ଯୁବ ଜଗତ
ସୋସାଲ ମିଡିଆ ଆପଣଙ୍କୁ ଖଳନାୟକ କରିପାରେ

ପ୍ରତୀକାତ୍ମକ ଫଟୋ
ଆମ ଜୀବନରେ ଏକ ଗୁରତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି ସୋସାଲ ମିଡିଆ। ଦେଶ ଦୁନିଆର ଖବର ଜାଣିବା ହେଉ ଅବା ସାଙ୍ଗମାନଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ ଏବେ ସୋସାଲ ମିଡିଆ ଉପରେ ଲୋକେ ଅଧିକ ମାତ୍ରାରେ ନିର୍ଭର କରିବାରେ ଲାଗିଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ୨୪ ଘଣ୍ଟାରୁ ପାଖାପାଖି ୪ରୁ ୫ ଘଣ୍ଟା ଲୋକେ ସୋସାଲ ମିଡିଆରେ ହିଁ ବିତାଉଛନ୍ତି। ଯେଉଁମାନେ ସୋସାଲ ମିଡିଆ ପ୍ରେମରେ ପଡ଼ିଯାଉଛନ୍ତି ସେମାନେ ୮ରୁ ୧୦ ଘଣ୍ଟା ମଧ୍ୟ ଏଥିରେ ବିତାଉଛନ୍ତି। ତେବେ ଆପଣ ଜାଣିଛନ୍ତି କି ଏହି ସୋସାଲ ମିଡିଆ ଆପଣଙ୍କୁ ସଚେତନ କରାଇବା ସହ ଖଳନାୟକ ମଧ୍ୟ କରିପାରେ? ଯଦି ଆପଣ ସୋସାଲ ମିଡିଆ ଉପରେ ଅଧିକ ଭରସା କରୁଛନ୍ତି ଏବଂ ଏହା ଉପରେ ଟିପ୍ପଣୀ ଦେଉଛନ୍ତି, ତେବେ ନିଜକୁ ଏହାଠାରୁ ଦୂରେଇ ରଖନ୍ତୁ।
ନିଜ ଉପରେ ପ୍ରଭୁତ୍ବ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ
କୌଣସି ଭାବନାକୁ ବ୍ୟକ୍ତ କରିବା ଲାଗି ଲୋକେ କିଛି ନା କିଛି ପ୍ଲାଟଫର୍ମ ଖୋଜନ୍ତି। ସୋସାଲ ମିଡିଆ ହେଉଛି ଏମିତି ଏକ ପ୍ଲାଟଫର୍ମ। କେତେକ ଲୋକ ସୋସାଲ ମିଡିଆକୁ ନିଜ ଉପରେ ପ୍ରଭୁତ୍ବ ବିସ୍ତାର କରିବାକୁ ସୁଯୋଗ ଦିଅନ୍ତି। ସେମାନଙ୍କୁ ଲାଗେ ସୋସାଲ ମିଡିଆରେ ସେ ଯାହା ବି କହୁଛନ୍ତି, ଲୋକେ ତାହା ପସନ୍ଦ କରୁଛନ୍ତି। ମାତ୍ର କୌଣସି ତର୍କ ନ ଥାଇ ସୋସାଲ ମିଡିଆରେ କିଛି ଶେୟାର କରିବା ଆପଣଙ୍କ ଛବିକୁ ଖରାପ କରିପାରେ।
କିଛି ନ ବୁଝି ବିଶ୍ବାସ କରିବା
ଅନେକ ସମୟରେ ଦେଖାଯାଏ ସୋସାଲ ମିଡିଆରେ ପୋଷ୍ଟ କରାଯାଇଥିବା ଯେ କୌଣସି ଷ୍ଟୋରୀ ବା ଫଟୋ ନ ବୁଝି କେତେକ ଲୋକେ ବିଶ୍ବାସ କରି ନିଅନ୍ତି। ତେବେ ଏହି ସୂଚନା ମିଛ ବି ହୋଇପାରେ, ଏହା ଧ୍ୟାନରେ ରଖନ୍ତୁ। ତେଣୁ ସୋସାଲ ମିଡିଆରେ ଶେୟାର ହେଉଥିବା ସମସ୍ତ ପୋଷ୍ଟକୁ ବିଶ୍ବାସ ନ କରି ଏହି ଖବର କେଉଁଠୁ ଆସିଛି ତାହା ଖୋଜନ୍ତୁ। ଯଦି ଘଟଣାର ସତ୍ୟତା ଜଣାପଡ଼ିଲା ତେବେ ଯାଇ ଏହା ଉପରେ ନିଜ ମତାମତ ଦିଅନ୍ତୁ।
ନକାରାତ୍ମକ କଣ୍ଟେଣ୍ଟ ଶେୟାର କରନ୍ତୁ ନାହିଁ
ସାଧାରଣତଃ ଯୁବପିଢ଼ି ବୁଝିପାରନ୍ତି ନାହିଁ ଯେଉଁସବୁ ପୋଷ୍ଟକୁ ସେମାନେ ଶେୟାର କରିବାରେ ଲାଗିଛନ୍ତି ତାହା ସମାଜ ପାଇଁ କ୍ଷତି ମଧ୍ୟ ପହଞ୍ଚାଇପାରେ। ଏହି କଣ୍ଟେଣ୍ଟ ଆପଣଙ୍କ କାନକୁ ଭଲ ଶୁଣାଯାଉଥାଇପାରେ, ମାତ୍ର ଭାବନ୍ତୁ ଏହା ଅନ୍ୟ କାହା ପାଇଁ ଖରାପ ନୁହେଁ ତ! ନକାରାତ୍ମକ କଣ୍ଟେଣ୍ଟ ସବୁବେଳେ ନକାରାତ୍ମକ ଭାବେ ଉପସ୍ଥାପନା କରାଯାଇ ନ ଥାଏ। ତେଣୁ ଆପଣ ଭାବନାରେ ଭାସି ଯାଇ ଏହାକୁ ଶେୟାର କରିବାରେ ଲାଗିଥାନ୍ତି। ଏହାକୁ ବୁଝି ଶେୟାର କରିବା ନିହାତି ଦରକାର।
ଆପଣଙ୍କୁ ଅସ୍ତ୍ର କରାଯାଉ ନାହିଁ ତ!
ବର୍ତ୍ତମାନ ସମୟରେ ସୋସାଲ ମିଡିଆକୁ ଯେତିକି ଖବର ଏବଂ ସୂଚନା ପ୍ରସାର କରିବା ପାଇଁ ବ୍ୟବହାର କରାଯାଉଛି, ତାହାଠାରୁ ଅଧିକ ଘୃଣାଭାବ ପ୍ରସାର କରିବା ପାଇଁ କରାଯାଉଛି। ମାତ୍ର ଏଥିପାଇଁ ଏହାକୁ ତିଆରି କରିଥିବା ଜଣେ ବା ଦୁଇଜଣ ଦାୟୀ ନୁହଁନ୍ତି, ଆମ ଭଳି ଲକ୍ଷ ଲକ୍ଷ ଲୋକ ମଧ୍ୟ ଏଥିପାଇଁ ଦାୟୀ। ଘୃଣା ଭାବ ବିସ୍ତାର କରୁଥିବା ଲୋକେ ସୋସାଲ ମିଡିଆ ବ୍ୟବହାରକାରୀଙ୍କୁ ଏକ ମାରଣାସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ଏବଂ ନିଜ କଥା ସମ୍ପୂର୍ଣ୍ଣ ବିଶ୍ବରେ ବିସ୍ତାର କରୁଛନ୍ତି। ମାତ୍ର ସୋସାଲ ମିଡ଼ିଆ ବ୍ୟବହାର କରୁଥିବା ୟୁଜର୍ସ ଏହା ବୁଝିପାରି ନ ପାରି ଭାବନାରେ ଭାସି ଯାଆନ୍ତି। ଯାହାଫଳରେ ସମାଜ ସମ୍ମୁଖରେ ଖଳନାୟକ ଭାବେ ଉଭା ହେବାକୁ ପଡ଼ୁଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ