବେ ତାହା ଜାଣିପାରି ନ ଥାନ୍ତି। ଏଠାରେ ଏପରି କେତେକ କର୍ମଚାରୀ କିପରି ଭାବେ କାର୍ଯ୍ୟାଳୟରେ ଯୌନ ଶୋଷଣରୁ ମୁକୁଳିଛନ୍ତି ତାହା ଜଣାଇଛନ୍ତି।
ସହକର୍ମଚାରୀ ଚରିତ୍ରହୀନ କହିଲେ
ଅଙ୍କିତା ନାମ୍ନୀ ଜଣେ କର୍ମଚାରୀ କହିଛନ୍ତି ଯେ ତାଙ୍କ କାମର ପ୍ରଶଂସା ଶୁଣିବାକୁ ତାଙ୍କର ଜଣେ ସହକର୍ମୀ ପସନ୍ଦ କରନ୍ତି ନାହିଁ। ଯେତେବେଳେ ତାଙ୍କୁ ପ୍ରମୋଶନ ମିଳିଲା ସହକର୍ମୀଙ୍କୁ ବହୁତ ବାଧିଲା। ସେ କାମରେ ମନ ନ ଦେଇ କେବଳ ଅଙ୍କିତାଙ୍କ ନିନ୍ଦା କରିବାରେ ଲାଗିଲେ। ଏପରିକି ଅଫିସ୍ ପାର୍ଟିରେ ସହକର୍ମୀଜଣକ ତାଙ୍କୁ ଚରିତ୍ରହୀନ କହିବା ସହ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ରଖିବା ଯୋଗୁଁ ସେ ଏହି ଅଫିସ୍ରେ ତିଷ୍ଠିଥିବା ମଧ୍ୟ କହିବାକୁ ପଛାଇଲେ ନାହିଁ। ଫଳରେ ବାଧ୍ୟ ହୋଇ ଅଙ୍କିତା ଉକ୍ତ ସହକର୍ମୀଙ୍କ ବିରୋଧରେ ଏଚ୍ଆର୍ଙ୍କ ପାଖରେ ଅଭିଯୋଗ କରିଥିଲେ। ୧୦ ଦିନ ମଧ୍ୟରେ ଉକ୍ତ ସହକର୍ମୀଙ୍କୁ ଚାକିରିରୁ ବରଖାସ୍ତ କରି ଦିଆଗଲା।
ପୁଅମାନେ ମଧ୍ୟ ହୁଅନ୍ତି ଯୌନ ଶୋଷଣର ଶିକାର
ଲୋକେ ଭାବନ୍ତି କେବଳ ମହିଳାମାନେ କାର୍ଯ୍ୟାଳୟରେ ଯୌନଶୋଷଣର ଶିକାର ହୁଅନ୍ତି। ମାତ୍ର ଏହି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ୍। ପୁଅମାନେ ମଧ୍ୟ ଏହାର ଶିକାର ହୋଇଥାନ୍ତି। ଶୁଭମ୍ ନାମକ ଜଣେ କର୍ମଚାରୀ କହିଛନ୍ତି ଯେ ସେ ପୂର୍ବରୁ ଯେଉଁ ସଂସ୍ଥାରେ କାମ କରୁଥିଲେ, ସେଠାରେ ଜଣେ ମହିଳା ମ୍ୟାନେଜର ଭାବେ କାମ କରୁଥିଲେ। ମ୍ୟାନେଜର ଜଣକ ନିଜ ପଦବୀର ଫାଇଦା ଉଠାଇବା ଲାଗି ତାଙ୍କ ସହ ଖରାପ ସମ୍ପର୍କ ରଖିବାକୁ ପ୍ରୋତ୍ସାହିତ କରୁଥିଲେ। ଏପରିକି ଶୁଭମ୍ ଏକୁଟିଆ ଥିବା ସମୟରେ ମ୍ୟାନେଜର ଜଣକ ସିଧାସଳଖ ଏ ବିଷୟରେ କଥା ହେଉଥିଲେ। ମ୍ୟାନେଜର ଜଣକ ତାଙ୍କ ବିରୋଧରେ କୌଣସି ଅଭିଯୋଗ କରିବେ କିମ୍ବା ଚାକିରିରୁ ବାହାର କରିଦେବେ ଏନେଇ ସବୁବେଳେ ଶୁଭମ୍ ଡରରେ ଥିଲେ। କଥା ବେଶୀ ଖରାପ ହେବା ପୂର୍ବରୁ ଶୁଭ୍ମ ଚାକିରି ଛାଡ଼ି ଦେଇଥିବା କହିଛନ୍ତି।
ଅଫିସ୍ ଲିଫ୍ଟରେ ଅସାଦାଚରଣ
ମନସ୍ବିନୀ ନାମକ ଜଣେ କର୍ମଚାରୀ କହିଛନ୍ତି ଯେ ସେ ଅଫିସ୍ ଲିଫ୍ଟରେ ଥିବାବେଳେ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଅସଦାଚରଣ କରିଥିଲେ। ପ୍ରଥମେ ସେ ଭାବିଲେ ବୋଧହୁଏ ଭୁଲ୍ରେ ଏପରି ହୋଇଥିବ। ମାତ୍ର ଏହା ପରେ ଉକ୍ତ କର୍ମଚାରୀଙ୍କ ସାହସ ବଢ଼ିବାରେ ଲାଗିଥିଲା। ସହକର୍ମୀ ଜଣକ ପୁଣି ଥରେ ମନସ୍ବିନୀଙ୍କୁ ସ୍ପର୍ଶ କରିଥିଲା। ଯେତେବେଳେ ମନସ୍ବିନୀ ତାଙ୍କୁ ଚାହିଁଲେ, ସେ ଖରପ ଦୃଷ୍ଟି ସହ ହସିଥିଲେ। ଏଥିରେ ମନସ୍ବିନୀ ଖୁବ୍ ଜୋର୍ରେ ରାଗିବା ସହ ଏକ ଜୋର୍ଦାର ଚାପୁଡ଼ା ଦେଇ ସେଠାରୁ ଚାଲି ଆସିଥିବା କହିଛନ୍ତି।
ଶରୀରକୁ ନେଇ ଖରାପ ଟିପ୍ପଣୀ
ସୋନାଲି ନାମକ ଜଣେ ମହିଳା କର୍ମଚାରୀ କହିଛନ୍ତି ଯେ ତାଙ୍କର ଜଣେ ସହକର୍ମୀ ସବୁବେଳେ ଝିଅଙ୍କ ଶରୀରକୁ ନେଇ ଖରାପ ଟିପ୍ପଣୀମାନ ଦେବାରେ ଲାଗିଥାନ୍ତି। ଏପରିକି ମହିଳାଙ୍କ ପାଇଁ କର୍ପୋରେଟ୍ ସିଡ଼ି ଚଢ଼ିବା ବହୁତ ସହଜ ବୋଲି ମଧ୍ୟ ଉକ୍ତ ସହକର୍ମୀ ସବୁବେଳେ କହି ବୁଲନ୍ତି। ସାଧାରଣତଃ ସେ ସବୁବେଳେ ଅଶ୍ଳୀଳ ଟିପ୍ପଣୀମାନ ମଧ୍ୟ ଦେବାରେ ଲାଗିଥାନ୍ତି। ଏକଦା ସମସ୍ତ ମହିଳା କର୍ମଚାରୀ ଏକାଠି ହୋଇ ଉକ୍ତ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଫଳରେ ସେମାନେ ଏଚ୍ଆର୍ଙ୍କୁ ମେଲ୍ କରି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିସହିତ ସୋନାଲି ଉକ୍ତ ସହକର୍ମୀ ଦେଇଥିବା ଅଶ୍ଳୀଳ ଟିପ୍ପଣୀର ଏକ ଅଡ଼ିଓ କ୍ଲିପ୍ ମଧ୍ୟ ଇ-ମେଲ୍ରେ ଆଟାଚ୍ କରିଥିଲେ। ଏହାପରେ ଏଚ୍ଆର୍ ବିଭାଗ ତାଙ୍କୁ ଚେତାବନୀ ଦେଇଥିଲେ। ଫଳରେ ଉକ୍ତ ସହକର୍ମୀ ମହିଳାଙ୍କ ଉପରେ ଆଉ କୌଣସି ଅଶ୍ଳୀଳ ମନ୍ତବ୍ୟ ଦେଇ ନ ଥିଲେ ବୋଲି ସୋନାଲି କହିଛନ୍ତି।
ଇଏ ତ ହେଉଛି କେତେ ଜଣ କର୍ମଚାରୀଙ୍କ ନିଜ ସହିତ ଘଟିଥିବା ଅନୁଭୂତି। ତେବେ କାର୍ଯ୍ୟାଳୟରେ ଯୌନ ଶୋଷଣରୁ ବଞ୍ଚିବା ଲାଗି ନିଜକୁ ସାବଧାନ ରହିବାକୁ ପଡ଼ିବ। ନିଜକୁ ଜବାବ ଦେବାକୁ ପଡ଼ିବ। କେହି ଯଦି ଅଶ୍ଳୀଳ ଇଙ୍ଗିତ କରନ୍ତି, ତେବେ ତାଙ୍କୁ ପ୍ରଥମରୁ ରୋକିବା ଉଚିତ। ନଚେତ୍ ଏହା ସେ ବାରମ୍ବାର କରିବାକୁ ସାହାସ କରିବେ। ସହକର୍ମୀଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ରଖନ୍ତୁ। ମାତ୍ର ଏହା ଆଳରେ ସେମାନଙ୍କୁ ଶୋଷଣ କରିବାକୁ ଦିଅନ୍ତୁ ନାହିଁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ