ସ୍ବାଦିଷ୍ଟ ମେଥି ପନୀର ସ୍ବାସ୍ଥ୍ୟ ପାଇଁ ହିତକର


ମେଥି ପନୀର
ସୁଆଦିଆ ଶାକାହାରୀ ରେସିପି ତିଆରି କରିବାକୁ ଚାହୁଥିଲେ ସର୍ବପ୍ରଥମେ ମନରେ ଆସେ ପନୀର। ପିଲାମାନେ ମଧ୍ୟ ପନୀର ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। ଯଦି ଶୀତ ଦିନେ କିଛି ଡିଶ୍‌ ପ୍ରସ୍ତୁତ କରିବାକୁ ଚାହାନ୍ତି, ତେବେ ସେଥିରେ ମେଥି ନିହାତି ବ୍ୟବହାର କରନ୍ତୁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ହିତକର। ଚାଲନ୍ତୁ ଜାଣିବା ସ୍ବାଦ ଏବଂ ସ୍ବାସ୍ଥ୍ୟର ଜବରଦସ୍ତ କମ୍ବିନେସନ ମେଥି ପନୀରର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୫୦୦ ଗ୍ରାମ୍‌ ପନୀର, ୨୫୦ ଗ୍ରାମ୍‌ ମେଥି ଶାଗ, ୧ ଚାମଚ ଗରମ ମସଲା, ଅଧ ଚାମଚ ହଳଦୀ ଗୁଣ୍ଡ, ୩-୪ ଟି ଗୁଜୁରାତି, ୧ ଚାମଚ ଜିରା, ଅଧ କପ୍‌ ଦହି, ୧ ଚିମୁଟା ହେଙ୍ଗୁ, ୨ ଟେବୁଲସ୍ପୁନ୍‌ ଘିଅ, ୧ ଚାମଚ ଲଙ୍କା ଗୁଣ୍ଡ, ସ୍ବାଦାନୁସାରେ ଲୁଣ, ଅଧ କପ୍‌ ପାଣି, ୨ ଟେବୁଲସ୍ପୁନ୍‌ ବଟା ଅଦା-ରସୁଣ-ପିଆଜ।

ପ୍ରସ୍ତୁତି ପ୍ରଣାଳୀ
ମେଥି ଶାଗକୁ ଭଲ ଭାବେ ବାଛି ଧୁଅନ୍ତୁ। ଏହାକୁ ଛୋଟ ଛୋଟ କରି କାଟନ୍ତୁ। ପନୀରକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। କଡ଼େଇରେ ଘିଅ ଗରମ କରି ପନୀର ଗୋଲ୍ଡେନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାକୁ ବାହାରକୁ ବାହାର କରନ୍ତୁ। ଏବେ କଡ଼େଇରେ ଥିବା ଘିଅରେ ଜିରା, ଗୁଜୁରାତି ଏବଂ ହେଙ୍ଗୁ ଫୁଟାନ୍ତୁ। ଜିରା ଫୁଟିଗଲା ପରେ ଏଥିରେ ବଟା ପିଆଜ, ଅଦା ଏବଂ ରସୁଣ ପକାନ୍ତୁ। ଏଥିସହିତ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାନ୍ତୁ। ଅଳ୍ପ ଲୁଣ ପକାଇ ଭଲ ଭାବେ ଭାଜନ୍ତୁ। ମସଲା ଭଲ ଭାବେ ଭାଜି ହୋଇଗଲା ପରେ ଏଥିରେ ଦହି ମିଶାନ୍ତୁ। କିଛି ସମୟ ଏହା ସିଝିବା ପରେ ଏଥିରେ ପନୀର ଏବଂ ମେଥି ଶାଗ ପକାଇ ଗୋଳାନ୍ତୁ। ଗ୍ରେଭି ପାଇଁ ଏଥିରେ ଅଳ୍ପ ପାଣି ଢାଳନ୍ତୁ। ପାଖାପାଖି ୧୦ ମିନିଟ୍‌ ଧିମା ଆଞ୍ଚରେ ସିଝାଇବା ପରେ ଏଥିରେ ଗରମ ମସଲା ପକାନ୍ତୁ। କିଛି ସମୟ ଏହା ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମେଥି ପନୀର। ରୁଟି କିମ୍ବା ପରଟା ସହ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ